ସୋନମ ୱାଙ୍ଗଚୁକ୍ ସେହି ବ୍ୟକ୍ତି, ଯିଏ ବଲିଉଡ୍ ସିନେମା ‘ଥ୍ରୀ ଇଡିଅଟ୍’ ନିର୍ମାଣ କରିବା ପାଇଁ ବିଧୁ ବିନୋଦ ଚୋପ୍ରାଙ୍କୁ ଅନୁପ୍ରେରିତ କରିଥିଲେ । ୱାଙ୍ଗଚୁକ୍ ଜଣେ ଇଞ୍ଜିନିୟର, ଉଦ୍ଭାବକ ଏବଂ ଶିକ୍ଷା ସଂସ୍କାରକ । ଲଦାଖରେ ସେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରୁଛନ୍ତି ଏବଂ ଏହାର ସମଗ୍ର ପରିସରରେ ରୋଷେଇ, ଆଲୋକ ଏବଂ ଉଷ୍ମତା ପାଇଁ ସୌର ଶକ୍ତି ଏବଂ ଫସିଲ୍ ଇନ୍ଧନ ବ୍ୟବହୃତ ହୁଏ । ଜଳ ସଂକଟର ସମାଧାନ ପାଇଁ ଲଦାଖର ପାହାଡ଼ରେ କୃତ୍ରିମ ହିମସ୍ରୋତର ପରିକଳ୍ପନାକୁ ସେ ରୂପ ଦେଇଛନ୍ତି । ଚୀନରେ ପ୍ରସ୍ତୁତ ସାମଗ୍ରୀ ବର୍ଜନ କରିବା ପାଇଁ ସେ ଆହ୍ବାନ ଦେଇଆସୁଛନ୍ତି । ବାସ୍ତବରେ ଚୀନ୍ର କୌଣସି ସଫ୍ଟୱେୟାର ବ୍ୟବହାର ନକରିବାକୁ ସେ ଲୋକଙ୍କୁ କହିଛନ୍ତି ।
ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ସ୍ଥିତି ଦେଖାଦେଇଥିବା ବେଳେ ୱାଙ୍ଗଚୁକ୍ ଅଧିକ ପ୍ରାସଙ୍ଗିକ ମନେ ହୁଅନ୍ତି ଏବଂ ଦିଲ୍ଲୀରୁ ସ୍କାଇପି ମାଧ୍ୟମରେ ରାକେଶ ତ୍ରିପାଠୀଙ୍କ ସହ ଏକ ସାକ୍ଷାତକାରରେ ଚୀନ ସଂପର୍କରେ ସେ ତାଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି ।
ପ୍ରଶ୍ନ: କେମିତି ଆପଣଙ୍କ ମନକୁ ‘ୱାଲେଟ୍ ବନାମ ବୁଲେଟ୍’ ଚିନ୍ତାଧାରା ଆସିଲା ?
ଉତ୍ତର: ଲଦାଖରେ ରହୁଥିବା ବେଳେ ମୁଁ, ଚୀନର ଅଭଦ୍ରାମୀ, ଆଧିପତ୍ୟ କିମ୍ବା ଅନୁପ୍ରବେଶକୁ, ଆପଣ ତାକୁ ଯାହା ବି କହନ୍ତୁ, ଅନେକ ସମୟରେ ଦେଖିଛି । ଏହି କାରଣରୁ ଲଦାଖର ଲୋକେ, ବିଶେଷତଃ ଯେଉଁ ପଶୁପାଳକମାନେ ସବୁଦିନ ସେମାନଙ୍କ ଛେଳି ଚରାଇବାକୁ ଯାଆନ୍ତି, ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେମାନଙ୍କର ଚାରଣଭୂମି କମି କମିଯାଏ (ଚୀନର ଅତିକ୍ରମଣ କାରଣରୁ) । ମୁଁ ଭାବିବାରେ ଲାଗିଲି ଯେ ଏଥିପାଇଁ କିଛି ନା କିଛି କରିବାକୁ ପଡ଼ିବ । କିଛି ଦିନ ପୂର୍ବରୁ ସେମାନେ ଯେତେବେଳେ ପୁଣି ଅନୁପ୍ରବେଶ କଲେ, ମୁଁ ବୁଝିପାରିଲି ଯେ ଏଥର ସେମାନଙ୍କର କିଛି ଭିନ୍ନ ଉଦ୍ଦେଶ୍ୟ ଓ ଯୋଜନା ରହିଛି । ଏଥର କେବଳ ସୀମା ଉଲ୍ଲଂଘନ କରିବା ସେମାନଙ୍କର