ଲକଡାଉନ୍ ଭିତରେ ହିଁ ନୂଆଦିଲ୍ଲୀରେ ଏବଂ ବୋଧହୁଏ ସାରା ବିଶ୍ବରେ, 2020 ଏପ୍ରିଲ 22 ତାରିଖ ହେବ ଏକ ଐତିହାସିକ ଦିନ । କାରଣ 1970 ମସିହା ପରଠାରୁ ଏହା ହେବ ସବୁଠାରୁ ପରିଚ୍ଛନ୍ନ ଧରିତ୍ରୀ ଦିବସ । ଶେଷରେ ହୁଏତ ସ୍ବର୍ଗରେ ଥାଇ ହସୁଥିବେ ଏହି ଦିବସର ସ୍ରଷ୍ଟା ଜନ୍ ମ୍ୟାକ୍ନେଲ୍ । ବିଷାକ୍ତ ବାଦଲ କି ବାଷ୍ପର ଚିହ୍ନବର୍ଣ୍ଣ ନଥିବ । ଅମ୍ଲଜାନର ଆଧିକ୍ୟ ଯୋଗୁଁ ହୁଏତ ପରୀମାନେ ବି ସାମାନ୍ୟ ଭାବବିହ୍ବଳ ହୋଇଥିବେ ।
କିନ୍ତୁ ମହାଜାଗତିକ ଘଟଣାବଳୀକୁ ବାଦ୍ ଦେଇ ପ୍ରଶ୍ନ ଉଠେ ଯେ ଆମେ ଆମ ଗ୍ରହକୁ ସୁରକ୍ଷିତ ରଖିପାରିବା କି ? ଏହାର ବାୟୁ ଓ ଜଳ ପରିଷ୍କାର ରହିବା ସତ୍ତ୍ବେ ଅର୍ଥନୀତିର ବିକାଶ ଘଟିବ ବୋଲି କଣ ଅଙ୍ଗୀକାରବଦ୍ଧ ହୋଇପାରିବା ? ଯେତେବେଳେ ବି ଆମେ ଆତ୍ମସମୀକ୍ଷା କରୁ, ‘ପ୍ରକୃତି ଉପରେ ବିଜୟଲାଭ’ ପାଇଁ ଆମ ପ୍ରଚେଷ୍ଟା, ଆମ ପୃଥିବୀକୁ ଅନ୍ଧକାରାଚ୍ଛନ୍ନ ବିଲୟ ଭିତରକୁ ଟାଣି ନେଉଥିବା ବିଷୟ ସ୍ପଷ୍ଟ ହୋଇଉଠେ ।
ଆଣବିକ ଯୁଦ୍ଧକୁ ବାଦ୍ ଦେଲେ, ପରିବେଶ କ୍ଷୟ ହିଁ ମଣିଷ ଜୀବନ ପ୍ରତି ସବୁଠାରୁ ବଡ ବିପତ୍ତି ରୂପେ ଉଭା ହୋଇଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହାର ପରିଣାମ ଖୁବ ସଙ୍ଗୀନ ହେବ ବୋଲି ଆଶଙ୍କା ଉପୁଜିଛି । ନିକଟରେ ‘ଡେମୋକ୍ରାସି ନାଓ’ ଶୀର୍ଷକ ସମ୍ବାଦ ପରିବେଷଣ କାର୍ଯ୍ୟକ୍ରମରେ ଭାଗ ନେଇ ନୋଆମ୍ ଚୋମ୍ସ୍କି କହିଥିଲେ ଯେ ଜଳ ସମ୍ବଳ ସଂକୋଚନ ଜନିତ ବିବାଦକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହୋଇପାରେ । ସାମୂହିକ ଭାବେ ପୃଥିବୀ ଉପରେ ଅତିଶୟ ବୋଝ ପଡିସାରିଲାଣି ଏବଂ ଏହା ଆଉ ଅଧିକ ହିଂସା ବରଦାସ୍ତ କରିପାରିବନି । ବିଭିନ୍ନ ରୋଗ ଏବଂ ବିଶ୍ବ ମହାମାରୀ ହେଉଛି ମଣିଷକୁ ସୁଧାରିବା ଲାଗି ପ୍ରକୃତିର ଏକ ଚେତାବନୀ ସଦୃଶ । ଏହା କହେ ପରିବେଶ ତନ୍ତ୍ରକୁ ନଷ୍ଟ କରିବା ଉଦ୍ୟମରୁ ବିରତ ରୁହ ଏବଂ ଏକ ନୂତନ ଅର୍ଥନୀତି ଏବଂ ଏକ ନୂତନ ବିଶ୍ବର ପୁନର୍ଗଠନ କର ।
କେମିତି ଆମେ ଏକ ନୂତନ ବିଶ୍ବ ଗଠନ କରିପାରିବା ? ଆମେ କଣ ବସ୍ତୁବାଦୀ ପୃଥିବୀକୁ ପରିତ୍ୟାଗ କରିବା, ଆମ ଦାୟିତ୍ବରୁ ଓହରିଯିବା ଏବଂ ଜ୍ଞାନକୌଶଳ ରହିତ ଏକ ଜୀବନକୁ ଆଦରି ନେଇ ସନ୍ନ୍ୟାସୀ ସାଜି ଜଙ୍ଗଲରେ ରହିବା ? ନା, ଯଦିବା କୋରୋନା ଭାଇରସ୍ ଏକ ମାରାତ୍ମକ ଦୁର୍ବିପାକ, ତଥାପି ନିର୍ବୋଧ ଭାବେ ଜୀବନକୁ ଉପଭୋଗ କରିବା ଛାଡି ଏକ ନୂତନ ଦୃଷ୍ଟାନ୍ତଯୋଗ୍ୟ ପୃଥିବୀର ପରିକଳ୍ପନା କରିବା ଲାଗି ଏହା ମଧ୍ୟ ଆମକୁ ଏକ ସୁଯୋଗ ପ୍ରଦାନ କରେ । ଏମିତି ଏକ ପୃଥିବୀ, ଯେଉଁଠି ଥିବ ସ୍ବାସ୍ଥ୍ୟକର ବାୟୁ, ପରିଷ୍କାର ଜଳ ଏବଂ ଆମ ସହରରେ ପୁଣି ଶୁଭୁଥିବ ପକ୍ଷୀଙ୍କ କଳରବ ।
ଜଳବାୟୁ ପରିବର୍ତ୍ତନ ଏବଂ ବିଲୋପନ ଆଶଙ୍କାରୁ ବର୍ତ୍ତିବା ପାଇଁ ଆମକୁ ଆମ ଜୀବନରେ ଏବଂ ଅର୍ଥନୀତିରେ ପାଞ୍ଚଟି ନୀତି ଆପଣେଇ ନେବାକୁ ପଡିବ- ହ୍ରାସ କରିବା, ପୁନର୍ବ୍ୟବହାର, ପୁନର୍ଜାତ କରିବା, ସ୍ବଦେଶୀ ଏବଂ କୃଷି ପରିବେଶ । ଆମ ପାଇଁ ଆବଶ୍ୟକ ଏକ ଶକ୍ତିଶାଳୀ ସବୁଜ ଅର୍ଥନୀତି (ପ୍ରଦୂଷଣ ବିହୀନ, ଘୂର୍ଣ୍ଣାୟମାନ, ଅକ୍ଷୟ ଶକ୍ତି ଆଧାରିତ ଇତ୍ୟାଦି) ଯାହା ଦ୍ବାରା ଆମେ ଭାରତର ଏବଂ ବିଶ୍ବର ପୁନର୍ଗଠନ କରିପାରିବା । ପୃଥିବୀକୁ ନଷ୍ଟ କରିବା ଲାଗି ଜ୍ଞାନକୌଶଳ ପ୍ରୟୋଗରେ ହିଁ ଗତ ଶତାବ୍ଦୀର ଅଧିକାଂଶ ସମୟ ବିନିଯୋଗ ହୋଇଛି । ଏବେ ଦୁହିଁଙ୍କୁ ଯୋଡି ରଖିବାର ସମୟ ଉପନୀତ । ଶିଳ୍ପ ବିପ୍ଳବ 4.0 ଗଢି ତୋଳିବା ଲାଗି ଦରକାର ଅଣ ପ୍ରଦୂଷଣକାରୀ, ଘୂର୍ଣ୍ଣନଶୀଳ ଏବଂ ଅକ୍ଷୟ ଶକ୍ତି ଆଧାରିତ ଜ୍ଞାନକୌଶଳ ।
