ଲକ୍ଷ୍ନୌ: ଦେଶରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା । ହାଥରସର ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଇତିମଧ୍ୟରେ ଉତ୍ତରପ୍ରଦେଶରେ ଅନେକ ନୂଆ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ବୁଧବାର ଉତ୍ତରପ୍ରଦେଶ କାନପୁରର ବର୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ହୋଟେଲ ରୁମରେ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରିଛି ।
ପୀଡ଼ିତାଙ୍କ କହିବାନୁଯାୟୀ, ତାଙ୍କ ସାଙ୍ଗ ତାଙ୍କୁ ପାର୍ଟି ବାହାନାରେ ବର୍ରା ଅଞ୍ଚଳର ସୋନା ମ୍ୟାନସନ୍ ହୋଟେଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ନିଶା ପାନୀୟ ପିଆଇଥିଲେ । ଯାହାଫଳରେ ଯୁବତୀ ଜଣକ ଅଚ଼େତ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ହୋଟେଲ ମଧ୍ୟରେ ଦୁଇ ଯୁବକ ଆଶିଷ ଓ ଅଭିଷେକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ସେ ଯେତେବେଳେ ପୋଲିସ ଷ୍ଟେସନରେ ଏ ସଂପର୍କରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ, ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ତାଙ୍କୁ ହିଁ ଦୋଷୀ ମାନିଥିଲା ।