ଶ୍ରୀନଗର:ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବନ୍ଦୀ ମୁକ୍ତ ହେବା ପରେ କେନ୍ଦ୍ରଶାସିତ ଅଞ୍ଚଳରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ଗୁପକାର ଘୋଷଣାର ଆଗାମୀ ରଣନୀତି ପ୍ରସ୍ତୁତ ପାଇଁ ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ବସିଛି ବଡ ବୈଠକ । ବୈଠକରେ ପିଡିପି ଅଧ୍ୟକ୍ଷ ମେହବୁବାଙ୍କ ସମେତ 6ଟି ଦଳର ନେତା ସାମିଲ ହୋଇଛନ୍ତି ।
ବୁଧବାର ଫାରୁର ଅବଦୁଲ୍ଲା ଓ ତାଙ୍କ ପୁଅ ଓମାର ଅବଦୁଲ୍ଲା ମେହବୁବାଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ 14 ମାସ ପରେ ମୁଫତିଙ୍କୁ ଗୃହବନ୍ଦୀରୁ ମୁକ୍ତି କରାଯାଇଛି ।
ଫାରୁକଙ୍କ ଘରେ ଜାରି ଏହି ବୈଠକରେ ଗୁପକାର ଚୁକ୍ତିକୁ ନେଇ ଆଲୋଚନା ହେଉଥିବା ଅନୁମାନ କରାଯାଉଛି । 4 ଅଗଷ୍ଟ 2019ରେ କାଶ୍ମୀରର ଗୁପକାର ରୋଡରେ ଥିବା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଆଠଟି ରାଜନୈତିକ ଦଳ ଏକ ବୈଠକ କରିଥିଲେ । ଏହି ସମୟରେ ଘାଟିରେ ପ୍ରବଳ ସୁରକ୍ଷା ବାହିନୀ ମୁତୟନ ହୋଇଥିଲେ । ପର୍ଯ୍ୟଟକମାନଙ୍କୁ ଭ୍ରମଣ ଉପରେ ସେଠାରେ ରୋକ ଲଗାଇ ଦିଆଯାଇଥିଲା ।
ଏହି ବୈଠକରେ ସାମିଲ ନେତାମାନେ ଏକ ସଂକଳ୍ପ ପାରିତ କରିଥିଲେ, ଯାହାର ନାମ ଗୁପକାର ବୋଲି ଘୋଷଣା କରାଯାଇଥିଲା | 22 ଅଗଷ୍ଟ 2020ରେ ପୂନର୍ବାର 6ଟି ରାଜନୈତିକ ଦଳ ଗୁପକାର ଘୋଷଣାରେ ଦ୍ବିତୀୟ ହସ୍ତାକ୍ଷର କରିଥିଲେ। ଜାମ୍ମୁ କାଶ୍ମୀରରେ ଧାରା 370 ଏବଂ 35A ଉଚ୍ଛେଦ ପ୍ରତ୍ୟାହାର ପାଇଁ ସଂଗ୍ରାମ କରିବାକୁ ଏହି ନେତାମାନେ ସଂକଳ୍ପ ନେଇଥିଲେ ।