ହାଇଦ୍ରାବାଦ: ଏକ ଡିଗ୍ରୀ ବା ସାର୍ଟିଫିକେଟ ହାସଲ କରିବା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥାଏ ଜଣେ ଛାତ୍ର । କିନ୍ତୁ ଏଭଳି ବି ଛାତ୍ର ଅଛନ୍ତି ଯିଏ ସଟକଟ ରାସ୍ତା ଆପଣାଇଥାନ୍ତି । ପରିଶ୍ରମ କରି ଡିଗ୍ରୀ ହାସଲ କରିବା ବଦଳରେ କରିଥାନ୍ତି ଡିଗ୍ରୀର ସୌଦାବାଜୀ । କିଣିଥାନ୍ତି ନକଲି ଡିଗ୍ରୀ । ଏହା ଏକ ସ୍ବଳ୍ପ ସମୟ ପ୍ରକ୍ରିୟା । ଏକ ଡିଗ୍ରୀ ହାସଲ କରିବା ପାଇଁ ସାଧାରଣତଃ ଏକ ନିଷ୍ଠାପର ଛାତ୍ର ଭାବରେ ଅଧ୍ୟୟନ କରିବାକୁ ପଡିଥାଏ, ଶ୍ରେଣୀ ଗୃହରେ ଉପସ୍ଥିତ ରହିବାକୁ ପଡିଥାଏ ଏବଂ ପ୍ରତି ବର୍ଷ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହି କାର୍ଯ୍ୟକଳାପରେ ଭାଗ ନେବାପାଇଁ ଧୈର୍ଯ୍ୟ ନଥାଏ । ପରିଶ୍ରମ ବଦଳରେ ସେମାନେ ନକଲି ଡିଗ୍ରୀ କିଣିବାକୁ ପସନ୍ଦ କରିଥାନ୍ତି ।
ତେବେ ବର୍ତ୍ତମାନ ଯୁଗରେ ଭାରତରେ ଶିକ୍ଷା ଏକ ଲାଭଦାୟକ ବ୍ୟବସାୟ ପାଲଟିଗଲାଣି । ଏହି ବ୍ୟବସାୟ ଦିନକୁ ଦିନ ବଢିବା ସହ ଉପଭୋକ୍ତା ଏବଂ ବ୍ୟାପାରିଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପରିଣାମ ସ୍ବରୂପ ଦେଶରେ ନକଲି ଡିଗ୍ରୀ ମଧ୍ୟ ଚାହା ଭଳି ଅତିସାଧାରଣରେ ଉପଲବ୍ଧ ହେଉଛି । ଦଶମଠାରୁ ଆରମ୍ଭ କରି ପିଏଚଡି ଡିଗ୍ରୀ ପର୍ଯ୍ୟନ୍ତ ସମସ୍ତ ନକଲି ଡିଗ୍ରୀ ଯୋଗାଇ ଦେଉଥିବା ଜାଲ ସଂସ୍ଥା ଦେଶର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ମାତ୍ର 10 ହଜାରରୁ 15 ହଜାର ମଧ୍ୟରେ ଘରେ ବସି ସମୟସୀମା ମଧ୍ୟରେ ଯେକୌଣସି ଡିଗ୍ରୀ ପାଇପାରୁଛନ୍ତି ଉପଭୋକ୍ତା । ସ୍ନାତ୍ତକ, ସ୍ନାତ୍ତକତ୍ତୋର, ଇଞ୍ଜିନିୟର ଏବଂ ପିଏଚଡି ଭଳି ବଡ ବଡ ଡିଗ୍ରୀ ମଧ୍ୟ 20-75 ହଜାର ଟଙ୍କାରେ ମିଳିଯାଉଛି । ତାହା ମଧ୍ୟ ନିଜ ମନପସନ୍ଦ ବିଶ୍ବବିଦ୍ୟାଳୟଠାରୁ। ତେବେ ଏହାକୁ ଯୋଗାଇବାରେ କିଛି ଘରୋଇ ବିଶ୍ବ ବିଦ୍ୟାଳୟର ଅଧ୍ୟାପକ ସାହାଯ୍ୟ କରନ୍ତି ଏହି ସଂସ୍ଥାଗୁଡିକୁ ।
ବର୍ଷେ ତଳେ ତେଲେଗୁ ରାଜ୍ୟର କେତେକ ଘରୋଇ ବିଶ୍ବବିଦ୍ୟାଳୟରେ ଏଭଳି ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା । ଡମି କନସଲଟାନ୍ସି ନାମକ ଏକ ସଂସ୍ଥା ଏହିସବୁ ବିଶ୍ବ ବିଦ୍ୟାଳୟର ଅଧ୍ୟାପକଙ୍କ ସାହାଯ୍ୟରେ ଛାତ୍ରଙ୍କୁ ନକଲି ପିଏଚଡି ଡିଗ୍ରୀ ଯୋଗାଇ ଦେଉଥିଲା । ତେବେ ଏହା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ପାଇଁ ଜେଏନଟିୟୁ(ଏଚ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ନିକଟରେ ଇନାଡୁ ଗଣମାଧ୍ୟମ ପକ୍ଷରୁ ପିଏଚଡି ଡିଗ୍ରୀ ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଏକ ଅପରେସନ କରାଯାଇଥିଲା । ହାଇଦ୍ରାବାଦରେ ନକଲି ଡିଗ୍ରୀ ଯୋଗାଉଥିବା ଏଭଳି 10 ଟି ସଂସ୍ଥା ସମ୍ପର୍କରେ ଜାଣିବାକୁ ମିଳିଛି। ଏହି ସଂସ୍ଥା ବିଭିନ୍ନ ବିଶ୍ବ ବିଦ୍ୟାଳୟର ଅଧ୍ୟାପକଙ୍କ ଜରିଆରେ ଛାତ୍ରଙ୍କୁ ନକଲି ଡିଗ୍ରୀ ଯୋଗାଇ ଦେଉଥିବା ଜଣା ପଡିଛି ।