ଜାତିସଂଘ ସାଧାରଣ ପରିଷଦର ସଭାପତି ଭାବେ ମେ ମାସରେ ଦାୟିତ୍ୱ ନେବ ବାଲଟିକ୍ ରାଷ୍ଟ୍ର ଏସ୍ତୋନିଆ । ପରିଷଦର ଅସ୍ଥାୟୀ ସଦସ୍ୟ ଏସ୍ତୋନିଆ ଦୁଇ ବର୍ଷ ତଳେ ନିର୍ବାଚିତ ହୋଇଥିଲା । ଜାତିସଂଘ ସାଧାରଣ ପରିଷଦର ଦାୟିତ୍ୱ ଗ୍ରହଣ କଲା ପରେ ଏସ୍ତୋନିଆ କୋଭିଡ-୧୯ ପ୍ରସଙ୍ଗରେ ସ୍ୱଚ୍ଛତା ଆଣିବ ବୋଲି କହିଛି । ବିଶେଷ କରି କୋଭିଡ-୧୯ ପ୍ରସଙ୍ଗରେ ସୂଚନାର ସ୍ୱଚ୍ଛତା ଉପରେ ତାଙ୍କ ଦେଶ ଜୋର୍ ଦେବ ବୋଲି ଭାରତରେ ଅବସ୍ଥାପିତ ଏସ୍ତୋନିଆ ରାଷ୍ଟ୍ରଦୂତ କହିଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏସ୍ତୋନିଆ ରାଷ୍ଟ୍ରଦୂତ କାଟ୍ରିନ କିଭି କହିଛନ୍ତି ଯେ, କୋଭିଡ-୧୯ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ଜୋରଦାର ଆଲୋଚନା ପାଇଁ ତାଙ୍କ ଦେଶ ଉଦ୍ୟମ କରିବ । ମାର୍ଚ୍ଚ ମାସରେ ଏହି ପ୍ରସଙ୍ଗରେ ଡୋମିନିକାନ ରିପବ୍ଲିକ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରି ନ ଥିଲା । କାରଣ ରିପୋର୍ଟ ଅନୁସାରେ ଆମେରିକା ଓ ଚୀନ୍ ମଧ୍ୟରେ କୋଭିଡ-୧୯ ସୂଚନା ଆଦାନ ପ୍ରଦାନ ନେଇ ବାକ୍ୟ ବିନିମୟ ହୋଇଥିଲା ।
ଏସ୍ତୋନିଆ ରାଷ୍ଟ୍ରଦୂତ କହିଛନ୍ତି ଯେ, ‘କୋଭିଡ-୧୯ ସଙ୍କଟର ସମାଧାନ ପାଇଁ ମେ ମାସରେ ଆଲୋଚନା କରାଯିବ । ସୂଚନା ଆଦାନ ପ୍ରଦାନ ପାଇଁ ଆମେ ଦେଶଗୁଡିକୁ କହିବୁ । କାରଣ ବର୍ତ୍ତମାନ ଆମକୁ ପୂର୍ଣ୍ଣ ଚିତ୍ର ମିଳିନାହିଁ । ତେଣୁ ଅତି ଶୀଘ୍ର କୌଣସି ନିଷ୍କର୍ଷ ବାହାରିପାରିବ ନାହିଁ । ଏ ପ୍ରସଙ୍ଗରେ ଆମକୁ ଅଧିକ ଆଲୋଚନା କରିବାକୁ ପଡିବ । ଏଥିସହ ସାଇବର ସିକ୍ୟୁରିଟି ଉପରେ ବି ଆମକୁ ଅଧିକ ଧ୍ୟାନ ଦେବାକୁ ପଡିବ । କାରଣ ମହାମାରୀ ବ୍ୟାପିବା ପରେ ସାଇବର ଆକ୍ରମଣ ବିଶେଷ ଭାବେ ବୃଦ୍ଧି ପାଇଛି ।’ ମେ ୨୨ ତାରିଖରେ ଏସ୍ତୋନିଆ ପ୍ରଧାନମନ୍ତ୍ରୀ ସୁରକ୍ଷା ପରିଷଦର ଏକ ଅଣଆନୁଷ୍ଠାନିକ ବୈଠକ ଡାକିବେ । ସଂଘର୍ଷ ରୋକିବା ଓ ସାଇବର ସିକ୍ୟୁରିଟି ଉପରେ ଏଥିରେ ଆଲୋଚନା ହେବ । ଜାତିସଂଘର ସବୁ ସଦସ୍ୟ ଏଥିରେ ଭାଗ ନେଇପାରିବେ । ଜାତିସଂଘର ଏଜେଣ୍ଡା ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଏସ୍ତୋନିଆ ପ୍ରତିପକ୍ଷଙ୍କ ମଧ୍ୟରେ ଚଳିତ ସପ୍ତାହରେ କଥାବାର୍ତ୍ତା ହୋଇଛି । ଫୋନରେ ଦୁଇ ନେତା ଏଜେଣ୍ଡା ନେଇ କଥାବାର୍ତ୍ତା କରିଥିଲେ । କୋରୋନା ଭାଇରସର ମୁକାବିଲା ପାଇଁ ଡିଜିଟାଲ୍ ଟୁଲ୍ର ବ୍ୟବହାର ଉପରେ ଭଲ ଆଲୋଚନା ହୋଇଛି । ଜାତିସଂଘର ଫ୍ରେମୱାର୍କ ମଧ୍ୟରେ ଭାରତର ସହଯୋଗ ନେଇ ଆଲୋଚନା ହୋଇଥିବା ଜୟଶଙ୍କର ଟ୍ବିଟ୍ କରି ଉଲ୍ଲେଖ କରିଛନ୍ତି ।