ହାଇଦ୍ରାବାଦ: କୋଭିଡ-19 ମହାମାରୀ ଯୋଗୁଁ ଆଇଟି ବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଛଟେଇ ହେବ ବୋଲି ଆଜିକାଲି ଯେଉଁ ପ୍ରଚାର କରାଯାଉଛି, ସେଥିରେ ସତ୍ୟତା ନାହିଁ ବୋଲି ଆଇଟି କ୍ଷେତ୍ରର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଯଦି ଆଇଟି କ୍ଷେତ୍ରର କର୍ମଚାରୀମାନେ ସଦ୍ୟତମ ଜ୍ଞାନକୌଶଳ ସଂପର୍କରେ ଜ୍ଞାନ ଆହରଣ କରିବାରେ ଲାଗି ରହନ୍ତି, ତେବେ ସେମାନେ ଚାକିରୀ ହରାଇବାର ଆଶଙ୍କା କରିବା ଦରକାର ନାହିଁ ବୋଲି ସେମାନେ ଭରସା ଦେଇଛନ୍ତି ।
ହେଲେ, ଯେଉଁମାନେ ଏହି କ୍ଷେତ୍ରରେ ନିଯୁକ୍ତି ପାଇସାରିଛନ୍ତି ଏବଂ ସାରା ଜୀବନ ପାଇଁ ଉପାର୍ଜନ ବନ୍ଦୋବସ୍ତ ହୋଇଗଲା ବୋଲି ଭାବି କୌଣସି ନୂତନ ଜ୍ଞାନକୌଶଳ ପ୍ରତି ମନ ବଳାଉ ନାହାନ୍ତି, ସେମାନେ ଆଗକୁ ନିଶ୍ଚିତ ଭାବେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଏହି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ବିଶେଷତଃ, କ୍ୟାମ୍ପସ୍ ସାକ୍ଷାତ୍କାର ଜରିଆରେ ମନୋନୀତ ହୋଇ ଏକ ଲୋଭନୀୟ ଦରମା ପ୍ୟାକେଜ୍ ସହିତ ଯେଉଁମାନେ ନିଯୁକ୍ତି ପାଇଛନ୍ତି, କିନ୍ତୁ କୌଣସି ନୂଆ ବା ସଦ୍ୟତମ ଜ୍ଞାନକୌଶଳ ସଂପର୍କିତ ଜ୍ଞାନ ଆହରଣରୁ ଦୂରେଇ ରହିଛନ୍ତି, ସେମାନେ ନିଶ୍ଚିତ ଭାବେ ସମସ୍ୟାରେ ପଡିବେ ।
ଆଜିକାଲି ଯାନ୍ତ୍ରିକ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଅବାଧ ପ୍ରୟୋଗ ହେଉଥିବା ବେଳେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରକାଶିତ ନୂଆ ନୂଆ ତଥ୍ୟ ଜାଣିବାର ଅଭ୍ୟାସ ନ ରଖିଲେ, ଆଇଟି କ୍ଷେତ୍ରର ନିଯୁକ୍ତିକୁ ଏହା ପ୍ରଭାବିତ କରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଟୋମେସନ, ମେସିନ୍ ଲର୍ଣ୍ଣିଂ, 5ଜି ପ୍ରଭୃତି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର କେତେକ ନୂଆ ଜ୍ଞାନକୌଶଳ ଏବଂ ନିକଟ ଭବିଷ୍ୟତରେ ଏହାର ଖୁବ୍ ଅଧିକ ଚାହିଦା ଦେଖାଦେବ ।
ଆଇଟି କ୍ଷେତ୍ରର ନିଯୁକ୍ତିଦାତାମାନେ କହନ୍ତି ଯେ ଯଦି ପୁରୁଣା କର୍ମଚାରୀମାନେ ଏହି ସବୁ ନୂତନ ଜ୍ଞାନକୌଶଳ ଉପଯୋଗ କରି କାର୍ଯ୍ୟ କରିବାରେ ସକ୍ଷମ ନ ହୁଅନ୍ତି, ତେବେ ସଂପୃକ୍ତ ସଂସ୍ଥାର ଫାଇଦା ପାଇଁ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ନୂତନ ପ୍ରତିଭାସଂପନ୍ନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି କାରଣରୁ ହିଁ ଆଇଟି କ୍ଷେତ୍ରରେ ନିଯୁକ୍ତିରୁ ଅପସାରଣ ପ୍ରକ୍ରିୟା ଅପରିହାର୍ଯ୍ୟ ସାବ୍ୟସ୍ତ ହେବାକୁ ଯାଉଛି ବୋଲି ସ୍ଥାନୀୟ ଆଇଟି କ୍ଷେତ୍ରର କେତେକ ସୂତ୍ର ମଧ୍ୟ ପ୍ରକାଶ କରିଛନ୍ତି ।
