ହାଇଦ୍ରାବାଦ: ରସୁଣକୁ ସାଧାରଣତଃ ଆମେ ରୋଷେଇ ଘରେ ବ୍ୟବହାର କରିଥାଉ । ତରକାରୀରେ ଏହା ମସଲା ଭାବେ ବ୍ୟବହାର କରାଯାଉଥିବା ବେଳେ ଆୟୁର୍ବେଦରେ ରସୁଣକୁ ମହୋଷୌଧୀ ଭାବେ ଗ୍ରହଣ କରାଯାଏ । କାରଣ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଯେପରିକି ଆଣ୍ଟିସେପ୍ଟିକ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଭାଇରାଲ ଓ ଆଣ୍ଟି ଫଙ୍ଗଲ ଭଳି ଗୁଣ ଏଥିରେ ଭରପୁର ରହିଛି । ଆୟୁର୍ବେଦରେ ରସୁଣ ଦ୍ବାରା ଅନେକ ରୋଗର ଚିକିତ୍ସା କରାଯାଇଥାଏ । ତେବେ ଏହାକୁ କଞ୍ଚା, ଭଜା କରି ଖାଉଥିବାବେଳେ ଏହା ପାଟିକୁ ଟିକେ କଡା ଲାଗିଥାଏ ଆଉ ଏହାର ବାସ୍ନା ମଧ୍ୟ ଟିକେ ଅଡୁଆ ଲାଗିଥାଏ। ତେଣୁ ଏହାକୁ ଆଚାର କରି ଖାଇବା ବେଶ ସହଜ ହୋଇଥାଏ।
ରସୁଣର ଆଚାର ଆମ ସ୍ବାସ୍ଥ୍ୟ ପ୍ରତି ବେଶ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ବାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ ଫିଲଟର ହୋଇଥାଏ । ଯାହାଦ୍ବାରା ଫୁଡ ପଏଜନ, ଗ୍ୟାସ, ବଦହଜମୀ ଓ ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଏହି ଆଚାରରେ ଅଧିକ ମାତ୍ରାରେ ବିଟା କୈରାଟିନ ରହିଛି, ଯାହା ଆଖି ପାଇଁ ବେଶ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା ରସୁଣ ଆଚାରର ଫାଇଦା ବିଷୟରେ ।
ରସୁଣ ସେବନ ଦ୍ବାରା ଗଣ୍ଠି ରୋଗ, ଜଏଣ୍ଟ ପେନ, ସାଇଟିକା ବଥା, ଅସ୍ଥିରେ ବ୍ୟଥା ଓ ଶରୀରର ସମସ୍ତ କଷ୍ଟ ଓ ବ୍ୟଥା ଦୂର ହୋଇଥାଏ । ଏଥିପାଇଁ ରସୁଣ ଆଚାର ରାମବାଣ ସଦୃଶ। ଡାଇବେଟିସ ରୋଗୀଙ୍କ ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ । କାରଣ ଏହାର ଆଚାରରେ ପ୍ରାକୃତିକ ଇନସୁଲିନ ରହିଥାଏ ।ଯାହା ବ୍ଲଡସୁଗାରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ।
ହୃତଘାତ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ। ବ୍ଲଡ ସର୍କ୍ୟୁଲେସରେ ଆସୁଥିବା ସମସ୍ତ ପ୍ରକାର ବ୍ଲକେଜକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ । ଅତ୍ୟଧିକ ମସଲା ଜାତୀୟ ଖାଦ୍ୟ ଖାଇବା ସହ, ସିଗାରେଟ ପିଇବା ଓ ମଦ ପିଇବା ଦ୍ବାରା ଲିଭରକୁ ଅନେକ କ୍ଷତି ପହଞ୍ଚିଥାଏ । କିନ୍ତୁ ରସୁଣ ଆଚାର ସେବନ କରିବା ଦ୍ବାରା ଏହା ଲିଭରର କ୍ଷମତା ଶକ୍ତିକୁ ବୃଦ୍ଧି କରାଇଥାଏ। ଏହା ଇମ୍ୟୁନ ସିଷ୍ଟମକୁ ମଧ୍ୟ ବୃଦ୍ଧି କରାଇଥାଏ। ଥଣ୍ଡା, କାଶ, ଛିଙ୍କ ଆଦି ରୋଗ ପାଇଁ ଏହା ଅତ୍ୟଧିକ ଲାଭପ୍ରଦ। ଏହାକୁ ଖାଇବା ଦ୍ବାରା ଶରୀରକୁ ଥଣ୍ଡାରୁ ଆରାମ ମିଳିଥାଏ।
ତେବେ ଏହାକୁ ଗରମ ଦିନରେ ସେବନ କରନ୍ତୁ ନାହିଁ। ଏହାର ବ୍ୟବହାର କମ କରିଦିଅନ୍ତୁ କାରଣ ଏହା ଶରୀରକୁ ଗରମ କରିଥାଏ । ଆଉ ଗରମ ଦିନରେ ଖାଇବା ଦ୍ବାରା ଅନେକ ପ୍ରକାର ଅସୁବିଧା ଦେଖାଯାଇଥାଏ । ପେଟ ଗରମ, ବାନ୍ତି, ପରିସ୍ରାରେ ମଧ୍ୟ ଅସୁବିଧା ଦେଖାଯାଇଥାଏ । ତେଣୁ ଏହାକୁ ଶୀତ ଆଉ ବର୍ଷା ଦିନରେ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।