ଲକ୍ଷ୍ୟ ନଥିଲା । କୋରୋନା ଭଳି ବିଶ୍ବ ମହାମାରୀର ସମ୍ମୁଖୀନ ହୋଇଥିବା କୌଣସି ଦେଶ ଏହା କରିବ ନାହିଁ । ମୁଁ ବୁଝିପାରିଲି ଯେ, କେବଳ ଭାରତ ନୁହେଁ, ବରଂ ଭିଏତନାମ, ତାଇୱାନରୁ ଆରମ୍ଭ କରି ଦକ୍ଷିଣ ଚୀନ ସାଗରରେ ଯୁକ୍ତରାଷ୍ଟ୍ର ଆମରିକା ପର୍ଯ୍ୟନ୍ତ, ଚୀନ୍ ସମସ୍ତଙ୍କୁ ଉସୁକାଉଛି । ଚୀନର ଏସବୁ କାର୍ଯ୍ୟକଳାପରୁ ଏହା ପଛରେ କିଛି ଅଲଗା ଉଦ୍ଦେଶ୍ୟ ରହିଥିବା ଜଣାପଡୁଛି । କାରଣ, ସମସ୍ତଙ୍କ ସହିତ ଏସବୁ ଗୋଟିଏ ମାସ ଭିତରେ ହିଁ ସଂଘଟିତ ହୋଇଛି ।
ଏଥିରୁ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ, ଏହା ଦ୍ବାରା ସେମାନେ ସେମାନଙ୍କର ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । କାରଣ, ଚୀନର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିଥିବା ବିଶ୍ବ ମହାମାରୀର ମୁକାବିଲା କ୍ଷେତ୍ରରେ ସେଠାକାର ସରକାର ବିଫଳ ହୋଇଥିବାରୁ ଲୋକଙ୍କ ଭିତରେ ରାଗ କୁହୁଳୁଛି ଏବଂ ସେଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେମାନେ ଏସବୁ କରୁଛନ୍ତି । ତେଣୁ ଚୀନ ଯଦି ତା’ର ଅର୍ଥନୀତିକୁ ରକ୍ଷା କରିବା ପାଇଁ ଏ ସବୁ କରୁଛି ତେବେ ଆମେ ସେମାନଙ୍କ ଅର୍ଥନୀତି ଉପରେ ମଧ୍ୟ ଆଘାତ କରିବା ଦରକାର ବୋଲି ଆମେ ବୁଝିନେବା ଉଚିତ । ଆମେ ସେମାନଙ୍କ ଚାଲ୍ରେ ଫସି ଯାଇ ବନ୍ଧୁକ ଓ ଗୁଳିରେ ଜବାବ ଦେବା ଉଚିତ ନୁହେଁ । ଯଦି ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି, ତେବେ ସେମାନଙ୍କ ଅର୍ଥବ୍ୟବସ୍ଥା ଉପରେ କାହିଁକି ଆକ୍ରମଣ ନ କରିବା । ସେଥିପାଇଁ ମୁଁ କହିଲି ଯେ ଏହା ଭାରତର ଲୋକଙ୍କ ଦ୍ବାରା ହିଁ ହେବା ଉଚିତ ଏବଂ ଏହା ୱାଲେଟ୍ (ବଟୁଆ ବା ମନିପର୍ସ) ଜରିଆରେ ହୋଇପାରିବ । ଆପଣଙ୍କ ଘରେ ହେଉ କି କୌଣସି ସହରରେ କିମ୍ବା ଗାଁରେ, ଯେ କୌଣସି ସ୍ଥାନରେ ବସି ଆପଣଙ୍କ ୱାଲେଟ୍କୁ ଆପଣ ବ୍ୟବହାର କରିପାରିବେ ଏବଂ ଏକ ଆପ୍କୁ ଅନ୍ଇନ୍ଷ୍ଟଲ କରିପାରିବେ । ଏହା ଖୁବ୍ ସରଳ ଶୁଭିପାରେ, କିନ୍ତୁ ଏହା ଯଦି ବିପୁଳ ସଂଖ୍ୟାରେ ହୁଏ, ଲକ୍ଷ ଲକ୍ଷ କି କୋଟି କୋଟି ସଂଖ୍ୟାରେ ଆପ୍ ଅନ୍ଇନ୍ଷ୍ଟଲ ହୋଇଯାଏ, ତାହେଲେ ସେମାନେ ଯାହାକୁ ସବୁଠାରୁ ଅଧିକ ଭୟ କରୁଛନ୍ତି ତାହାର ହିଁ ସମ୍ମୁଖୀନ ହେବେ । ଅର୍ଥବ୍ୟବସ୍ଥା ଦୁର୍ବଳ ହେବା ଦ୍ବାରା ଚୀନ ଲୋକଙ୍କ ଅସନ୍ତୋଷ ବଢ଼ିବ ।
