ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଏବଂ ମେହବୁବା ମୁଫ୍ତିଙ୍କ ପରେ ପୂର୍ବତନ ଆଇଏଏସ ଶାହ ଫୈସଲଙ୍କ ବିରୋଧରେ ଲାଗିଲା ପିଏସଏ (ସାଧାରଣ ନିରାପତ୍ତା ଆଇନ)। ଜମ୍ମୁ-କାଶ୍ମୀର ପ୍ରଶାସନ ଶନିବାର ଫୈସଲଙ୍କ ବିରୋଧରେ ପିଏସଏ ଲାଗୁ କରିଛନ୍ତି । ଆଇଏଏସ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରିଥିବା ଫୈସଲ ଜମ୍ମୁ ଆଣ୍ଡ କାଶ୍ମୀର ପିପୁଲ୍ସ ମୁଭମେଣ୍ଟର ଅଧ୍ୟକ୍ଷ ଅଟନ୍ତି ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଶାହ ଫୈସଲଙ୍କୁ ଅଗଷ୍ଟ 14 ତାରିଖରେ ସିଆରପିସିର ଧାରା 107 ଅଧିନରେ ହେପାଜତକୁ ନିଆଯାଇଥିଲା । ଫୈସଲ ବିଦେଶ ଗସ୍ତ କରୁଥିବା ସମୟରେ ପୋଲିସ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହାପରେ ଫୈସଲଙ୍କୁ ଶ୍ରୀନଗରର ବିଧାୟକ ହଷ୍ଟେଲରେ ନଜରବନ୍ଦୀ ଭାବରେ ରଖାଯାଇଥିଲା । ତେବେ ପିଏସଏ ଲାଗୁ ହେବାପରେ ଫୈସଲଙ୍କୁ ତାଙ୍କ ଘରେ ସ୍ଥାନାନ୍ତରଣ କରାଯିବ ନା ହଷ୍ଟେଲରେ ହିଁ ରଖାଯିବ, ସେ ନେଇ ଏବେ ସୁଦ୍ଧା ନିଷ୍ପତ୍ତି ନିଆଯାଇନାହିଁ ।