ପାଟନା: ଆଖି ପିଛୁଳାକେ ଜଳି ଉଠିଲା ନୂଆଦିଲ୍ଲୀସ୍ଥିତ ଅନାଜ ମଣ୍ଡି । ସାଥୀରେ ଜଳିପୋଡି ପାଉଁଶ ହୋଇଗଲା ଅନେକ ପରିବାରର ସ୍ବପ୍ନ ଓ ଭରଣପୋଷଣର ମାଧ୍ୟମ । ଏ ଖବର ସାରା ଦେଶକୁ ଯେତିକି ବ୍ୟଥିତ କରିଛି ତାଠାରୁ ଅଧିକ ଦୁଃଖ ପହଞ୍ଚାଇଛି ବିହାରର ସହରସା ଜିଲ୍ଲା ନରିୟାର ଅଞ୍ଚଳରେ । ଅଗ୍ନିକାଣ୍ଡର ଖବର ପ୍ରକାଶ ପାଇବା ପରେ ଗାଁରେ ଖେଳିଯାଇଛି ଶୋକର ମାହୋଲ ।
କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ନିଜ ଆତ୍ମୀୟ ପରିଜନଙ୍କ ସହ ଅଗ୍ନିକାଣ୍ଡ ଘଟଣା ପରେ କୌଣସି ଯୋଗାଯୋଗ ହୋଇନପାରିବାରୁ ଆଶା ଓ ଆଶଙ୍କାରେ ଗାଁ ଲୋକେ । କିଏ ନିଜ ଏକମାତ୍ର ରୋଜଗାରିଆ ପୁଅକୁ ମନେ ପକାଉଛି ତ କିଏ ପୁଣି ମନେ ପକାଉଛି ନିଜ ଭାଇକୁ । ତେଣେ ଖବର ପାଇବା ମାତ୍ରେ ସକ୍ଷମ ଅନୁଯାୟୀ କିଛି ନିଜ ପରିବାର ଲୋକଙ୍କୁ ଫେରାଇ ଆଣିବାକୁ ପହଞ୍ଚିଛନ୍ତି ଦିଲ୍ଲୀର ଅନାଜ ମଣ୍ଡିରେ । ଆଉ କିଏ ପୁଣି ଘରେ ବସି ଗୁମୁରି କାନ୍ଦି ମନାସୁଛି ପରିବାରର ଶୁଭ ।