ନୂଆଦିଲ୍ଲୀ: ପାକିସ୍ତାନୀ ସେନାଙ୍କ ଦ୍ୱାରା ବନ୍ଦୀ ହୋଇ ପାକିସ୍ତାନରେ ଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଥମାନ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାକ୍ ସରକାର ଶାନ୍ତିର ବାର୍ତ୍ତା ଭାବେ ତାଙ୍କୁ ସ୍ୱଦେଶ ଫେରାଇ ଦେଇଛନ୍ତି। ଅଭିନନ୍ଦନଙ୍କ ପ୍ରଶଂସାରେ ସାରା ଦେଶ ଶତମୁଖ ହେଉଥିବାବେଳେ ବର୍ତ୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ତାଙ୍କ ଟ୍ୱିଟର ଆକାଉଣ୍ଟ।
ଉଲ୍ଲେଖଯୋଗ୍ୟ ଯେ, ଏବେ ସୋସିଆଲ ମିଡିଆରେ ଅଭିନନ୍ଦନଙ୍କ ନାମରେ ଏକ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ଆଉ ଏଥିରେ ପାକିସ୍ତାନ ସରକାର ଓ ସେନାର ଜୋରଦାର ପ୍ରଶଂସା କରାଯାଉଛି। ବିଶେଷ କରି ଅଭିନନ୍ଦନଙ୍କ ପ୍ରତି ସେମାନଙ୍କ ଉତ୍ତମ ମନୋଭାବର ବିଭିନ୍ନ ଉଦାହରଣ ଏଠାରେ ଦିଆଯାଇଛି। ଏଥିରେ ବିଭିନ୍ନ ପୋଷ୍ଟ ହୋଇଛି। ଏହି ସବୁ ପୋଷ୍ଟରେ ପାକିସ୍ତାନ ସେନାର ବ୍ୟବହାରକୁ ତାରିଫ କରାଯାଇଛି।
ଏହାସହ ପାକିସ୍ତାନ ଜିନ୍ଦାବାଦ ଓ ଜୟହିନ୍ଦ ଏକାସହ ଲେଖିବାରେ କିଛି ଅସୁବିଧା ଅଛି କି ବୋଲି ଏଥିରେ ପଚରାଯାଇଛି। ତାଙ୍କୁ ଛାଡିଥିବାରୁ ସେ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଦେଉଥିବା ଏକ ପୋଷ୍ଟରେ ଲେଖା ଅଛି। ଏହାସହ ବିଭିନ୍ନ ସମୟର ତାଙ୍କୁ ବିରିୟାନୀ ଓ ନାନା ସ୍ୱସାଦୁ ଖାଦ୍ୟ ଦେଇଥିବା ପାକ୍ ସେନାକୁ ଏଥିରେ ପ୍ରଶଂସାରେ ପୋତି ପକାଯାଇଛି। ପାକ୍ ମେଜରଙ୍କ ସାଙ୍ଗରେ ବସି ଅଭିନନ୍ଦନ କ୍ରିକେଟ ଲିଗ ଦେଖିଥିବା ଲେଖାଯାଇଛି। ଏଥିରେ ଇମ୍ରାନ ଖାନ ତାଙ୍କର ନୂଆ ପ୍ରଧାନମନ୍ତ୍ରୀ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏପରିକି ଏଥର ସେ ଭାରତ ଗଲେ ପାକିସ୍ତାନ ପାଇଁ ଲଢେଇ କରିବେ ବୋଲି ଏହି ଟ୍ୱିଟରରେ ଟ୍ୱିଟ କରି ଲେଖା ହୋଇଛି।
ତେବେ ପାକ୍ ସେନା ହାତରେ ଧରା ପଡିବା ଆଗରୁ ଯିଏ ନିଜ ପାଖରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନଷ୍ଟ କରିଥିଲା ସେହି ବୀରପୁତ୍ର ହେଉଛନ୍ତି ଅଭିନନ୍ଦନ। ମାଡ ଖାଇ ବାରମ୍ୱାର ପଚାରିବା ସତ୍ତ୍ୱେ ସେ ନିଜ ପରିଚୟ ଛଡା ଆଉ କିଛି ଦେଇନଥିଲେ। ଏପରିକି କ୍ଷତାକ୍ତ ଦେହରେ ଅଧକିଲୋମିଟର ଦୌଡି ଶତ୍ରୁ ହାତରେ ଲଗାଇବାକୁ ଦେଇନଥିଲେ ନିଜ ଦେଶର ତଥ୍ୟ। ତେବେ ଏପରି ବୀରପୁତ୍ର କଣ ଦେଶଦ୍ରୋହୀ ହୋଇପାରେ ? ଏହା ଉପରେ ଏବେ ଉଠିଛି ପ୍ରଶ୍ନ।