କିନ୍ତୁ କେଉଁଠାରୁ ଏହି ଯାତ୍ରାପଥ ଆରମ୍ଭ ହୁଏ ? ଆମ ଜୀବନଚର୍ଯ୍ୟା ଭିତରେ ଏକ ବିଶ୍ବ ସଚେତନତା ପ୍ରବେଶ କରାଇ ଆମେ ଏହି ଯାତ୍ରା ଆରମ୍ଭ କରିବା । ଧରିତ୍ରୀ ଜୀଇଁ ରହିଛି । ସେ କେବଳ ଏକ ଆବର୍ଜନା ଭର୍ତ୍ତିଭୂଖଣ୍ଡ କିମ୍ବା ପାଣି କିମ୍ବା ଖନନଯୋଗ୍ୟ ପର୍ବତ ନୁହେଁ । ଏହି ଜୀବନ୍ତ ଗ୍ରହରେ ଆମ ମାଧ୍ୟମରେ ସେ ବି ବଞ୍ଚି ରହେ । ଧରିତ୍ରୀର ହୃଦୟ ସଙ୍ଗୀତର ଅନୁଭୂତି ପାଇଁ ଆମକୁ ପୁଣି ଥରେ ଆମ ଭୂମି, ଆମ ପାହାଡ କିମ୍ବା ମାଟି ସହ ଯୋଡି ହେବାକୁ ପଡିବ । ଏ ଧରିତ୍ରୀ ବଞ୍ଚିଛି, ଆଉ ବଞ୍ଚି ରହିଛି ତା’ର ବିଭବ । ମର୍ଯ୍ୟାଦା ସହକାରେ ଆମକୁ ତାକୁ ସମ୍ମାନ ଦେବାକୁ ପଡିବ ।
ଥରେ ଆମ ଭିତରେ ଏହି ସଚେତନତା ଭରିଗଲେ, ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଆମେ ଏହି ଗ୍ରହ ଉପରେ ଆମ ଛାପ ଛାଡିଯିବାର ପ୍ରୟାସକୁ ହ୍ରାସ କରିବା । ଆମେ ଯେକୌଣସି କ୍ରିୟା କଲେ ବା ଯେ କୌଣସି ବସ୍ତୁର ଉପଯୋଗ କଲେ, ଏହି ପୃଥିବୀ ଉପରେ ତା’ର ପ୍ରଭାବ ପଡିଥାଏ । ତଥାପି ବଡ ବଡ ଘର, ବହୁତଗୁଡିଏ କାର୍ ପ୍ରଭୃତି ଭଳିପ୍ରସଙ୍ଗ ଆମର ସବୁ ସଫଳତାର ମାପଦଣ୍ଡ, ଯାହାକି ପରିବେଶର ଭାରସାମ୍ୟ ନଷ୍ଟ କରେ । ପାଣି, ଜୀବାଶ୍ମରୁ ପ୍ରାପ୍ତ ଇନ୍ଧନ ଏବଂ ବିଦ୍ୟୁତ୍ ଶକ୍ତି ବ୍ୟବହାର କମ୍ କରିବା କେବଳ ଯେ ‘ବୁଦ୍ଧିମାନ’ର କାମ ତା ନୁହେଁ, ବରଂ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ମଧ୍ୟ । ଆମକୁ ଏହି ସାମୂହିକ ଉପଭୋଗବାଦ ଏବଂ ଜୀବାଶ୍ମ ଇନ୍ଧନ ଅର୍ଥନୀତିକୁ ପରିହାର କରି ବିକଳ୍ପ ଉପାୟ ଖୋଜିବାକୁ ପଡିବ ।
ପୃଥିବୀର ସମ୍ବଳ ସୀମିତ ଏବଂ ଏହାର ଉଚ୍ଛୃଙ୍ଖଳ ଅପବ୍ୟୟ ଯୋଗୁଁ ଆମେ ଭବିଷ୍ୟତ ପିଢିର ଭାଗ ବି ଲୁଟି ନେଉଛୁ । ଏହି ପୃଥିବୀକୁ ଶୋଷଣ କରୁଥିବାଭଳି ମନେ ହେଉଥିବା ସାମଗ୍ରୀ କିଣିବା ଆମକୁ ବନ୍ଦ କରିବାକୁ କିମ୍ବା କମ୍ କରିବାକୁ ପଡିବ । ମନେ ରଖନ୍ତୁ, ପ୍ରତ୍ୟେକ ଥର ଆପଣ କିଛି ଜିନିଷ କିଣିବା ସମୟରେ ଭଲ ଭାବେ ଭାବନ୍ତୁ, ପ୍ରକୃତରେ ମୋର ଏହି ଜିନିଷଟି ଆବଶ୍ୟକ କି ? ଏହା ମୋର ଏବଂ ପୃଥିବୀର କ୍ଷତିସାଧନ କରୁଛି କି ? କୌଣସି ବସ୍ତୁର ବ୍ୟବହାର ହ୍ରାସ କରିବାର ଏକ ସରଳ ଉପାୟ ହେଉଛି ଏହାର ପୁନର୍ବ୍ୟବହାର । ବିଶୋଧନ ପ୍ରକ୍ରିୟା ପରେ ନିର୍ଗତ ଗ୍ୟାଲନ୍ ଗ୍ୟାଲନ୍ ପାଣିକୁ ଆମେ ଗଛରେ ଦେବା କିମ୍ବା ବାସନ ଧୋଇବାରେ ବ୍ୟବହାର କରିପାରିବା କିମ୍ବା ପୁରୁଣା ଲୁଗାପଟାକୁ କମ୍ବଳ (କନ୍ଥା)ରେ ପରିଣତ କରିପାରିବା । ବସ୍ତୁର ପୁନର୍ବ୍ୟବହାର ଏବଂ ପୁନଃପ୍ରଚଳନ ଲାଗି ଭାରତରେ ବହୁ ଅଭିନବ ଚିନ୍ତାଧାରା ଭରି ରହିଛି ।
ବ୍ୟକ୍ତିଗତ ଭାବେ ଆମେ ଏବେ ଆମ ଘରର ଅଳିଆକୁ ଅଲଗା ଅଲଗା କରୁଛୁ ଏବଂ ରନ୍ଧାଘରର ବର୍ଜ୍ୟବସ୍ତୁ ସବୁ ମାସ ମାସ ଧରି ପଡି ରହୁଛି । ଏହା ବଦଳରେ ଆମେ ଏହାକୁ କମ୍ପୋଷ୍ଟ ଖତରେ ପରିଣତ କରି ଗଛରେ ଦେଉଛୁ କିମ୍ବା ବୁଲା ଗାଈଗୋରୁଙ୍କୁ ଖାଇବାକୁ ଦେଉଛୁ । ପ୍ରଚୁର ୟୁରିଆ ଏବଂ ଫସ୍ଫେଟ୍ ରହିଥିବାରୁ ‘ମୂତ୍ର’କୁ ମଧ୍ୟ ସହରାଞ୍ଚଳର ବଗିଚାରେ ସାର ଭାବରେ ବ୍ୟବହାର କରାଯାଇପାରିବ । କୌଣସି ବସ୍ତୁର ବହୁ ପ୍ରକାରର ପୁନର୍ବ୍ୟବହାର ଉପାୟ ରହିଥିବାରୁ ଯେତେ ସମ୍ଭବ ସେତେ କମ୍ ନଷ୍ଟ କରନ୍ତୁ ଏବଂ କୌଣସି ଜିନିଷ ଫିଙ୍ଗିଦେଲା ପୂର୍ବରୁ ମୁହୂର୍ତ୍ତକ ପାଇଁ ଅଟକିଯାଇ ଚିନ୍ତା କରନ୍ତୁ, ଆପଣ କୌଣସି ଅନ୍ୟ ଉପାୟରେ ଏହାକୁ କେମିତି ବ୍ୟବହାର କରିପାରିବେ ?
