ଲଣ୍ଡନ: କୋରୋନା ସଂକ୍ରମଣ ପାଇଁ ଦାୟୀ SARS-CoV-2କୁ ମୂଳପୋଛ କରିବା ସହ କୋରୋନାର ଚିକିତ୍ସା ପାଇଁ ଜର୍ମାନୀ ଗବେଷକଙ୍କ ହାତରେ ଲାଗିଛି ନୂଆ ଉପଲବ୍ଧି । ପରୀକ୍ଷଣ ଦ୍ବାରା ଗବେଷକଙ୍କୁ ମିଳିଛି ସମ୍ଭାବ୍ୟ କୋଷର ସନ୍ଧାନ ଯାହାକୁ ଟାର୍ଗେଟ କରି ଏହି ଭୂତାଣୁକୁ ନଷ୍ଟ କରାଯାଇପାରେ ବୋଲି ଗବେଷକମାନେ ମତ ପୋଷଣ କରିଛନ୍ତି ।
ଜର୍ମାନର ଗୋଏଥ ୟୁନିଭର୍ସିଟି ଓ ଫ୍ରାଙ୍କଫୁଟ ୟୁନିଭର୍ସିଟି ହସ୍ପିଟାଲର ବାୟୋକେମିଷ୍ଟ ଓ ଭାଇରୋଲୋଜିଷ୍ଟଙ୍କ ଏକ ଟିମ ଲ୍ୟାବରେ ମଡେଲ ଓ କମ୍ପାଉଣ୍ଟକୁ ନେଇ ଏକ ସିରିଜ ପରୀକ୍ଷଣ କରିଥିଲେ । ଏହାଦ୍ବାରା ସେମାନେ ଏପରି କୋଷର ସନ୍ଧାନ କରିଛନ୍ତି ଯାହା SARS-CoV-2 ଭୂତାଣୁର ବଂଶବୃଦ୍ଧି ରୋକିବା ସହ ଏହାକୁ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରିବ ।
ଏନେଇ ଗବେଷକମାନେ ମତ ଦେଇଛନ୍ତି କି ଏହି ସନ୍ଧାନ ଆଗକୁ ଅନେକ ଆକ୍ଟିଭ ସବଷ୍ଟାନ୍ସ ସୃଷ୍ଟି ସହ ଭୂତାଣୁ ସହ ଲଢିବା ପାଇଁ ବିଭିନ୍ନ ଡ୍ରଗ୍ସ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିବ । ଏହି ତଥ୍ୟ ନିକଟରେ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ଏକ ଆମେରିକୀୟ ସଂସ୍ଥା କହିଥିଲା କି ଏହା ବର୍ତ୍ତମାନ ଏହି ବିଷୟ ଆଧାରରେ ଗବେଷଣା ଆରମ୍ଭ କରିଛି । ଏଥିସହ ଏକ କାନାଡିଆନ ସଂସ୍ଥା ମଧ୍ୟ ସମାନ ମନ୍ତବ୍ୟ ଦେଇ କହିଥିଲା କି ଏହି ତଥ୍ୟକୁ ନେଇ କ୍ଲିନିକାଲ ଟେଷ୍ଟିଂ ଆରମ୍ଭ ହୋଇଛି ।
ଜିଓଥ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଫର ବାୟୋକେମିଷ୍ଟ୍ରି 2ରେ ବିକଶିତ ଏହି ତଥ୍ୟକୁ ନେଇ ଉଭୟ ୟୁନିଭର୍ସିଟିର ଗବେଷକମାନେ ଏକାଠି ଦର୍ଶାଇଛନ୍ତି କି SARS-CoV-2 ସଂକ୍ରମଣ ମଣିଷ ଶରୀରରେ କୋଷ ସଂରଚନାରେ କିପରି ପରିବର୍ତ୍ତନ ଆଣିଥାଏ । ସେମାନେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ମାସ ସ୍ପେକ୍ଟ୍ରୋମେଟ୍ରି ବା ମେପ୍ରୋଡ ପ୍ରକ୍ରିୟାର ବ୍ୟବହାର କରିଥାଆନ୍ତି । ଏହି ପ୍ରକ୍ରିୟା କିଛି ମାସ ତଳେ ଗବେଷକମାନେ ସନ୍ଧାନ କରିଥିବା ବେଳେ ଏହା ଦ୍ବାରା ଗୋଟିଏ କୋଷ ମଧ୍ୟରେ ଶହ ଶହ ପ୍ରୋଟିନ କଣିକାର ସଂଶ୍ଲେଷଣ ପ୍ରକ୍ରିୟା ସ୍ପଷ୍ଟ ଭାବେ ଜାଣି ହୁଏ ।
ସେପଟେ ମେପ୍ରୋଡ ପ୍ରକ୍ରିୟା ଦ୍ବାରା ସମ୍ଭବ ହୋଇଥିବା ଅନୁସନ୍ଧାନ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ସନ୍ଧାନ କେତେ ସକ୍ଷମ ତାହା ପ୍ରକାଶ କରିଛନ୍ତି ଅଧ୍ୟୟନର ମୁଖ୍ୟ ପ୍ରକାଶକ ଗୋଏଥ ୟୁନିଭର୍ସିଟିର କ୍ରିଷ୍ଟିଆନ ମଞ୍ଚ । ସେ ଏହା ମଧ୍ୟ କହିଛନ୍ତି କି ଏହି ପ୍ରକ୍ରିୟା କୋଷ ପରମ୍ପରା ଆଧାରିତ ହୋଇଥିବା ବେଳେ ଏଥିରେ ଆଗକୁ ଆହୁରି ଅନୁସନ୍ଧାନର ଆବଶ୍ୟକତା ରହିଛି ।