ପ୍ରଶ୍ନ: କିନ୍ତୁ ଆଉ ଏକ ପ୍ରଶ୍ନ ଅଛି । କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ବରେ ଆମ ଜୀବନଚର୍ଯ୍ୟା ସହ ଚୀନ ନିର୍ମିତ ସାମଗ୍ରୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବାରୁ ଏହାକୁ ବର୍ଜନ କରିବା ବ୍ୟାବହାରିକ ଦୃଷ୍ଟିରୁ ସମ୍ଭବ ହେବ କି ? ଏହା ଏକ ଅସମ୍ଭବ କାମ ନୁହେଁ, କିନ୍ତୁ ପ୍ରକୃତରେ ଏକ କଷ୍ଟସାଧ୍ୟ କାମ ।
ଉତ୍ତର: ହଁ, ଏହା କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ । ମୁଁ ସବୁବେଳେ କହେ ଯେ ଏ ପୃଥିବୀର ବହୁତ କାମ କଷ୍ଟଦାୟକ । ଜଣେ ମୁସଲମାନଙ୍କ ପାଇଁ ମଦ ପିଇବା କଷ୍ଟକର, ଜଣେ ଶିଖଙ୍କ ପାଇଁ ତମାଖୁ ସେବନ ନକରିବା, ହିନ୍ଦୁମାନେ ଗୋମାଂସ ଖାଆନ୍ତି ନାହିଁ... ସେଇଟା ବି କଷ୍ଟକର । ସବୁ କିଛି କଷ୍ଟକର, ତଥାପି ସେମାନେ ଗୋମାଂସ ଖାଆନ୍ତି ନାହିଁ, ମଦ ପିଅନ୍ତି ନାହିଁ ଏବଂ ତମାଖୁ ସେବନ କରନ୍ତି ନାହିଁ । ଜୈନ ସଂପ୍ରଦାୟର ଲୋକେ ପିଆଜ, ରସୁଣ ଓ ଗାଜର ଖାଆନ୍ତି ନାହିଁ, ତଥାପି ସେମାନେ ଜୀବନଯାପନ କରନ୍ତି । ତେଣୁ ‘କଷ୍ଟକର’ ବୋଲି କିଛି ନାହିଁ । ଶାକାହାରୀମାନେ ଚାହିଁଲେ ଶାକାହାର ଏବଂ ନିରାମିଷାଶୀମାନେ ଚାହିଁଲେ ନିରାମିଷ ଖାଦ୍ୟ ଯୋଗାଡ଼ କରିପାରିବେ । ଏସବୁ ‘କଷ୍ଟକର କାମ’କୁ ବିଚାରକୁ ନେଲେ ଆମେ ଦେଖିବା ଯେ, ଭାରତ-ଚୀନ ସୀମାରେ, ବରଫ ଜମିଯିବା ଭଳି ଶୀତରେ, ଦେଶର ସୀମାକୁ ସୁରକ୍ଷା ଦେବା ଲାଗି ନିୟୋଜିତ ଯବାନମାନେ ଯେଉଁ ସବୁ କଷ୍ଟର ସମ୍ମୁଖୀନ ହେଉଛନ୍ତି, ତାହାକୁ ଆପଣ କୌଣସି ଚୀନା ଆପ୍ ଅନ୍ଇନ୍ଷ୍ଟଲ କରିବାରେ ସମ୍ମୁଖୀନ ହେଉଥିବା କଷ୍ଟ ସହ ତୁଳନା କରିପାରିବେ ନାହିଁ । ସେମାନଙ୍କ କଷ୍ଟ ତୁଳନାରେ ଆପଣ ଏକ ଆପ୍ ଅନ୍ଇନ୍ଷ୍ଟଲ କରିବାରେ ସମ୍ମୁଖୀନ ହେଉଥିବା କଷ୍ଟ କିଛି ନୁହେଁ । ଆପଣ ଯଦି ଗୋଟିଏ ଆପ୍ ଅନ୍ଇନ୍ଷ୍ଟଲ ନକରି ପାରିବେ ତେବେ ମୁଁ ଆଉ କ’ଣ ବା କହିପାରିବି ?
