ନୂଆଦିଲ୍ଲୀ: ସାରା ବିଶ୍ବରେ ବିସ୍ତାର ହେବାରେ ଲାଗିଛି ମାରାତ୍ମକ ଭୂତାଣୁ କୋରୋନା । ଏପରି ସ୍ଥଳେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ରେମ୍ଡେସିଭିର ଔଷଧ କୋରୋନା ଭୂତାଣକୁ ରୋକିବାର ସଫଳ ହେବା ଖବର ପୂର୍ବରୁ ଆସିଛି । ଏବେ କୋରୋନା ଚିକିତ୍ସାରେ ପ୍ରଭାବଶାଳୀ ଔଷଧ ଥିବା ରେମ୍ଡେସିଭିର ମଧ୍ୟ ଦେଶରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇପାରେ । ଏହି ପ୍ରସଙ୍ଗରେ ବୁଧବାର କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ ପ୍ରାଧିକରଣ (ସିଡିଏସକୋ) ସହିତ ରେମଡେସିଭିର ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ଔଷଧ ପାଇଁ କମ୍ପାନୀ ପୂର୍ବରୁ ଏକ ପେଟେଣ୍ଟ ଦାଖଲ କରିସାରିଛି ଏବଂ ଏହି ଔଷଧ ଉତ୍ପାଦନ ତଥା ବିତରଣ ପାଇଁ ତିନୋଟି ଭାରତୀୟ କମ୍ପାନୀ ସହ ସହଭାଗୀ ହୋଇଛି ।
ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯିବା ପାଇଁ ଆମେରିକାର ଡ୍ରଗ୍ ଆଡମିନିଷ୍ଟ୍ରେସନ ଜରୁରୀକାଳୀନ ଅନୁମୋଦନ ଦେଇଛି । କେତେକ ସର୍ତ୍ତ ସହିତ ଜାପାନରେ ମଧ୍ୟ ଅନୁମୋଦନ ଦିଆଯାଇଛି । ପ୍ରକାଶ ଯେ, ୟୁରୋପୀୟ ୟୁନିଅନ୍ ମଧ୍ୟ ଏହି ଔଷଧକୁ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି।