ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ସୀମା ବିବାଦର ସମାଧାନ ପାଇଁ ମେ ମାସ ଆରମ୍ଭରୁ ଅନେକ ରାଉଣ୍ଡ ଆଲୋଚନା ଚାଲିଛି । ଇତିମଧ୍ୟରେ ଲଦାଖ ସୀମାରେ ଆଉ ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା । ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ଗତ ୨୯ ଓ ୩୦ ତାରିଖ ମଧ୍ୟରାତ୍ରିରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ। ଯାହାଫଳରେ ଉଭୟ ଦେଶ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ତେବେ ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା । ସେ ଏହି ପରିସ୍ଥିତିକୁ ଏକ 'ଅପ୍ରତ୍ୟାଶିତ' ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି।
ଚୀନ ସହ ବିବାଦକୁ ଅପ୍ରତ୍ୟାଶିତ କହିଲେ ବୈଦେଶିକ ସଚିବ - ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା
ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା । ସେ ଏହି ପରିସ୍ଥିତିକୁ ଏକ 'ଅପ୍ରତ୍ୟାଶିତ' ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି।
ଏନେଇ ବୈଦେଶିକ ସଚିବ କହିଛନ୍ତି, ଏହା ଏକ ଅପ୍ରତ୍ୟାଶିତ ପରିସ୍ଥିତି । 1962 ପରଠାରୁ ଏଭଳି ପରିସ୍ଥିତି କେବେ ହୋଇ ନାହିଁ । ପ୍ରଥମ ଥର ପାଇଁ ଆମେ ଆମର ସୈନିକମାନଙ୍କୁ ହରାଇଛୁ । ଗତ 40 ବର୍ଷ ମଧ୍ୟରେ ଏଭଳି କେବେ ହୋଇନଥିଲା ବୋଲି ସେ କହିଛନ୍ତି ।
ଇଣ୍ଡିଆନ କାଉନ୍ସିଲ ଫର ୱାର୍ଲ୍ଡ ଆଫେୟାର୍ସ (ଆଇସିଡବ୍ଲୁଏ) ୱେବିନାରରେ ବୈଦେଶିକ ସଚିବ କହିଛନ୍ତି, ଆମର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତା ସହ କୌଣସି ସାଲିସ କରାଯିବ ନାହିଁ । ଏକ ଦାୟିତ୍ବବାନ ରାଷ୍ଟ୍ର ଭାବରେ ଆମେ ସବୁବେଳେ କଥା ହେବାକୁ ଇଚ୍ଛୁକ । ଯୋଗାଯୋଗ ପାଇଁ ଆମ ଦ୍ବାର ଖୋଲା ଅଛି ବୋଲି ସେ କହିଛନ୍ତି । ଚୀନ ଏବଂ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି ଶ୍ରୀଙ୍ଗଲା କହିଛନ୍ତି, ଆମର ସମସ୍ତ ପଡୋଶୀ କ୍ରମାଗତ ଭାବରେ 'ସାଉଥ୍ ଏସିଆନ୍ ଆସୋସିଏସନ୍ ଫର୍ ରିଜିଓନାଲ୍ କୋଓପରେସନ୍ (ସାର୍କ) କୁ ଏହାର ସମସ୍ତ ଗଠନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାରେ ଜଡିତ ଅଛନ୍ତି ।