ସଜାଗ ହୁଅନ୍ତୁ ଏବଂ ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତ ରହନ୍ତୁ
ପ୍ରତ୍ୟେକ ସଂସ୍ଥା,ଏହାର କର୍ମକ୍ଷେତ୍ରରେ କର୍ମଚାରୀମାନଙ୍କର ପୂରା ଗୋଟିଏ ବର୍ଷର ପ୍ରଦର୍ଶନର ମୂଲ୍ୟାୟନ ପ୍ରକ୍ରିୟା ପରବର୍ତ୍ତୀ ବର୍ଷ ମାର୍ଚ୍ଚରୁ ମେ ମାସ ଭିତରେ କରିଥାଏ । ଏହି ମୂଲ୍ୟାୟନର ଫଳାଫଳ ଭିତ୍ତିରେ ସେମାନଙ୍କ ପ୍ରତିଭାର ରେଟିଂ ବା ପାହ୍ୟାସ୍ଥିର କରାଯାଏ ଏବଂ ସେହି ଅନୁସାରେ ସେମାନଙ୍କ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ ସହିତ ପ୍ରଶଂସା କରାଯାଏ କିମ୍ବା କାର୍ଯ୍ୟରୁ ଅନ୍ତର କରିବାର ନିଷ୍ପତ୍ତି ନିଆଯାଏ । ନିକଟରେ କୋଭିଡ୍-19 ପ୍ରାଦୁର୍ଭାବ ଯୋଗୁଁ ଗୋଟି ଗୋଟି କରି ସବୁ ସଂସ୍ଥା ଉପରେ ଆର୍ଥିକ କ୍ଷତିର ବୋଝ ପଡିଛି ।
ବିଶେଷତଃ ଭାରତ ଭଳି ଦେଶରେ, ଯେଉଁଠି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅନ୍ୟାନ୍ୟ ଦେଶରୁ ମିଳୁଥିବା ପ୍ରୋଜେକ୍ଟର ଅଭାବ ଲାଗି ରହିଛି, କମ୍ପାନୀଗୁଡିକ ପାଇଁ ବଡ ଧରଣର ଆର୍ଥିକ ଓ ପରିଚାଳନାଗତ ବିପତ୍ତି ଆଶଙ୍କା ରହିଛି । ଏହି ସ୍ଥିତିର ମୁକାବିଲା ଲାଗି, କେତେକ କମ୍ପାନୀ କର୍ମାଚାରୀମାନଙ୍କର ପରିବର୍ତ୍ତନଶୀଳ ଦରମା କାଟ୍ କରୁଛନ୍ତି ଏବଂ ଅନ୍ୟ କେତେକ କମ୍ପାନୀ ଭଲ ପ୍ରଦର୍ଶନ କରୁନଥିବା କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପ୍ରକ୍ରିୟା ହାତକୁ ନେଇଛନ୍ତି । ବିଶେଷତଃ କ୍ୟାମ୍ପସ୍ ନିଯୁକ୍ତି ଏବଂ ଅନ୍ୟାନ୍ୟ ନିଯୁକ୍ତି ପ୍ରକ୍ରିୟାରେ କାଣ୍ଟଛାଣ୍ଟ କରି ସେମାନେ ନୂତନ ନିଯୁକ୍ତି ପ୍ରଦାନ ବ୍ୟବସ୍ଥାକୁ ମନ୍ଥର କରିଦେଇଛନ୍ତି ।
ପୃଥକ୍ବାସର ଉପଯୁକ୍ତ ଉପଯୋଗ କରନ୍ତୁ
ବିଶେଷଜ୍ଞମାନଙ୍କ ମତରେ, ଆଇଟି କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳ ଶିଖିବା ଲାଗି ପୃଥକ୍ ଭାବେ ରହିବା ବା କ୍ବାରେଣ୍ଟାଇନ ଉପଯୁକ୍ତ ସମୟ । ଅଫିସ୍ରେ କାମ କରିବା ବେଳେ ନୂତନ ଜ୍ଞାନକୌଶଳ ପ୍ରତି ଧ୍ୟାନ ଦେବାକୁ ସମୟ ଏବଂ ସୁଯୋଗ ମିଳେନାହିଁ । ଘରେ ରହି କାମ କରୁଥିବା ବେଳେ ନୂଆ ନୂଆ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଶିଖିବା ଲାଗି ଏହି ସମୟକୁ ଆପଣ ଏକ ସୁଯୋଗ ବୋଲି ବିଚାର କରିବା ଉଚିତ୍ । ବିଶେଷଜ୍ଞମାନେ ଆହୁରି କହନ୍ତି ଯେ ଜଣେ କର୍ମଚାରୀଙ୍କ ଚାକିରୀର ସୁରକ୍ଷା, ନୂଆ ନୂଆ କୌଶଳ ଶିଖିବାରେ ଏବଂ ନିଜ ଜ୍ଞାନ ବିସ୍ତାରିତ କରିବା ଦିଗରେ ତାଙ୍କ ଉଦ୍ୟମ ଓ ପ୍ରଯତ୍ନ ଉପରେ ସଂପୂର୍ଣ୍ଣ ନିର୍ଭର କରେ ।
ଆପଣଙ୍କ ମାନସ ମନ୍ଥନ ଲାଗି ନିମ୍ନରେ କେତେକ ପରିସଂଖ୍ୟାନ ଦିଆଗଲା: