ନିକଟରେ ନ୍ୟୁୟର୍କ ଚିଡିଆଖାନାରେ ଗୋଟିଏ ବାଘ କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବା ଖବର ସାରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଚିଡିଆଖାନାରେ ହିଁ ଦୁଇଟି ବାଘ ଓ ତିନି ଆଫ୍ରିକୀୟ ସିଂହ ଭାଇରସ ଦ୍ବାରା ସଂକ୍ରମିତ ହେବା ବିଶ୍ବାସ କରାଯାଉଛି । ଏ ଘଟଣାକୁ ଛାଡିଦେଲେ ବୈଜ୍ଞାନିକମାନଙ୍କ ବିଶ୍ବାସ ଯେ, ଗୃହପାଳିତ ପଶୁଙ୍କଠାରୁ କୋରୋନା ସଂକ୍ରମଣ ହେବା ନେଇ କୌଣସି ପ୍ରମାଣ ନାହିଁ ।
ବିରାଡି ଓ କୁକୁରଙ୍କଠାରେ ଗୋଟିଏ ଦୁଇଟି ମାମଲାକୁ ଦେଖିଲେ ମଧ୍ୟ ଭାଇରସ, ମଣିଷଠାରୁ ହିଁ ସେମାନଙ୍କୁ ସଂକ୍ରମିତ ହୋଇଛି। ବେଲଜିୟମରେ ଗୋଟିଏ ପୋଷା ବିରାଡି କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିଲା । ସେ ବାନ୍ତି କରୁଥିଲା ଓ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିଲା । ତା ମାଲିକଠାରୁ ହିଁ ସେ କୋରୋନା ସଂକ୍ରମିତ ହୋଇଥିବା ବିଶ୍ବାସ କରାଯାଉଛି । ହଂକଂର କୃଷି ଓ ମତ୍ସ୍ୟ ପାଳନ ବିଭାଗର ତଥ୍ୟ ଅନୁସାରେ, ଏକ ଜର୍ମାନ ସେଫାର୍ଡ ଓ ଏକ ବୁଲା କୁକୁର ମଧ୍ୟ କୋରୋନା ସଂକ୍ରମିତ ହୋଇଛି ।
ପଶୁମାନଙ୍କ ଉପରେ କୋରୋନା ଭାଇରସର ପ୍ରଭାବ ଜାଣିବା ପାଇଁ ଏକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ରେହସସ୍ ମାକ୍ୟପ ନାମକ ଏକ ପ୍ରଜାତିର ମାଙ୍କଡ ଉପରେ ଏହି ପରୀକ୍ଷାନିରୀକ୍ଷା କରିବାକୁ ସଂପୃକ୍ତ ମାଙ୍କଡ ଦେହରେ କୋରୋନା ଭାଇରସ ଛଡାଯାଇଥିଲା । ଏହାପରେ ମାଙ୍କଡଟିର ଓଜନ କମିଗଲା । ଭାଇରସ ମାଙ୍କଡଟିର ନାକ, ଗଳା, ଫୁସଫୁସ ଓ ପେଟକୁ ବ୍ୟାପି ଯାଇଥିବା ନେଇ ଗବେଷକମାନେ ଲକ୍ଷ୍ୟ କରିଥିଲେ ।
ମାଙ୍କଡଟି ନିମୋନିଆର ଶୀକାର ମଧ୍ୟ ହେଲା । କେଉଁ ପଶୁ କୋରୋନା ଭାଇରସର ବାହକ ହୋଇପାରିବ, ତାହା ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥିଲା । ପୋଷା କୁକୁରଠାରୁ ମଣିଷକୁ କୋରୋନା ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନର ୱେବସାଇଟରୁ ସୂଚନା ମିଳିଥିଲା ।