ବେଙ୍ଗାଲୁରୁ: ଆସନ୍ତା ଅକ୍ଟୋବର 21ରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର 64 ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏହାରି ଭିତରେ ରହିଛି କିଛିଦିନ ପୂର୍ବରୁ ଚର୍ଚ୍ଚାରେ ରହିଆସିଥିବା କର୍ଣ୍ଣାଟକର 15 ଆସନ । କର୍ଣ୍ଣାଟକ ରାଜନୀତିରେ ବେଶ ଗୁରୁତ୍ବବହନ କରୁଛି ଏହି ଉପନିର୍ବାଚନ । କାହିଁକିନା ଏହାର ଫଳାଫଳ ୟଦୁରପ୍ପା ସରକାରଙ୍କୁ ଭାଙ୍ଗି ମଧ୍ୟ ଦେଇପାରେ । ସେମିତିରେ ବି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କୁମାରସ୍ବାମୀ ଶୁକ୍ରବାର ଦମ୍ଭୋକ୍ତି କରିଛନ୍ତି । ଖୁବଶୀଘ୍ର ୟେଦୁରପ୍ପା ସରକାର ଭାଙ୍ଗିବ ବୋଲି ସେ କହିଥିଲେ ।
ଉପନିର୍ବାଚନ ଅଙ୍କ ବଦଳାଇ ଦେଇପାରେ କର୍ଣ୍ଣାଟକ ଗଣିତ ! - କର୍ଣ୍ଣାଟକ ଉପନିର୍ବାଚନ
ପୁଣି କଂଗ୍ରେସ-ଜେଡିଏସ ଆଡକୁ ଓଲଟି ଯିବନି ତ କର୍ଣ୍ଣାଟର ରାଜନୀତି । ବିରୋଧୀ ଶିବିରରେ ନୂଆ ଆଶା ସଞ୍ଚାର କରିଛି ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଅନ୍ୟପଟେ ଚିହିକି ଉଠିଛି ଶାସକ ଶିବିର । ମନେହେଉଛି, ଆରମ୍ଭ ହୋଇଗଲା କର୍ଣ୍ଣାଟକ ନାଟକ ପାର୍ଟ-2 ।
କିଛିଦିନ ପୂର୍ବରୁ ଲଗାତାର ଭାବରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା କର୍ଣ୍ଣାଟକ ରାଜନୀତି । 17 ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତି ନାଟକୀୟ ମୋଡ ନେଇଥିଲା । 14 ମାସର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଭାଙ୍ଗିବାରେ ସଫଳ ହୋଇଥିଲା ବିଜେପିର ମାଷ୍ଟରପ୍ଲାନ । ସପକ୍ଷରେ 99 ଏବଂ ବିପକ୍ଷରେ 105 ଭୋଟ ପଡିବା ଯୋଗୁଁ ଆସ୍ଥାଭୋଟରେ ପରାଜିତ ହୋଇଥିଲେ କୁମାରସ୍ବାମୀ । ପୁଣିଥରେ ସରକାରକୁ ଫେରିଥିଲେ ୟେଦୁରପ୍ପା ।
ଯେଉଁ 17 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି, ସେମାନଙ୍କ ମଧ୍ୟରୁ 2 ଜଣଙ୍କ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ହେଲେ ଅନ୍ୟ ସମସ୍ତ 15 ବିଧାନସଭା ଆସନରେ ଆସନ୍ତା ଅକ୍ଟୋବର 21ରେ ଉପନିର୍ବାଚନ ହେବ । ଆଉ ଏହି ଉପନିର୍ବାଚନର ଫଳାଫଳ ଯଦି କଂଗ୍ରେସ-ଜେଡିଏସ ସପକ୍ଷରେ ଯାଏ, ତେବେ ୟେଦୁରପ୍ପା ସରକାର ଭାଙ୍ଗିବା ଅବଶ୍ୟମ୍ଭାବୀ । ଯେଉଁଥିପାଇଁ ଏବେ କର୍ଣ୍ଣାଟକର ଏହି 15 ଆସନରେ ହେବାକୁ ଥିବା ଉପନିର୍ବାଚନର ଗୁରୁତ୍ବ ସାଧାରଣ ନିର୍ବାଚନ ପରି ମନେ ହେଉଛି । ଆହୁରିମଧ୍ୟ କଂଗ୍ରେସ-ଜେଡିଏସ ଭିତରେ ନୂଆ ଆଶା ସଞ୍ଚାର କରୁଛି ।