ହାଇଦ୍ରାବାଦ: କର୍ମ ହିଁ ଭଗବାନ । ପ୍ରକୃତରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଦେଖିଲେ ତାହା ସ୍ପଷ୍ଟ ଅନୁମେୟ ହୁଏ । ମହାତ୍ମା ଗାନ୍ଧୀ ଜଣେ ପ୍ରୟୋଗାତ୍ମକ ବ୍ୟକ୍ତି ଥିଲେ । ସେ ଯାହା କହୁଥିଲେ ତାହା କରୁଥିଲେ । ପ୍ରଥମେ ଅନ୍ୟକୁ କହିବା ପୂର୍ବରୁ ସେ ନିଜ ଉପରେ ତାକୁ ପ୍ରୟୋଗ କରୁଥିଲେ । ଯାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରୁଥିଲା । ଏହା ସହ ସେ ସଦାସର୍ବଦା ସତ୍ ପଥରେ ନିଜ କର୍ମ କରିବାକୁ କହୁଥିଲେ ।
ଜୀବନ ଅନେକ କଥା ଶିଖାଇଥାଏ । କାମରେ କରିଥିବା ତ୍ରୁଟି ହିଁ ଆମକୁ ନୂଆ ଶିକ୍ଷା ଦେଇଥାଏ । ତେଣୁ ପ୍ରଥମେ ସେ ଯାହା କହୁଥିଲେ ନିଜେ ତାହା କରି ସେଥିରୁ ଶିକ୍ଷା ଲାଭ କରୁଥିଲେ । ଗାନ୍ଧୀଜୀ କହୁଥିଲେ, ସେ ପ୍ରଥମରୁ ସତ୍ୟବାଦୀ ଥିଲେ କିନ୍ତୁ ଅହିଂସକ ନଥିଲେ । ନିଜ ଜୀବନରେ କରିଥିବା ତ୍ରୁଟିରୁ ହିଁ ସେ ଅନେକ କଥା ଶିକ୍ଷା ଲାଭ କରିଛନ୍ତି । ଏଥିସହ ସତ୍ୟ ଓ ଅହିଂସା ଆଦିମ କାଳରୁ ରହିଛି । ମୁଁ କିଛି ଦୁନିଆକୁ ନୂଆ କଥା କହୁନି ବୋଲି ମହାତ୍ମା କହୁଥିଲେ । ତେବେ ସତ୍ୟରୁ ବଳି କିଛି ଧର୍ମ ନାହିଁ ଓ ଅହିଂସା ହିଁ ସବୁଠୁ ବଡ କର୍ତ୍ତବ୍ୟ ବୋଲି ସେ ମାନୁଥିଲେ ।
ଗାନ୍ଧୀବାଦକୁ ଲୋକଦେଖାଣିଆ ପ୍ରଚାର କରି ତାଙ୍କର ତାରିଫ କରିବା ପାଇଁ ପ୍ରୟାସ କରିବାକୁ ଗାନ୍ଧୀ ବିରୋଧ କରୁଥିଲେ । ଏନେଇ ତାଙ୍କ ଆଶ୍ରମରେ ଥିବା ଶିଷ୍ୟଙ୍କୁ ସେ କହୁଥିଲେ, ଗାନ୍ଧୀବାଦ ବୋଲି କିଛି ନାହିଁ । ଏହାକୁ ପ୍ରସାର କରିବା ପାଇଁ କୌଣସି ଉପାୟ କରାନଯାଉ । ଯେଉଁ ଲୋକମାନେ ମୋ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ସେମାନେ ହିଁ ତାକୁ କର୍ମରେ ପରିଣତ କରିପାରିଲେ ତାହା ପ୍ରକୃତ ପ୍ରସାର ହେବ ବୋଲି ସେ କହୁଥିଲେ ।
ସତ୍ୟାଗ୍ରହ ଅବା ସର୍ବୋଦୟ, ସତ୍ୟ ଅବା ଅହିଂସା ଯାହା ସେ କରିବା ପାଇଁ ଭାବୁଥିଲେ ପ୍ରଥମେ ସେ ତାକୁ ନିଜେ ପ୍ରୟୋଗ କରୁଥିଲେ । ତାଙ୍କ ପାଇଁ ବିଜ୍ଞାନ ଓ ଧର୍ମ ଉଭୟ ସମାନ ଥିଲା । ସେ ସଦାସର୍ବଦା ମସ୍ତିଷ୍କକୁ ଶାନ୍ତ ରଖିବାକୁ କହୁଥିଲେ । ଶାନ୍ତ ମନରେ ସବୁକିଛି ସମ୍ଭବ ହେବ ବୋଲି ସେ ମାନୁଥିଲେ । ଏହାସହ ମନକୁ ସଂଯମ ରଖିଲେ ମନୁଷ୍ୟର ବିକାଶ ସମ୍ଭବ ବୋଲି ଗାନ୍ଧୀ କହୁଥିଲେ । ଏହା ସହ ସେ ତ୍ୟାଗକୁ ବି ଗୁରୁତ୍ବ ଦେଉଥିଲେ ।