ମୀରଟ: ଆତଙ୍କୀ ଙ୍କୁ ନିପାତ କରିବାକୁ ଯାଇ ଶହୀଦ ହୋଇଯାଇଛନ୍ତି ମେଜର କେତନ ଶର୍ମା । ସୋମବାର ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ମେଜର କେତନ ଶର୍ମାଙ୍କ ଟିମ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ । ଉଭୟ ପଟୁ ଫାୟାରିଂ ହୋଇଥିଲା । ସୁରକ୍ଷାକର୍ମୀ 2 ଆତଙ୍କୀକୁ କାବୁ କରିଥିବା ବେଳେ ଅନ୍ୟଜଣେ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରିଥିଲା । ହେଲେ ମେଜର କେତନ ଶର୍ମା ପଳାଉଥିବା ଆତଙ୍କବାଦୀର ପିଛା ଛାଡି ନଥିଲେ । ଗୋଡାଇ ଗୋଡାଇ ଫାୟାରିଂ କରିଥିଲେ, କିନ୍ତୁ ପାଲଟା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ଟଳି ପଡିଲେ କେତନ । ମେଜର ଶହୀଦ ହୋଇଗଲେ କିନ୍ତୁ ସେ ପିଛା କରିଥିବା ଆତଙ୍କବାଦୀକୁ ନିପାତ କରିଛି ତାଙ୍କ ଟିମ ।
କେତନଙ୍କ ଶହୀଦ ଖବର ମିଳିବାପରେ ଉତ୍ତର ପ୍ରଦେଶ ମୀରଟ ସ୍ଥିତ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ । ଜିଲ୍ଲାର ବରିଷ୍ଠ ପଦାଧିକାରୀଙ୍କ ସମେତ ନେତା ଓ ବରିଷ୍ଠ ବ୍ୟକ୍ତି ସେଠାରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଧୈର୍ଯ୍ୟ ନ ହରାଇବାକୁ ଶାନ୍ତ୍ବନା ଦେଇଥିଲେ । ବାପା-ମାଙ୍କର ଗୋଟିଏ ପୁଅ ଶହୀଦ ମେଜର କେତନ ଶର୍ମା । 6 ବର୍ଷ ତଳେ ବି ବାହ କରିଥିବା କେତନଙ୍କର 4 ବର୍ଷର ଝିଅଟିଏ ।