ହାଇଦ୍ରାବାଦ:ଏନକାଉଣ୍ଟରରୁ ଆରମ୍ଭ, ଏନକାଉଣ୍ଟରରେ ଶେଷ । ୟୁପି ପୋଲିସର ନିଦ ହଜାଇଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେର ଖେଳ ଖତମ୍ । ମଧ୍ୟପ୍ରଦେଶରୁ କାନପୁର ଆସିବା ବାଟରେ ବାରା ଅଞ୍ଚଳରେ ଓଲଟି ପଡିଥିଲା କନଭେର ଗାଡି । ଏହି ସମୟରେ ପୋଲିସଙ୍କୁ ଆକ୍ରମଣ କରି ଖସିଯିବା ବେଳେ ବିକାଶକୁ ଏନକାଉଣ୍ଟର କଲା ଏସଟିଏଫ୍ । ପରେ କାନପୁର ହସ୍ପିଟାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ମୃତ ଘୋଷଣା କଲେ ଡାକ୍ତର । ଆଉ ଏହି ଏନକାଉଣ୍ଟର ପରେ ୟୁପି ପୋଲିସକୁ କିଏ ବାଃ ବାଃ କରୁଛି, ତ କିଏ ଏନକାଉଣ୍ଟରକୁ ନେଇ ଛିଡା କରଛି ନାନାଦି ପ୍ରଶ୍ନ । ଦୁବେ ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରି ଚାପ୍ଟର କ୍ଲୋଜ କରିବାକୁ ପୋଲିସର ଏହା ଯୋଜନାବଦ୍ଧ ଷଡଯନ୍ତ୍ର କି ? ନାଁ ଦୁବେର ଅସାଧୁ ସଙ୍ଗଠନରେ ସାମିଲ ଥିଲେ ରାଜନେତା ଓ ବଡ ବଡ ପୋଲିସ ବାବୁ । କଣ ଏସବୁ ପର୍ଦ୍ଦାଫାସ ହେବା ଭୟରେ କ୍ରିମିନାଲ ବିକାଶକୁ ସବୁଦିନ ପାଇଁ ସଫା କରିଦିଆଗଲା ରାସ୍ତାରୁ । ତେବେ କାହିଁକି କୁଖ୍ୟାତ୍ ଅପରାଧୀକୁ ବିନା ସୁରକ୍ଷାରେ ଅଣାଯାଉଥିଲା ? ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ସ୍କୁଲ କ୍ୟାରିୟରରେ ହେଡମାଷ୍ଟରଙ୍କୁ ହତ୍ୟା କରିଥିବା ବିକାଶ ଦୁବେ ଉତ୍ତରପ୍ରଦେଶ ପୋଲିସର ୱାଣ୍ଟେଡ ଲିଷ୍ଟର ଟପରେ ଥିଲା । 60ରୁ ଊର୍ଦ୍ଧ୍ବ ଅପରାଧୀକ ମାମଲାରେ ସାମିଲ ଥିବା ବିକାଶ ପୋଲିସ ଆଗରେ ଛିଡା କରିଥିଲା ବଡ ଚ୍ୟାଲେଞ୍ଜ । ନିକଟରେ ବିକାର ଗାଁରେ ତାର ସାମ୍ରାଜ୍ୟ ଉପରେ ରେଡ୍ ସମୟରେ 8 ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ବିକାଶ ଓ ତାର ସହଯୋଗୀ । ଆଉ ଏହାପରେ କାଠଗଡାରେ ଛିଡା ହୋଇଥିଲା ୟୁପି ପୋଲିସ । ଜଣେ କୁଖ୍ୟାତ୍ ଅପରାଧୀ କିପରି ରେଡ୍ ସମୟରେ 8 ପୋଲିସ କର୍ମଚାରୀଙ୍କୁ ହତ୍ୟା କଲା ତାହାର ସରଜମିନ ଖୋଳଡାଡ ପାଇଁ ପୋଲିସ ଉପରେ ପଡିଥିଲା ପବ୍ଲିକ୍ ପ୍ରେସର । ରେଡର ସୁରାକ୍ କେମିତି ପାଇଲା ବିକାଶ ? ତାର ସିଣ୍ଡିକେଟ ସହିତ କିଏ ଥିଲା ସାମିଲ ଏହାର ଛାନଭିନ ପାଇଁ ମିଶନ ଲଞ୍ଚ କରିଥିଲା ୟୁପି ପୋଲିସ ।