ଦୁଇଟି ନକାରାତ୍ମକ ଢାଞ୍ଚାର ବ୍ୟବହାର ପ୍ରକ୍ରିୟା ପରିତ୍ୟାଗ କଲେ ନିଶ୍ଚିତ ରୂପରେ ପରିବେଶ ଉପରେ ଏକ ବୃହତ୍ ସକାରାତ୍ମକ ପ୍ରଭାବ ପଡିଥାଏ । ମଣିଷ ଏ ବିଶ୍ବର ମାଲିକ ନୁହେଁ । କିନ୍ତୁ ପ୍ରଖ୍ୟାତ ଆମେରିକୀୟ ସଂରକ୍ଷଣବାଦୀ ଆଲ୍ଡୋ ଲିଓପୋଲ୍ଡଙ୍କ ଭାଷାରେ ସେ କେବଳ ଏହି “ଭୂମିର ସେବକ” ମାତ୍ର । ଏହି ଭୂମି ଓ ପୃଥିବୀକୁ ଆମେ ଆମ ପୂର୍ବପୁରୁଷଙ୍କ ନିକଟରୁ ପାଇଛୁ କିନ୍ତୁ ଆମ ପର ପିଢିଠାରୁ ବି ଏହାକୁ ଆମେ ଉଧାର ନେଇଛୁ ।
ଆମ ଘରେ ଆମେ ଏୟାର ପ୍ୟୁରିଫାୟାର ବା ବାୟୁ ବିଶୋଧକ ବ୍ୟବହାର କରି ଏହାର ମଜା ନେଉଥିବାବେଳେ ପୃଥିବୀର ବାୟୁ, ଜଳ ଓ ମାଟିକୁ ଲୁଟିବା ଏବଂ ଜମା କରିବା ଆମର ଉଦ୍ଦେଶ୍ୟ ନୁହେଁ । କେବଳ କାର୍ବନ୍ ନିର୍ଗମନ ଦୃଷ୍ଟିକୋଣରୁ ଆମ କାର୍ଯ୍ୟକଳାପ ଏବଂ ଜଳବାୟୁର ପ୍ରବାହକୁ ବିଚାର କରି କାର୍ବନ ବା ଅଙ୍ଗାରକାମ୍ଳ ହ୍ରାସ କରିବା ପ୍ରକ୍ରିୟାକୁ ଆଦରି ନେବା ଏକମାତ୍ର ସମାଧାନର ପନ୍ଥା ନୁହେଁ । ଏକମାତ୍ର କାର୍ବନ ବ୍ୟବହାର ହ୍ରାସ କରିବା ଭଳି ନକାରାତ୍ମକ ପ୍ରକ୍ରିୟା ବଦଳରେ ଆମକୁ ପୁନଃ ସୃଷ୍ଟି କରିବା ଲକ୍ଷ୍ୟରେ ସାମୂହିକ ଭାବେ ଅନ୍ୟାନ୍ୟ ସକାରାତ୍ମକ ଆଭିମୁଖ୍ୟ ବି ଗ୍ରହଣ କରିବାକୁ ପଡିବ ।
କେବଳ ଜୀବାଶ୍ମ ଇନ୍ଧନ ଅର୍ଥନୀତି ବଦଳରେ ଜୈବ ଇନ୍ଧନକୁ ଗ୍ରହଣ କରିବା ଦିଗରେ କିମ୍ବା କାର୍ବନ ନିର୍ଗମନ ପରିମାଣ ହ୍ରାସ କରାଇବା ଲାଗି ଜ୍ଞାନକୌଶଳ ପ୍ରୟୋଗ ଦିଗରେ ଆମେ ପ୍ରୟାସ କରିବା ଉଚିତ ନୁହେଁ । ବରଂ ଜୀବନର ପ୍ରତିଟିସୋପାନ ନିର୍ବାହ କରିବା ଲାଗି ଅଭ୍ୟୁତ୍ଥିତ ନୀତି ପ୍ରୟୋଗ ଏବଂ ପଦ୍ଧତିଭିତ୍ତିକ ଦୃଷ୍ଟିକୋଣ ବଳରେ ଆମ ଅର୍ଥନୀତି ଏବଂ ଆମ ଜୀବନକୁ ଏକ ନୂତନ ପଥରେ ଆଗେଇ ନେବା ଆମର ଲକ୍ଷ୍ୟ ହେବା ଉଚିତ । ଆମକୁ ଆମ ଅର୍ଥନୀତିକୁ ଏବଂ ସରକାରୀ ଆଭିମୁଖ୍ୟକୁ ଜୈବିକ ନକଲ, ପ୍ରାକୃତିକ ସଂଚାଳନ, ପରିବେଶ ସଚେତନ ଏବଂ ଘୂର୍ଣ୍ଣନଶୀଳ ଅର୍ଥନୀତି ଦିଗରେ ଆଗେଇ ନେବାକୁ ହେବ । ଜଣେ ବ୍ୟକ୍ତି ଭାବରେ ଆପଣଙ୍କ କାର୍ଯ୍ୟକଳାପକୁ କେବଳ ଐକାନ୍ତିକ ଭାବରେ ଗ୍ରହଣ ନକରି ସାରା ବିଶ୍ବର ପ୍ରତିନିଧିତ୍ବ କରୁଥିବା ଜଣେ ବ୍ୟକ୍ତିଭାବରେ ଗ୍ରହଣ କରନ୍ତୁ । ଏଭଳି କାମ କରନ୍ତୁ, ଯାହାକି ଏହି ବିଶ୍ବରେ କିଛିଟା ଯୋଗଦାନ ଦେବ ଏବଂ ଏହାର ମହନୀୟତା ସ୍ବୀକାର କରିବ ।