ପ୍ରଶ୍ନ: ସାଧାରଣ ଭାରତୀୟମାନଙ୍କର “ଚାଲୁଛି ତ” ବୋଲି ଖାମଖିଆଲି ମନୋଭାବକୁ ନେଇ ଆପଣ ଚିନ୍ତିତ କି ?
ଉତ୍ତର: ହଁ ଏଭଳି ଖାମଖିଆଲି ମନୋଭାବ ଉପରେ ମୋର ଖୁବ୍ ରାଗ ରହିଛି । ଆମ ଦେଶର ଅଧୋଗତି ପାଇଁ ଯଦି କୌଣସି ଗୋଟିଏ କାରଣ ଥାଏ ତାହା ହେଉଛି ଏହି ‘ଚାଲୁଛି ତ’ ମନୋଭାବ । ଏ କ୍ଷେତ୍ରରେ ଆମେ ଚୀନ ଲୋକଙ୍କଠାରୁ ଶିଖିପାରିବା । ମୁଁ ଲକ୍ଷ୍ୟ କରିଛି ଯେ ସେମାନେ ଯାହା ସବୁ କରନ୍ତି, ସୁବିବେଚିତ ଉପାୟରେ କରନ୍ତି ଏବଂ ଶେଷରେ ଏହା ସେମାନଙ୍କୁ ସଫଳତା ଆଡ଼କୁ ବାଟ କଢ଼ାଇ ନିଏ । ଅନ୍ୟପକ୍ଷରେ, ସୀମା ଏପଟେ ଆମେ ଏକ ଅବିରତ ଆଳସ୍ୟ ଦେଖୁ, ଯାହାକି ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ଲୋକଙ୍କ କାମରେ ପ୍ରକଟିତ ହେଉଛି । ଗତ କିଛି ମାସ ହେଲା ଯେଉଁଭଳି ଭାବରେ ଆମେ କୋରୋନା ଭୂତାଣୁର ମୁକାବିଲା କଲୁ, ସେଥିପାଇଁ ସାରା ବିଶ୍ବ ଆମକୁ ସମ୍ମାନ ଦେଉଛି ସତ, କିନ୍ତୁ ଏବେ ଲାଗୁଛି କେବଳ ଏଇ “ଚାଲୁଛି ତ” ମନୋଭାବ ଯୋଗୁଁ ସେହି ଖ୍ୟାତି ବି ଲୋପ ପାଇଯିବ । ଆମେ ଯଦି ଆବଶ୍ୟକତା ଅନୁସାରେ ସତର୍କ ନହେବା ତେବେ କରୋନା ଭାଇରସ୍ ବିରୋଧୀ ଲଢ଼େଇରେ ଭାରତ ପରାସ୍ତ ହେବ । ଯଦି ଭୂତାଣୁ ଯୋଗୁଁ ଭାରତୀୟମାନେ ମୃତ୍ୟୁମୁଖରେ ପଡ଼ନ୍ତି, ଆମେ ଚୀନକୁ କେମିତି ଟକ୍କର ଦେବା ? ଅନ୍ୟପକ୍ଷରେ ଚୀନା ନାଗରିକମାନଙ୍କର ଏକ ନିରନ୍ତର ଦାୟିତ୍ବବୋଧ ରହିଛି ଏବଂ ଭୂତାଣୁ ନିୟନ୍ତ୍ରଣ କରିବାରେ ସେମାନଙ୍କ ସଫଳତାର ଏହା ଏକ ପ୍ରମୁଖ କାରଣ । ଏହି ଯୁଦ୍ଧରେ ଆମେ କିଛିଟା ଆଶା ରଖିବାକୁ ଚାହିଁଲେ, ଚୀନର ଲୋକଙ୍କ ନିକଟରୁ ଏହା ଶିଖିବା ଉଚିତ ଏବଂ ଆମେ ଶୃଙ୍ଖଳିତ ହେବା ଆବଶ୍ୟକ ।
