ହାଇଦ୍ରବାଦ: ଆଜି ହେଉଛି ବନ୍ଧୁତ୍ବ ଦିବସ । ବନ୍ଧୁମାନଙ୍କର ଗୁରୁତ୍ବକୁ ମନେ ପକାଇବା ପାଇଁ ଆମେ ଏହି ଦିବସଟିର ଅବତାରଣା କରିଆସୁଛେ । ବନ୍ଧୁ ଓ ବନ୍ଧୁତ୍ବର କଥା କେବଳ ବର୍ତ୍ତମାନ ସମୟରେ ନୁହେଁ ପୌରାଣିକ ଘଟଣାବଳୀରେ ଦେଖିବାକୁ ମିଳେ । ସେହି ଘଟଣା ସମୂହ ମଧ୍ୟରୁ କୃଷ୍ଣ-ସୁଦାମାଙ୍କ ଉପାଖ୍ୟାନ ବେଶ ଚର୍ଚ୍ଚିତ ଓ ଆବେଗପୂର୍ଣ୍ଣ । ତାହାକୁ ଏଠାରେ ଉପସ୍ଥାପିତ କରୁଛୁ ।
ମହାଭାରତର କଥା । ସେ ସମୟରେ ଗୁରୁକୁଳ ପ୍ରଥା ପ୍ରଚଳିତ ଥିଲା । ଗୁରୁ ଗୃହରେ ରାଜପୁତ୍ର ଠାରୁ ଆରମ୍ଭ କରି ସାଧାରଣ ଲୋକର ପୁଅ ପର୍ଯ୍ୟନ୍ତ ଶିଷ୍ୟମାନେ ବିଦ୍ୟା ଅଧ୍ୟୟନ କରୁଥିଲେ । ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ମଧ୍ୟ ଅନେକ ଶିଷ୍ୟ ଅଧ୍ୟୟନରତ ଥିଲେ । ସେହି ଶିଷ୍ୟମାନଙ୍କ ମଧ୍ୟରୁ କୃଷ୍ଣ ଓ ସୁଦାମା ଅନ୍ୟତମ ଥିଲେ । ସୁଦାମା ଜଣେ ଦରିଦ୍ର ଘରର ସନ୍ତାନ ହୋଇଥିବାବେଳେ କୃଷ୍ଣ ରାଜପୁତ୍ର ଥିଲେ । ଗୁରୁ ଗୃହରେ କୌଣସି ବାଛ ବିଚାର ନ ଥିବାରୁ ଉଭୟେ ଏକା ସାଙ୍ଗରେ ଚଳୁଥିଲେ ।
କୃଷ୍ଣ ରାଜପୁତ୍ର ଥିବାରୁ ସୁଦାମା ବେଶ ସନ୍ତର୍ପଣରେ ଚଳନ୍ତି । ଘରୁ କିଛି ଖୁଦ ଭଜା ଆସିଥିଲେ ସେ ଲୁଚେଇ ଖାଆନ୍ତି। କାରଣ କୃଷ୍ଣ ରାଜପୁତ୍ର, ସେ ଏପରି ଖାଦ୍ୟ ଖାଇପାରିବ ନାହିଁ ବୋଲି ସୁଦାମା ବିଶ୍ବାସ କରନ୍ତି । ତେଣୁ ସେ କୃଷ୍ଣକୁ କିଛି ଦିଅନ୍ତିନି । ଏକଦା ସୁଦାମା ଲୁଚେଇ ଖୁଦ ଭଜା ଖାଉଥିଲେ । ଠିକ ସେତିକି ବେଳେ କୃଷ୍ଣ ତାଙ୍କ ପଛରୁ ଆସି ଖୁଦରୁ ମୁଠେ ଝାମ୍ପି ନେଇ ପାଟିରେ ପକାଇଦେଲେ । କହିଲେ ଆରେ ଏତ ଭଲ ଲାଗୁଛି । ତୁ ମୋତେ ନ ଦେଇ ଖାଉଛୁ? ଏହାପରେ ସୁଦାମା ଖୁଦ ଗାମୁଛାକୁ ଛଡାଇ ନେଇ ଚାଲିଗଲେ । ସେହି ସମୟରେ କୃଷ୍ଣ କଥା ଛଳରେ କହିଲେ, ମୋତେ ଖୁଦ ଭଜା ଦେଉନୁ ତ ହଉ ।
ପରେ ଅନେକ ବର୍ଷ ବିତି ଯାଇଛି । ସମୟ ଚକ୍ରରେ କୃଷ୍ଣ ଦ୍ବାରକାର ଅଧୀଶ୍ବର ହୋଇଛନ୍ତି । ଏକଦା କୃଷ୍ଣ ସୁଦାମାର କଥା ଚିନ୍ତା କରୁଥାନ୍ତି । ପାଟରାଣୀ ସତ୍ୟଭାମା ତାଙ୍କ ଭାବନାର କାରଣ ପଚାରିଥିଲେ । ସେ ନିଜର ପ୍ରିୟ ସଖାଙ୍କ ଦୁରାବସ୍ଥା କଥା ଚିନ୍ତା କରୁଥିବା କଥା ପ୍ରକାଶ କରିଥିଲେ । ସତ୍ୟଭାମା ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆଣିବାକୁ କିଛି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । କୃଷ୍ଣ ଉତ୍ତରରେ କହିଥିଲେ, ସେ ମୋର ସଖା, ସେ ଯଦି ମୋ ପାଖକୁ ଆସିବେ ତ ମୁଁ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବି । ଅନ୍ୟପଟରେ ସୁଦାମା ମଧ୍ୟ ନିଜର ପ୍ରିୟ କୃଷ୍ଣଙ୍କ କଥା ଭାଳୁଥାନ୍ତି । ନିଜର ଦାରିଦ୍ର୍ୟ କାରଣରୁ କୃଷ୍ଣଙ୍କୁ ଭେଟିବାକୁ ନାରାଜ ହେଉଥାନ୍ତି । କିଛି ଭେଟି ଦେବାର ଅକ୍ଷମତା କୃଷ୍ଣଙ୍କୁ ଭେଟିବାର ଇଚ୍ଛାକୁ ମାରିଦେଉଥାଏ । ତଥାପି ପତ୍ନୀଙ୍କ ସହାୟତାରେ ଉଧାର ଆସିଥିବା ଖୁଦ ଦ୍ବାରା ପ୍ରସ୍ତୁତ ଖୁଦ ଭଜାକୁ ନେଇ ସେ ନିଜ ବନ୍ଧୁକୁ ଭେଟିବାକୁ ବାହାରିଥିଲେ ।