ନୂଆଦିଲ୍ଲୀ: 1984 ଶିଖ ଦଙ୍ଗାକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେହିସମୟରେ ତତ୍କାଳୀନ ଗୃହମନ୍ତ୍ରୀ ପିଭି ନରସିମ୍ହା ରାଓ ଯଦି ଇନ୍ଦ୍ର କୁମାର ଗୁଜରାଲଙ୍କ ଉପଦେଶ ମାନିଥାନ୍ତେ ତାହାଲେ ଦିଲ୍ଲୀରେ ଶିଖ୍ ନରସଂହାରରୁ ବଞ୍ଚିଯାଇଥାନ୍ତେ ବୋଲି ମନମୋହନ କହିଛନ୍ତି । ବୁଧବାର ଦିଲ୍ଲୀରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ 100ତମ ଜୟନ୍ତୀ ଅବସରରେ ଏଭଳି କହିଛନ୍ତି ମନମୋହନ ସିଂହ ।
ଶିଖ ଦଙ୍ଗା ପାଇଁ ଗୃହମନ୍ତ୍ରାଳୟର ଅପାରଗତା ଦାୟୀ: ମନମୋହନ ସିଂହ - ଶିଖ ଦଙ୍ଗା ପାଇଁ ଗୃହମନ୍ତ୍ରାଳୟର ଅପାରଗତା ଦାୟୀ
1984 ଶିଖ ଦଙ୍ଗା ସମୟରେ ତତ୍କାଳୀନ ଗୃହମନ୍ତ୍ରୀ ପିଭି ନରସିମ୍ହା ରାଓ ଯଦି ଇନ୍ଦ୍ର କୁମାର ଗୁଜରାଲଙ୍କ ଉପଦେଶ ମାନିଥାନ୍ତେ ତାହାଲେ ଦିଲ୍ଲୀରେ ଶିଖ୍ ନରସଂହାରରୁ ବଞ୍ଚିଯାଇଥାନ୍ତେ ବୋଲି ମନମୋହନ କହିଛନ୍ତି ।
ସେ କହିଛନ୍ତି, ଦିଲ୍ଲୀରେ 84 ଶିଖ ଦଙ୍ଗା ସମୟରେ ଗୁଜୁରାଲ ଗୃହମନ୍ତ୍ରୀ ନରସିମ୍ହା ରାଓଙ୍କ ପାଖକୁ ଯାଇଥିଲେ । ସ୍ଥିତି ଅତ୍ୟନ୍ତ ବିଗିଡିବାରେ ଲାଗିଥିଲା । ତେଣୁ ଖୁବ ଶୀଘ୍ର ସୁରକ୍ଷାକର୍ମୀଙ୍କୁ ଡାକିବାର ଆବଶ୍ୟକ ଅଛି ବୋଲି ସେ କହିଥିଲେ। ସେତେବେଳେ ଯଦି ରାଓ ଗୁଜୁରାଲଙ୍କ ଉପଦେଶ ମାନି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେହେଲେ ହୁଏତ 1984ର ନରସଂହାରକୁ ରୋକାଯାଇପାରନ୍ତା ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, 1984ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ଦେଶରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା । ଯେଉଁଥିରେ ପ୍ରାୟ 3000 ଶିଖଙ୍କ ଜୀବନ ଯାଇଥିଲା । ଦିଲ୍ଲୀରେ ଦଙ୍ଗାର ପ୍ରଭାବ ସର୍ବାଧିକ ଥିଲା । 3000 ମଧ୍ୟରୁ 2700 ଶିଖଙ୍କ ହତ୍ୟା ଦିଲ୍ଲୀରେ ହୋଇଥିଲା ବୋଲି କୁହାଯାଏ ।