ଶହେ ବର୍ଷରୁ ଅଧିକ ସମୟ ପୂର୍ବେ ମହାତ୍ମା ଗାନ୍ଧି ଆମ ପାଇଁ କିଛି ସମାଧାନ ପନ୍ଥା ବାହାର କରିଥିଲେ । ସେ ଏହାକୁ କହୁଥିଲେ ସ୍ବଦେଶୀ ଅର୍ଥନୀତି । ସ୍ବୟଂସଂପୂର୍ଣ୍ଣ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥାନୀୟ ସହଯୋଗ ଉପରେ ପର୍ଯ୍ୟବେସିତ ଏହି ପଦ୍ଧତିରେ ପରିବେଶ ଉପରେ ସର୍ବନିମ୍ନ କିମ୍ବା ସକାରାତ୍ମକ ପ୍ରଭାବ ପଡେ । ପ୍ରତ୍ୟେକ ଗାଁକୁ ସ୍ବୟଂସଂପୂର୍ଣ୍ଣ କରିବା ଲାଗି କଳ୍ପନା କରି ଏକ ଆଦର୍ଶ ଗାଁ ସଂପର୍କରେ ସେ ବିସ୍ତୃତ ଭାବେ ଲେଖିଥିଲେ ଯେ “ଦରକାର ପଡିଲେ, ଏହା ସମଗ୍ର ବିଶ୍ବ ବିରୋଧରେ ଯାଇ ଆତ୍ମରକ୍ଷା କରିପାରିବ” । ଏହି ଅର୍ଥନୀତି ଏକ ବିକେନ୍ଦ୍ରୀକରଣ ପଦ୍ଧତି ଉପରେ ଆଧାରିତ ଥିଲା । ଯେଉଁଥିରେ ବଳକା ସାମଗ୍ରୀକୁ ବାଣ୍ଟି ଦିଆଯାଉଥିଲା ଏବଂ ଯାହାର ଉତ୍ପାଦନ କରି ହେଉନଥିଲା ତାହାକୁ ଅନ୍ୟମାନଙ୍କ ନିକଟରୁ ନିଆଯାଉଥିଲା । ପରିବେଶ ସୁରକ୍ଷା ସଂକ୍ରାନ୍ତ ଜ୍ଞାନକୌଶଳ ସହିତ ଏବେ ଭାରତରେ ସ୍ବଦେଶୀ 2.0 ଗ୍ରହଣ କରିନେବାର ସମୟ ଆସିଛି ।
ବର୍ଜନ କରିବା କିମ୍ବା ଘୃଣା କରିବା ଭଳି ଏହା ଏକ ନକାରାତ୍ମକ ପ୍ରକ୍ରିୟା ନୁହେଁ, ବରଂ ନିଜ ଭିତରେ ସ୍ଥିତିସ୍ଥାପକତା ଗଠନ ଲାଗି ଏକ ସକାରାତ୍ମକ ସଂଘର୍ଷର ପନ୍ଥା । ଗୋଟିଏ ପରିବାର ଭାବରେ ଏବଂ ଗୋଟିଏ ରାଷ୍ଟ୍ର ଭାବରେ ଆମେ ନିଜେ ନିଜେ ଯାହା ଉତ୍ପାଦନ କରିପାରିବା ତାହାକୁ ଆଖିରେ ରଖି ଆମକୁ ନିଜ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ କରିବାକୁ ପଡିବ । ଔଷଧ ହେଉ କି ଖାଦ୍ୟ, ଆମକୁ ନିଜେ ନିଜେ ଉତ୍ପାଦନ କରି ନିଜ ପାଇଁ ଉପଲବ୍ଧ କରାଇବାକୁ ପଡିବ । ଆମ ସମସ୍ତଙ୍କର ନିଜେ ନିଷ୍ପତ୍ତି ନେବାର ସାମର୍ଥ୍ୟ ରହିଛି ଏବଂ ସରଳ ଭାଷାରେ କହିବାକୁ ଗଲେ ଆମେ ନିଜେ ଯେତିକି କରିପାରିବା ସେତିକି ବ୍ୟବହାର କରିବା ଉଚିତ । ତାହା ବି ସ୍ଥାନୀୟ ଏବଂ ଦୀର୍ଘସ୍ଥାୟୀ ଉତ୍ପାଦ ହେବା ଉଚିତ । ସ୍ବଦେଶୀ ଏବଂ ଦୀର୍ଘସ୍ଥାୟୀଉତ୍ପାଦ ଉପରେ ବିନିଯୋଗ କରନ୍ତୁ । କୌଣସି ଜିନିଷ କିଣିବା ପୂର୍ବରୁ ନିଜକୁ ନିଜେ ପଚାରନ୍ତୁ ଯେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ କୌଣସି ଦୀର୍ଘସ୍ଥାୟୀ ଏବଂ ଉତ୍ତମ ଗୁଣମାନର ଜିନିଷରେ ଏହାକୁ ବଦଳାଇ ପାରିବି କି ?