ପ୍ରଶ୍ନ: ଆମେ ଚୀନ୍ରୁ 5 ଲକ୍ଷ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଆମଦାନୀ କରୁ, ଯେଉଁଥିରୁ 41% ଇଲେକ୍ଟ୍ରିକାଲ, ଯନ୍ତ୍ରପାତି ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ । ଆମ ଦେଶରେ ଏ ସବୁ ସାମଗ୍ରୀ ପ୍ରସ୍ତୁତ ହେଉ ନଥିବା କାରଣରୁ, ଏହି ଚୀନା ସାମଗ୍ରୀର ବିକଳ୍ପ ଆମ ଦେଶରେ ଉତ୍ପାଦନ କରିବା ସମ୍ଭବ ମନେ ହେଉନଥିବା ବେଳେ ଏହାର ବିକଳ୍ପ ଭାବରେ ଆମେ ଅନ୍ୟ ଦେଶରୁ ଆମଦାନୀ କରିବାକୁ ଆପଣ ପ୍ରସ୍ତାବ ଦେଉଛନ୍ତି କି ?
ଉତ୍ତର: ବାସ୍ତବିକ । ଆମେ ଏହି ସାମଗ୍ରୀର ଚାହିଦା ପୂରଣ ପାଇଁ ଯେତେ ସମ୍ଭବ ସେତେ ଘରୋଇ ଭାବରେ ଉତ୍ପାଦନ କରିବାକୁ ଆମେ ଚେଷ୍ଟା କରିବା ଏବଂ ଏହା ବ୍ୟତୀତ ଅବଶିଷ୍ଟ ଚାହିଦା ପୂରଣ ପାଇଁ ଅନ୍ୟ ଦେଶରୁ ଆମଦାନୀ କରିବା ଦରକାର । ଆମେ ଏମିତି ଦେଶମାନଙ୍କରୁ ଆମଦାନୀ ପାଇଁ ଚେଷ୍ଟା କରିବା ଉଚିତ ଯେଉଁମାନେ କି ମାନବାଧିକାର ଆଇନ, ପରିବେଶ ସଂକ୍ରାନ୍ତ ନିୟମ ପାଳନ କରନ୍ତି ଏବଂ ସାମଗ୍ରିକ ଭାବେ ଭାରତ ପ୍ରତି ଉତ୍ତମ ମନୋଭାବ ପୋଷଣ କରନ୍ତି ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରନ୍ତି ନାହିଁ । ଚୀନ୍ରେ ଉତ୍ପାଦିତ ସାମଗ୍ରୀ ଶସ୍ତା ଏବଂ ଅଧିକ ପ୍ରତିଯୋଗିତା ମୂଳକ ହେବାର କାରଣ ହେଉଛି ଯେ ସେମାନେ ଶ୍ରମ ଆଇନ ଏବଂ ମାନବାଧିକାର ଆଇନ ଉଲ୍ଲଂଘନ କରନ୍ତି ଏବଂ ଆମେ ଜାଣିଛୁ ଯେ, ଏହି କାରଣରୁ ସେଠାରେ ଶ୍ରମର ମୂଲ୍ୟ ଖୁବ୍ କମ୍ । ସେମାନଙ୍କର ପରିବେଶ ଏବଂ ଶ୍ରମ ପ୍ରତି କୌଣସି ସମ୍ମାନବୋଧ ନାହିଁ ଏବଂ ଉଭୟଙ୍କୁ ଶୋଷଣ କରି ସେମାନଙ୍କ ନିକଟରୁ ଯେତେ ସମ୍ଭବ ସେତେ ଫାଇଦା ହାସଲ କରିବାକୁ ସେମାନେ ଚେଷ୍ଟା କରନ୍ତି ।