ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ 11ଟା ସମୟରେ ଦିଲ୍ଲୀରେ ସମାଜବାଦୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟସଭା ସଦସ୍ୟ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ। କିଡନୀ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଶନିବାର ସିଙ୍ଗାପୁରରେ ସେ ପ୍ରାଣତ୍ୟାଗ କରିଥିଲେ। ଏହାପରେ ଅମର ସିଂଙ୍କ ମୃତଦେହକୁ ରବିବାର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା।
ସିଂହଙ୍କ ମୃତଦେହ ସନ୍ଧ୍ୟା ପ୍ରାୟ 6 ଟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲା ଏବଂ ସେଠାରୁ ଦିଲ୍ଲୀର ଛତ୍ରପୁରସ୍ଥିତ ତାଙ୍କ ଫାର୍ମହାଉସକୁ ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସିଂଙ୍କ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁମାନେ ଦିଲ୍ଲୀରେ ପହଞ୍ଚିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ଜାଣିବାକୁ ମିଳିଛି ଯେ ସିଂହଙ୍କ ପତ୍ନୀ ପଙ୍କଜା ଏବଂ ତାଙ୍କର ଯାଆଁଳା ଝିଅ ସିଙ୍ଗାପୁରର ଡାକ୍ତରଖାନାରେ ଉପସ୍ଥିତ ଥିଲେ।
ସିଂହ ଗତ କିଛି ମାସ ଧରି କିଡନୀ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହୋଇଥିଲେ ଏବଂ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଏହା ପୂର୍ବରୁ 2011ରେ କିଡନୀ ପ୍ରତିରୋପଣ କରିଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଛତ୍ରପୁରରେ ଥିବା ତାଙ୍କ ବାସଭବନରେ ଅମର ସିଂଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ସିଂ କହିଛନ୍ତି ଯେ ସେ ଅମର ସିଂଙ୍କୁ 24-25 ବର୍ଷ ଧରି ଜାଣିଥିଲେ ଏବଂ ସ୍ୱର୍ଗତ ରାଜ୍ୟସଭା ସାଂସଦଙ୍କୁ 'ବନ୍ଧୁଙ୍କ ବନ୍ଧୁ' ବୋଲି କହିଥିଲେ।
ମାର୍ଚ୍ଚରେ ସିଂହ ହସ୍ପିଟାଲ ବେଡରୁ ଟ୍ୱିଟରରେ ଏକ କ୍ଷୁଦ୍ର ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ ଯେଉଁଥିରେ ସେ କୋରୋନାଭାଇରସ ବିରୋଧରେ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବାକୁ ତାଙ୍କର ସମସ୍ତ ଅନୁଗାମୀଙ୍କୁ ନିବେଦନ କରିଥିଲେ। ଭିଡିଓ ସହିତ ପୋଷ୍ଟ ହୋଇଥିବା ତାଙ୍କ କ୍ଷୁଦ୍ର ବାର୍ତ୍ତାରେ ସେ ''ଟାଇଗର ଜିନ୍ଦା ହେ''ବୋଲି ଲେଖିଥିଲେ।
ତାଙ୍କର ଦେହାନ୍ତ ଖବର ଆସିବା ପରେ ଶ୍ରଦ୍ଧାଞ୍ଜଳି ଏବଂ ସମବେଦନା ବାର୍ତ୍ତା ଛୁଟିବାକୁ ଲାଗିଥିଲା। ବହୁ ବରିଷ୍ଠ ରାଜନୈତିକ ନେତା ଏବଂ ତାଙ୍କ ବଲିଉଡ ସାଥୀମାନେ ସମବେଦନା ଜଣାଇବା ସହ ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ।