ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି 19 ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ଚାଷୀମାନେ କ୍ରମାଗତ ସରକାରଙ୍କ ଉପରେ ଚାପ ପକାଇବାକୁ ଜାରି ରଖିଛନ୍ତି ପ୍ରଦର୍ଶନ । ସେପଟେ ଆନ୍ଦୋଳନରତ ଚାଷୀଙ୍କ ପ୍ରଦର୍ଶନ ଶେଷ କରିବାକୁ ସକାରାତ୍ମକ ସନ୍ଦେଶ ଦିଆଯାଉଛି । ଏହାରି ମଧ୍ୟରେ ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏନେଇ କ୍ରମାଗତ ତାଙ୍କ କଡା ସମାଲୋଚନା କରାଯାଉଛି ।
ଗୋଟିଏ ପକ୍ଷେ ଚାଷୀ ଆନ୍ଦୋଳନ ସମର୍ଥନରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଭାରତ ସରକାର କଡା ପ୍ରତିକ୍ରିୟା ଦେଇସାରିଥିବା ବେଳେ ଏବେ ଭାରତର ପୂର୍ବତନ ରାଷ୍ଟ୍ରଦୂତମାନେ ମଧ୍ୟ ତାଙ୍କ ନାଁରେ ଲେଖିଛନ୍ତି ଖୋଲା ଚିଠି । ଏଥିରେ କାନାଡାରେ ନିଯୁକ୍ତ ପୂର୍ବତନ ଭାରତୀୟ ହାଇକମିସନର ବିଷ୍ଣୁପ୍ରକାଶ ମଧ୍ୟ ସାମିଲ ରହିଛି । ତେବେ ଏହା କାନାଡାରେ ଭୋଟ ବ୍ୟାଙ୍କ୍ର ରାଜନୀତି ବୋଲି ଏହି ଚିଠିରେ ଲେଖା ହୋଇଛି ।