ଏବେ ଏହି ସଂକଳ୍ପର ଶେଷ ସ୍ତମ୍ଭ ହେଉଛି କୃଷି-ପରିବେଶ । ଗାଈଗୋରୁ ଏବଂ କୁକୁଡା ଫାର୍ମ ସମେତ ବିଭିନ୍ନ ଶିଳ୍ପ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ କେବଳ ମଣିଷର ସ୍ବାସ୍ଥ୍ୟକୁ ଯେ ନଷ୍ଟ କରିଦେଇଛି ତା ନୁହେଁ, ବରଂ ସାରା ପୃଥିବୀକୁ କର୍କଟ ରୋଗଗ୍ରସ୍ତ କରିଦେଇଛି । ସମଗ୍ର ବିଶ୍ବରେ ଚାଷୀ ଆତ୍ମହତ୍ୟା, କ୍ୟାନ୍ସର, କ୍ଷୁଦ୍ର ଚାଷୀଙ୍କୁ ଅବ୍ୟାହତି, ଅପବ୍ୟବହାର ଏବଂ ଗ୍ରାମୀଣ ସମାଜରେ ଅପରାଧ ପ୍ରଭୃତି କେବଳ ଏକ କ୍ଷୀପ୍ର ଓ ବିକ୍ଷିପ୍ତ ଉତ୍ପାଦନ ପଦ୍ଧତିର ଲକ୍ଷଣ ମାତ୍ର । ଅତ୍ୟଧିକ ସାର ଓ କୀଟନାଶକ ଯୋଗୁଁ ଆମ ନଦୀଗୁଡିକ ପ୍ରଦୂଷିତ ହେଉଛି ଏବଂ ଉପଭୋକ୍ତାଙ୍କ ପରିବାର ଡାଏବେଟିସ୍, ନଂପୁସକତାରୁ କ୍ୟାନ୍ସର ପର୍ଯ୍ୟନ୍ତ ବିଭିନ୍ନ ରୋଗର ଶିକାର ହେଉଛନ୍ତି ।
କିନ୍ତୁ କେବଳ ସେହି ସାର ଉପରେ ସରକାରୀ ଅନୁଦାନ ପାଇଁ ଭାରତୀୟ କରଦାତାମାନଙ୍କ ଉପରେ ଏକ ବୃହତ୍ ଅର୍ଥରାଶିର ବୋଝ ପଡୁଛି । ହେଲେ କୃଷି ପରିବେଶ ବଜାୟ ରଖିବା ସମ୍ଭବପର ବୋଲି ଅନ୍ତର୍ଜାତୀୟ ମକା ଓ ଗହମ ଉନ୍ନୟନ କେନ୍ଦ୍ର (CIMMYT)ର ପ୍ରମୁଖ ବିଜ୍ଞାନୀ ଏମ୍.ଏଲ୍.ଜାଟ୍ଙ୍କ ଦ୍ବାରା ନିକଟରେ ପ୍ରକାଶିତ ଏକ ଅନୁଶୀଳନ ପତ୍ରରେ ପ୍ରମାଣିତ ହୋଇଛି । କୃଷି ପରିବେଶ ଯେ କେବଳ ସ୍ବାସ୍ଥ୍ୟକର ଖାଦ୍ୟଦ୍ରବ୍ୟ ପ୍ରଦାନ କରେ ତାନୁହେଁ, ବରଂ ଏହି ପ୍ରଣାଳୀ ଦ୍ବାରା ଆମ ଖାଦ୍ୟ ପଦ୍ଧତିରୁ ରାସାୟନିକ ଦ୍ରବ୍ୟ ଏବଂ ଜୀବାଶ୍ମ ଇନ୍ଧନର ମାତ୍ରା ହ୍ରାସ ପାଏ । ଜଳ ପରିଷ୍କାର କରିବା, କାର୍ବନକୁ ଅଲଗା କରିବା ଏବଂ ଉଦ୍ଜାନ ଚକ୍ରକୁ ସ୍ବାଭାବିକ କରିବା ସହିତ ସୁଗନ୍ଧିତ ଖାଦ୍ୟ ଦ୍ବାରା ଏହା ଆମ ପରିବେଶ ପ୍ରଣାଳୀକୁ ସୁରକ୍ଷିତ ରଖେ ।
