ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସଂଗ୍ରାମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । କଳାବଜାରୀ ଓ ଟଙ୍କା ହେରଫେର ମାମଲାରେ ଏହି ଚଢାଉ ହୋଇଛି । 13ରୁ ଅଧିକ ଠିକଣାରେ ଚଢାଉ ହୋଇଥିବା ବେଳେ ଏଥିରେ ଅନେକ ଦସ୍ତାବିଜ ହାତରେ ଲାଗିଥିବା ଇଡି ପକ୍ଷରୁ ଦାବି କରାଯାଇଛି । ତେବେ 70 କୋଟିର ଘୋଟାଲା ହୋଇଥିବା କୁହାଯାଉଛି ।
ଇଡିର ସୂତ୍ର ଅନୁସାରେ ଏହି ମାମଲା 2007ରୁ 2009 ମଧ୍ୟରେ ହୋଇଛି । ଏହି ସମୟରେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହ ସରକାର ଶାସନରେ ଥିଲେ । ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ପାଖରେ କୃଷକଙ୍କୁ ବିକ୍ରି କରାଯାଉଥିବା ୟୁରିଆ ସାରର ଫ୍ୟାକ୍ଟ୍ରି ରହିଥିଲା । ଏହି ୟୁରିଆ କମ ମୂଲ୍ୟରେ କୃଷକଙ୍କୁ ବିକ୍ରି କରାଯାଉଥିଲା । ତେବେ ସମସ୍ତ ଆଇନ କାନୁନ ଆଖିରେ ଧୂଳି ଦେଇ ଅଗ୍ରସେନ ଗେହଲଟ ଷଡଯନ୍ତ୍ର ରଚନା କରିବା କରି ଏହି ୟୁରିଆର କଳାବଜାରୀ କରିଥିବା ଅଭିଯୋଗ ରହିଛି ।