ଲକ୍ଷ୍ନୌ: କାରଗିଲ ଯୁଦ୍ଧକୁ ଆଜି 20 ବର୍ଷ ପୁରିଛି । ଏହି ଯୁଦ୍ଧରେ ଅନେକ ବୀର ଯବାନ ଶହୀଦ ହୋଇଥିଲେ । ଆଜି ବି ଦେଶ ସେମାନଙ୍କ ବଳିଦାନକୁ ଶତ ଶତ ପ୍ରଣାମ ଜଣାଉଛି । ତେବେ ଏହି ଶହୀଦଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଇନ୍ଦିରା ନଗର ଅଞ୍ଚଳର ମେଜର ରିତେଶ ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଛି । ପୁଅକୁ ହରାଇବାର କୋହ ଆଜି ମଧ୍ୟ ବାପା ଓ ମା’ଙ୍କ ଲୁହରେ ବାରି ହୋଇପଡ଼ୁଛି ।
କୋହଭରା କଣ୍ଠରେ ପୁଅକୁ ହରାଇବାର ଦୁଃଖ ବଖାଣିଛନ୍ତି ‘ଇଟିଭି ଭାରତ’ ନିକଟରେ । କହିଛନ୍ତି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ସରକାର ବାହାର କରନ୍ତୁ । ଶହୀଦ ରିତେଶ ଶର୍ମାଙ୍କ ବାପା ସତ୍ୟା ପ୍ରକାଶ ଶର୍ମା କହିଛନ୍ତି, ଏବେ ସେନାବାହିନୀର ବେଶ ଶକ୍ତିଶାଳୀ । ସରକାର ମଧ୍ୟ ବଦଳି ସାରିଛନ୍ତି । ସରକାର ଏବେ ତାଙ୍କ ହିସାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ସରକାର ସେନା ଓ ଶହୀଦଙ୍କ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେପଟେ ପାକିସ୍ତାନର ଔଦ୍ଧତ୍ୟ ମଧ୍ୟ ଜାରି ରହିଛି । ବାରମ୍ବାର ସୀମା ଡେଇଁ ଦେଶ ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳୁଛି । ସୀମାରେ ସବୁବେଳେ ଉତ୍ତେଜନା ଲାଗି ରହୁଛି । ଏହି ମାମଲାର ଯଥାଶୀଘ୍ର ସ୍ଥାୟୀ ପ୍ରତିକାର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।