ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘୋଷଣା କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ପୁରିଲା 44 ବର୍ଷ । 1975 ମସିହା ଜୁନ 25 ତାରିଖରେ ହୋଇଥିଲା ଏହି ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିକୁ ଦେଶରେ ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କୁହାଯାଏ । ତେବେ ଏହି ଦିନକୁ ନେଇ ବିଜେପିର ତମାମ ବରିଷ୍ଠ ନେତା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।
ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ଲୋକତନ୍ତ୍ରର ହତ୍ୟାର ଅଭିଯୋଗ ଆଣିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରି ଆଜିର ଦିନକୁ ମନେ ପକାଇଛନ୍ତି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଦେଶବାସୀଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା ।