ଚଣ୍ଡିଗଡ: ସାରା ଦେଶରେ ଏବେ ପୂଜା ମାହୋଲ । କୋରୋନା କଟକଣା ମଧ୍ୟରେ ମା' ଜଗତଜନନୀଙ୍କ ସ୍ବାଗତ କରିବାକୁ ସଜେଇ ହେଉଛନ୍ତି ସଭିଏଁ । କିନ୍ତୁ ଠିକ ଦୁଇ ବର୍ଷ ପୂର୍ବେ ଦଶହରା ଦିନ ଅମୃତସରର ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ବିଜୟା ଦଶମୀରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ 60 ଜଣଙ୍କ ଜୀବନ ଚାଲି ଯାଇଥିଲା । 100ରୁ ଅଧିକ ଆହତ ହୋଇଥଲେ । ଏହି ଘଟଣାକୁ ମନେ ପକାଇଲେ ମନ ଭୟରେ ଥରି ଉଠେ । ହେଲେ ଆଜି ବି ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ପୀଡିତଙ୍କ ପରିବାର ।
ଏନେଇ ପୀଡିତଙ୍କ ପରିବାର ଅମୃତସରରେ ଶୋଭାଯାତ୍ରା କରି ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି । ଆଜକୁ 2 ବର୍ଷ ପୁରି ଯାଇଥିଲେ ବି ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପୀଡିତ ପରିବାର ଆଖିରୁ ଏବେ ବି ଲୁହ ସୁଖିନି । ନ୍ୟାୟ ପାଇବା ଆଶାରେ ସେମାନେ ଏବେ ବି ଚାତକ ପରି ଅନାଇ ବସିଛନ୍ତି । ସେପଟେ ଘଟଣାକୁ ଦୁଇ ବର୍ଷ ପୁରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ସମସ୍ତଙ୍କ ମନରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି ।