ହାଇଦ୍ରାବାଦ: କୋରୋନା ପାଇଁ ଦେଶ ଏବେ ଲକ ଡାଉନ । ଏହି ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଘରେ ରହିବାକୁ ପଡୁଛି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ସହାୟତା ପ୍ରଦାନ କରିବ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ (MHRD) ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ବଂୟପ୍ରଭା କାର୍ଯ୍ୟକ୍ରମ । ଏହାଦ୍ବାରା ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ । ବିଶେଷକରି କେମିକାଲ ଇଞ୍ଜିନିୟରିଂ ଓ ବାୟୋକେମିଷ୍ଟ୍ରି ଭଳି ବିଶେଷ ପାଠ୍ୟକ୍ରମ ପାଇଁ ଚ୍ୟାନେଲ 11ରେ ସୁବିଧା ଉପଲବ୍ଧ ରହିଛି ।
ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ବଂୟପ୍ରଭାରେ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମରେ ରାସାୟନିକ ଇଞ୍ଜିନିୟରିଂ, ରସାୟନ ବିଜ୍ଞାନ ଏବଂ ବାୟୋକେମିଷ୍ଟ୍ରି ଆଦି ବିଷୟଗୁଡିକୁ ଚ୍ୟାନେଲ 11ରେ ପଢାଯାଉଛି । ଏହି ପାଠ୍ୟକ୍ରମଗୁଡ଼ିକ ଭାରତର ଶ୍ରେଷ୍ଠ ଅନୁଷ୍ଠାନର ବିଶେଷଜ୍ଞମାନଙ୍କ ଦ୍ବାରା ପ୍ରସ୍ତୁତ ଏବଂ ବିତରଣ କରାଯାଉଛି । ଏହି ବିଷୟଗୁ଼ଡିକ ଦ୍ବାରା ଛାତ୍ରମାନଙ୍କୁ ଅତ୍ୟାଧୁନିକ ଜ୍ଞାନ ସହଜରେ ଉପଲବ୍ଧ କରାଯାଇପାରୁଛି । ଚ୍ୟାନେଲ 11ର ଜାତୀୟ ପରିଚାଳକ ଆଇଆଇଟିର ପ୍ରଫେସର କୁଶାଲ ସେନ ରହିଥିବା ବେଳେ ଚ୍ୟାନେଲ ପରିଚାଳକ ଆଇଆଇଟି ଖଡଗପୁରର ପ୍ରଫେସର ସୁନନ୍ଦୋ ଦାସଗୁପ୍ତା ରହିଛନ୍ତି ।ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ (MHRD) ପକ୍ଷରୁ ଇ-ଲର୍ଣ୍ଣିଂ ପଦକ୍ଷେପ କ୍ରମେ ସ୍ବଂୟପ୍ରଭା ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପାଠ୍ୟକ୍ରମରେ ସରକାର 32ଟି DTH ଚ୍ୟାନେଲ ମାଧ୍ୟମରେ ଛାତ୍ରମାନଙ୍କୁ ସେମାନଙ୍କର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବାକୁ ପ୍ରୟାସ କରିଛନ୍ତି । 9 ଜୁଲାଇ 2017ରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏବେ ଲକ ଡାଉନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ବେଶି ସହାୟକ ହେଉଛି ।ସ୍ବଂୟପ୍ରଭା ହେଉଛି 32 DTH ଚ୍ୟାନେଲର ଏକ ଗୋଷ୍ଠୀ ଯାହାକି GSAT-15 ଉପଗ୍ରହ ବ୍ୟବହାର କରି 24X7 ଆଧାରରେ ଉଚ୍ଚ-ଗୁଣାତ୍ମକ ଶିକ୍ଷାଗତ ପ୍ରୋଗ୍ରାମର ଟେଲି ପ୍ରସାରଣ କରିଥାଏ । ପ୍ରତ୍ୟେକ ଦିନ ଅତି କମରେ 4 ଘଣ୍ଟା ପାଇଁ ନୂତନ ବିଷୟବସ୍ତୁ ଶିକ୍ଷାଦାନ କରାଯାଇଥାଏ । ଯାହାକୁ ଦିନରେ 5 ଥର ପୁନରାବୃତ୍ତି କରାଯାଇଥାଏ । ଯାହା ଛାତ୍ରଛାତ୍ରୀମାନେ ସେମାନଙ୍କ ସୁବିଧା ଅନୁସାରେ ଶିକ୍ଷା ଗ୍ରହଣ କରିପାରନ୍ତି । | ଚ୍ୟାନେଲଗୁଡିକ ଭାସ୍କରଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଫର ସ୍ପେସ ଆପ୍ଲିକେସନ୍ସ, ଗାନ୍ଧିନଗରରୁ ସଂଯୋଗ କରାଯାଇଛି । କାର୍ଯ୍ୟକ୍ରମର ବିଷୟବସ୍ତୁଗୁଡିକ National Programme on Technology Enhanced Learning, Indian Institutes of Technology, University Grants Commission, Consortium For Educational Communication, Indira Gandhi National Open University, National Council Of Educational Research And Training, National Institute of Open Schooling ଦ୍ବାରା ପ୍ରଦାନ କରାଯାଉଛି । ସେହିପରି Information and Library Network Centre ସ୍ବଂୟପ୍ରଭାର ୱେବ ପୋର୍ଟାଲ ପରିଚାଳନା କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