ଭୋପାଲ: ମଧ୍ୟପ୍ରଦେଶ ଗ୍ୱାଲିଅରରେ ଦୀର୍ଘଦିନ ଧରି ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିବା ଜଣେ 9 ବର୍ଷୀୟ ନାବାଳିକାଙ୍କ ବିରଳ ଅସ୍ତ୍ରୋପଚାର ହୋଇଛି । ବିନା କୌଣସି ବେହୋସ ମେଡିସିନରେ ଏହି ଅସ୍ତ୍ରୋପଚାର କରାଯାଇଛି, ଯାହା ଖୁବ୍ କମ୍ ଦେଖିବାକୁ ମିଳିଥାଏ ବୋଲି ଡାକ୍ତର କହିଛନ୍ତି । ତେବେ ଅପରେସନ ସମୟରେ ରୋଗୀଙ୍କ ସହ ଲଗାତାର କଥାବାର୍ତ୍ତା କରି ଏବଂ ତାଙ୍କୁ ପିଆନୋ ବଜାଇବାକୁ ଦେଇ ଏହି ବିରଳ ଅପରେସନ କରାଯାଇଛି । ମଧ୍ୟପ୍ରଦେଶର ବିର୍ଲା ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି ।
ମୁରେନା ଜିଲ୍ଲା ବାନମୋର ସହରରେ ରହୁଥିବା 9 ବର୍ଷିୟ ସୌମ୍ୟାଙ୍କର ମୁଣ୍ଡରେ ଏକ ଟ୍ୟୁମର ହୋଇଥିଲା । ଟ୍ୟୁମରଟି ସୌମ୍ୟାଙ୍କ ମୁଣ୍ଡର ଏମିତି ଏକ ସ୍ଥାନରେ ହୋଇଥିଲା, ଯେଉଁଠାରେ ଓପନ ସର୍ଜରୀ କରିବା ସମ୍ଭବ ନଥିଲା । ଏମିତିକି ଅପରେସନ ହେଲେ ସୌମ୍ୟାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କୁ ପକ୍ଷାଘାତ ହେବାର ସମ୍ଭାବନା ଅଧିକ ଥିବା ନେଇ ଡାକ୍ତରମାନେ କହିଥିଲେ । ତେଣୁ ଡାକ୍ତରମାନେ ଅପରେସନ ସମୟରେ ସୌମ୍ୟାଙ୍କ ସହ ନିରନ୍ତର କଥାବାର୍ତ୍ତା କରି ଏବଂ ତାଙ୍କୁ ପିଆନୋ ବଜାଇବାକୁ ଦେଇ ଏହି ଅପରେସନ କରିଥିବା ଜଣାପଡିଛି | କ୍ରିନିଓଟୋମି ତଥା କପାଳ ଛେଦନ ପ୍ରକ୍ରିୟାରେ ଅପରେସନ କରାଯାଇ ସୌମ୍ୟାଙ୍କ ମସ୍ତିସ୍କରୁ ଏକ ଟ୍ୟୁମର ବାହାର କରାଯାଇଛି । ତେବେ ଏହି ବିରଳ ମସ୍ତିସ୍କ ଅପରେସନ ସମୟରେ କୌଣସି ବେହୋସ ମେଡିସିନର ବ୍ୟବହାର କରାଯାଇନଥିବା ଡାକ୍ତର କହିଛନ୍ତି ।