ନୂଆଦିଲ୍ଲୀ: ‘ପ୍ରିୟ ପ୍ରଧାନ ମନ୍ତ୍ରୀ ଜୀ ଆପକୋ ହାର୍ଦ୍ଦିକ ଅଭିନନ୍ଦନ । ମେଁ ଅପନେ ଜୀବନ ମେଁ ଇସ୍ ଦିନ କୋ ଦେଖନେ କି ପ୍ରତୀକ୍ଷା କର୍ ରହି ଥୀ ।’
ଏ ଥିଲା ସୁଷମାଙ୍କ ଶେଷ ବାର୍ତ୍ତା । ଜମ୍ମୁ କାଶ୍ମୀରରୁ ଧାରା 370 ଓ 35(କ) ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି ଏପରି ନିଜ ଶେଷ ବାର୍ତ୍ତା ଦେଇଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ।
ଫଟୋ ସୌଜନ୍ୟ: @SushmaSwaraj ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ସୁଷମାଙ୍କ ଏପରି ବାର୍ତ୍ତା ଭାବୁକ କରିଛି ସାରା ଦେଶବାସୀଙ୍କୁ । ଏହି ଟ୍ବିଟ ଦେଖିଲେ ଆପେ ଆପେ ଆଖିରୁ ଝରି ଆସୁଛି ଅଶ୍ରୁର ଧାରା । ସୁଷମା ଯେ ଏତେ ଶୀଘ୍ର ଇହ ଧାମ ଛାଡି ଚାଲିଯିବେ ତାହା କେବେ କେହି କଳ୍ପନା କରିନଥିଲେ, ଆଉ ଏହି ଦୁଃଖଦ ଖବର ଶୁଣି ସାରା ଦେଶ ସ୍ତବ୍ଧ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ସୁଷମା ସ୍ବରାଜ । ଆଉ କିଛି ସମୟ ପରେ 67 ବର୍ଷ ବୟସରେ ତାଙ୍କ ପ୍ରିୟ ଜନ୍ମଭୂମିରୁ ବିଦାୟ ନେଇଛନ୍ତି ଏହି ମହିୟଷୀ ମହିଳା ।
ଫଟୋ ସୌଜନ୍ୟ: @narendramodi
ସେପଟେ ସୁଷମାଙ୍କ ନିଧନ ଖବରରେ ମ୍ରିୟମାଣ ପ୍ରଧାନମନ୍ତ୍ରୀ ଭାବୁକ ହୋଇଯାଇଛନ୍ତି । ଟ୍ବିଟ କରି କହିଛନ୍ତି ସୁଷମାଙ୍କ ନିଧନ ଖବର ମୋ ପାଇଁ ବ୍ୟକ୍ତିଗତ ଭାବେ ଅପୂରଣୀୟ କ୍ଷତି । ଏହାସହ ସୁଷମାଙ୍କୁ ଦେଶର ସବୁ କ୍ଷେତ୍ର ପାଇଁ ମନେ ରଖାଯିବ । ଏହି ଦୁଃଖଦ ସମୟରେ ମୁଁ ସୁଷମାଙ୍କ ପରିବାର, ସମର୍ଥକ ଓ ପ୍ରଶଂସକଙ୍କ ସହ ଅଛି ।
ଆଉ ଏକ ଟ୍ବିଟ କରି ମୋଦି କହିଛନ୍ତି ମୁଁ ବିଗତ ପାଞ୍ଚ ବର୍ଷ କେବେ ଭୁଲି ପାରିବି ନାହିଁ । ଯେଉଁ ସମୟରେ ଆମ ସରକାରରେ ସୁଷମା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦାୟିତ୍ବ ତୁଲାଇ ଥିଲେ । କଠୋର ପରିଶ୍ରମ କରି ବିଦେଶରେ ଥିବା ସମସ୍ତ ଭାରତୀୟଙ୍କ ପାଇଁ ସେ କାର୍ଯ୍ୟ କରିଥିଲେ । ନିଜ ଅସୁସ୍ଥତା ସତ୍ତ୍ବେ ସୁଷମା ଦେଶ ପାଇଁ ପ୍ରତ୍ୟେକ ସମୟ ଦେଇଛନ୍ତି । ତାଙ୍କ ପରଲୋକରେ ଦେଶ ପାଇଁ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି, ତାହା ପୂରଣ କରିବା ସମ୍ଭବ ନୁହେଁ ବୋଲି ମୋଦି କହିଛନ୍ତି ।