ହେଲେ ପ୍ରଶ୍ନ ହେଉଛି ଆମେ କେଉଁଠାରୁ ଆରମ୍ଭ କରିବା ? ନିଜ ଘରୁ ହିଁ ଆରମ୍ଭ କରନ୍ତୁ । ପରିବା ଏବଂ ଧନିଆ ଭଳି ଗଛକୁ କୁଣ୍ଡରେ ଲଗାନ୍ତୁ । କିନ୍ତୁ ମନେ ରଖନ୍ତୁ, ରାସାୟନିକ ଦ୍ରବ୍ୟ ପ୍ରୟୋଗ କରିବେ ନାହିଁ । ନିଜେ ଯାହା ଖାଆନ୍ତି, ତାହାକୁ ଚାଷ କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ତାହା ଆପଣ କରିପାରୁନାହାନ୍ତି, ତେବେ ଏମିତି ଜଣେ ଚାଷୀ ଖୋଜନ୍ତୁ ଯିଏ କି ଆପଣଙ୍କ ପାଇଁ କୃଷି ପରିବେଶ ପ୍ରଣାଳୀରେ ଚାଷ କରିପାରିବେ । ଆମ ଭିତରୁ ଯେଉଁମାନେ ସହରରେ ରହୁଛନ୍ତି,ସେମାନେ ହୁଏତ ସହରୀ ବଗିଚା କରିବା କଥା କହିବେ । ଯେଉଁଠାରେ କି ଆମେ ଆମ ନିଜ ଖାଦ୍ୟର ତତ୍ତ୍ବାବଧାନ କରିପାରିବା ଏବଂ ଆମ ପିଲାମାନଙ୍କୁ ଦେଖାଇ ପାରିବା ଯେ ଖାଦ୍ୟ ଗଛରୁ ଆସେ, ଫ୍ରିଜ୍ରୁ ନୁହେଁ ।
ଏହି ସବୁ ଆଦର୍ଶର ଏକତ୍ରୀକରଣ ଏକ ସବୁଜ ଅର୍ଥନୀତିର ଭିତ୍ତି ସ୍ଥାପନ କରେ । ଯାହାକି ପୁନରୁତ୍ଥାନ, ଅର୍ଥନୈତିକ ସଶକ୍ତୀକରଣ ଏବଂ ପ୍ରଚଳନଶୀଳସ୍ଥିତିର ଆଧାର । ସାରା ବିଶ୍ବ ଏକ ଅନ୍ଧକାରାଚ୍ଛନ୍ନ ଅର୍ଥନୀତିରେ ଉପନୀତ ହୋଇଥିବା ସମୟରେ ଏକ ଜରାଜୀର୍ଣ୍ଣ ଅର୍ଥନୈତିକ ଏବଂ ଔଦ୍ୟୋଗିକ ସ୍ଥିତିରୁ ଭାରତ ଏକ ନୂତନ ଆଲୋକର ସନ୍ଧାନ କରିବା ଆବଶ୍ୟକ-ଯାହା ହେଉଛି ସବୁଜ ଅର୍ଥନୀତି । ଯାହା ମହାତ୍ମା ଗାନ୍ଧୀ କହିଥିଲେ, ସ୍ବଦେଶୀ ଅର୍ଥନୀତିର ଧାରା ଆମ ମାଧ୍ୟମରେ ପ୍ରବାହିତ ହେଉଛି । ଆଜିର ଏହି ଧରିତ୍ରୀ ଦିବସ ପାଳନ ଅବସରରେ ଆମେ ଆମର ବସୁଧୈବ କୁଟୁମ୍ବକମ୍ ପରିବାର ପାଇଁ ସଂକଳ୍ପ କରିବା ଏବଂ ବିଜ୍ଞାନ, ସ୍ଥିତିସ୍ଥାପକତା ଏବଂ ବିଶ୍ବ ପଥରେ ପାଦ ରଖି ଆଗେଇ ଯିବା ଆବଶ୍ୟକ ।
ଇନ୍ଦ୍ର ଶେଖର ସିଂହ, ନିର୍ଦ୍ଦେଶକ-ନୀତି ଓ ପ୍ରସାର, ରାଷ୍ଟ୍ରୀୟ ବିହନ ସଂଘ, ଭାରତ