ଏହି ଟ୍ୱିଟର ଆକାଉଣ୍ଟରେ ଗୁଗଲରେ ଭାଇରାଲ ହୋଇଥିବା ଫଟୋ ରହିଛି। ଅଭିନନ୍ଦନଙ୍କର କୌଣସି ପୁରୁଣା ଫଟୋ ନାହିଁ। ତାଙ୍କୁ ପାକିସ୍ତାନରେ କାହିଁକି ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁମତି ଦିଆଗଲା ? ଏହା ତ କେବେ ମଧ୍ୟ ସମ୍ଭବ ନୁହେଁ। ଏହା ସ୍ପଷ୍ଟ ଯେ, ପଛରୁ ଛୁରାଘାତ କରିବା ଅଭ୍ୟାସ ପାକ୍ର ରହିଛି। ଅଭିନନ୍ଦନଙ୍କୁ ଦେଶଦ୍ରୋହୀ ସଜାଇବା ପାଇଁ ଶତ୍ରୁ ସୁଯୋଗ ଅଣ୍ଡାଳିବା ଅତ୍ୟନ୍ତ ସ୍ୱାଭାବିକ। ନକଲି ଆକାଉଣ୍ଟ ଖୋଲିବା କିଛି କଷ୍ଟସାଧ୍ୟ କାମ ନୁହେଁ।
ଏବେ ଏଠାରେ ଉଠୁଛି କେତୋଟି ପ୍ରଶ୍ନ। କଣ ସତରେ ଏହା ଅଭିନନ୍ଦନଙ୍କ ଆକାଉଣ୍ଟ ? କଣ ସତରେ ସେ ନିଜେ ଏହା ହ୍ୟାଣ୍ଡେଲ କରୁଛନ୍ତି ? ନା ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ? ଯଦି ସେ ଏହା କରୁଛନ୍ତି ତେବେ କାହିଁକି ଓ କିପରି ? ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ ଏହି ଆକାଉଣ୍ଟ ବାସ କିଛି ଦିନ ତଳେ ଖୋଲାଯାଇଛି । ଏହା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଆଗରୁ ଟ୍ୱିଟର ଖୋଲିନଥିବା ଅଭିନନ୍ଦନଙ୍କର ଏତେ ଜରୁରୀ କଣ ପଡିଲା ଯେ ସେ ଏବେ ପାକିସ୍ତାନରେ ଥାଇ ଏହା ଖୋଲିଛନ୍ତି ?
ହୁଏତ ପାକ୍ ସେନାର ଚାପରେ ପଡି ସେ ଏପରି କରିଥାଇପାରନ୍ତି। ତେବେ ଏପରି କରିବା ପଛରେ ପାକ୍ର ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି। ଏହା ନିଶ୍ଚିତ ଭାବେ ଏକ ଚାଲ ହୋଇଥାଇପାରେ। ପାକ୍ ସେନା ଅଭିନନ୍ଦନଙ୍କୁ ଧରିବାବେଳେ ମାଡ ମାରିଥିବାର ଦୃଶ୍ୟ ଭାଇରାଲ ହୋଇଛି। ଏହାସହ ପାକ୍ ସେନା ଓ ସରକାରର କୁକାର୍ଯ୍ୟ ବିଷୟରେ ସମସ୍ତେ ଅବଗତ। ହୁଏତ ସରକାର ଓ ସେନାର ଛବିକୁ ସୁଧାରିବା ପାଇଁ ଏହା ଏକ ହୀନ ପ୍ରୟାସ ହୋଇପାରେ। ଅଭିନନ୍ଦନଙ୍କ ଦ୍ୱାରା ସେନାର ପ୍ରଶଂସା କରି ପାକ୍ ଏହା ଦେଖାଇବାକୁ ଚାହୁଁଛି ଯେ ପାକିସ୍ତାନ ସେନା କେତେ ଭଲ।
ପାକିସ୍ତାନ ବିରୋଧରେ ଏବେ ସାରା ଦେଶ ଛିଡା ହୋଇଛି। ଦେଶ ସାରା ପାକ୍ ବିରୋଧରେ ନାରା ଲାଗିଛି। ଅଭିନନ୍ଦନଙ୍କ ଦ୍ୱାରା ଏହାକୁ ସୁଧାରିବା ଲକ୍ଷ୍ୟ ରଖିଛି ପାକ୍। କାରଣ ଅଭିନନ୍ଦନଙ୍କ ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ସାରା ଦେଶରେ ତାଙ୍କୁ ପ୍ରଶଂସା କରାଯାଉଛି। ତେଣୁ ତାଙ୍କ କଥାରେ ହୁଏତ ଦେଶବାସୀ ବିଶ୍ୱାସ କରିପାରନ୍ତି ବୋଲି ପାକ୍ ଭାବିଛି। ସେଥିପାଇଁ ତାଙ୍କ ଦ୍ୱାରା ପାକିସ୍ତାନ ସେନାର ତାରିଫ କରାଯାଉଛି। ଭାରତୀୟଙ୍କ ବିଶ୍ୱାସ ଜିତିବା ପାଇଁ ପାକ୍ର ଏହା ଏକ ଉଦ୍ୟମ ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ସୋସିଆଲ ମିଡିଆରେ ଏହା ଅଭିନନ୍ଦନଙ୍କ ମିଛ ଆକାଉଣ୍ଟ ବୋଲି କୁହାଯାଉଛି।