ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସରକାରୀ ଯୋଜନାର ଅବହେଳା ନଗ୍ନ ରୂପ ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ସରକାରୀ ଯୋଜନା ଗୁଡ଼ିକର ସଫଳତା ସମ୍ପର୍କରେ ସରକାର ଡେଙ୍ଗୁରା ପିଟୁଥିବାବେଳେ ଏହାର ବାସ୍ତବ ସ୍ଥିତି କିଛି ଭିନ୍ନ ତଥ୍ୟ ବୟାନ କରୁଛି । କୋସାମ୍ବି ଜିଲ୍ଲାର ମଜ୍ଞନପୁର ତହସିଲ ଅନ୍ତର୍ଗତ ଗୋପସାହସା ଗ୍ରାମରେ ରହୁଥିବା ବଳରାମ ପାଣ୍ଡେଙ୍କ ପରିବାରକୁ ଦେଖିଲେ ଏହା ସ୍ପଷ୍ଟ ପ୍ରମାଣିତ । ତେବେ ଏହି ପରିବାର ସମ୍ପର୍କରେ ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେବା ପରେ ଏବେ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ବଳରାମ ପାଣ୍ଡେ ଏକ ନୁଆଁଣିଆ ଚାଳ ଘରେ ବସବାସ କରିଥାନ୍ତି । ତେବେ 6 ପ୍ରାଣୀଙ୍କୁ ନେଇ ବଳରାମଙ୍କ ପରିବାର । ତେବେ ଜଣକ ରୋଜଗାରର ସମସ୍ତଙ୍କୁ ପେଟପୁରା ଖାଇବା ଦେବା ପାଇଁ ଅସମର୍ଥ ହୋଇଥାନ୍ତି ବଳରାମ । ସେପଟେ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ । କେଉଁ ମୁହୁର୍ତ୍ତ ତାହା ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ । ଘରର ବୁଢା ବାପାଙ୍କ ରୋଜଗାରରେ ପରିବାର ଚଳିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି ।
ବୋଝ ଉପରେ ନଳିତା ବିଡ଼ା ଭଳି ଦେହ ଖରାପ ହେଲେ ଚିକିତ୍ସା ଖର୍ଚ୍ଚ ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି । ବଳରାମଙ୍କ ଚିକିତ୍ସା ଖର୍ଚ୍ଚ ସମସ୍ତଙ୍କ ପାଇଁ ସମସ୍ୟା ଦେଖାଦେଇଛି । ସେପଟେ ରୋଜଗାର ଅଭାବରୁ ପିଲାମାନେ ରାତିରେ ଖାଲି ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଘରର ଅନ୍ୟ ସଦସ୍ୟଙ୍କ ଠାରୁ ସାହାଯ୍ୟ ଲୋଡ଼ିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର ସହଯୋଗ କରିନଥିବା ଜଣାପଡ଼ିଛି ।