ପଟନା: ବିହାରର ଅଣାୟତ୍ତ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ରାଜ୍ୟର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଥିବା ବେଳେ ସେମାନଙ୍କୁ ଖାଦ୍ୟ ତଥା ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ । ଏମିତିରେ ଦରଭଙ୍ଗା ଜିଲ୍ଲା ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଜିଲ୍ଲାର 8ଟି ବ୍ଲକ ଅନ୍ତର୍ଗତ 107ଟି ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଏଥିରୁ 48ଟି ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଥିବା ବେଳେ 59ଟି ପଞ୍ଚାୟତ ଆଂଶିକ ପ୍ରଭାବିତ ହୋଇଥିବା ଜଣା ପଡିଛି ।
ଏହି ପ୍ରଭାବିତ ଅଞ୍ଚଳମାନଙ୍କରେ ସାମୂହିକ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ହେଲେ କେତେକ ସ୍ଥାନରେ ଜଳ ଭର୍ତ୍ତି ହୋଇ ରହିଥିବାରୁ ସେଠାରେ ସାମୂହିକ ରୋଷେଇ ସମ୍ଭବ ହୋଇ ପାରୁନାହିଁ । ତେଣୁ ସେହି ସ୍ଥାନମାନଙ୍କରେ ହେଲିକପ୍ଟର ଦ୍ବାରା ଏୟାର ଡ୍ରପିଂର ବ୍ୟବସ୍ଥା କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ସରକାରଙ୍କ ଅନୁମତି କ୍ରମେ ଜିଲ୍ଲାକୁ ହେଲିକପ୍ଟର ପଠାଯାଇଥିଲା । ଯେଉଁଥିରେ ଶନିବାରଠାରୁ ଏୟାରଡ୍ରପିଂ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏୟାର ଡ୍ରପିଂ ଦ୍ବାରା ଶୁଖିଲା ରାସନ ବିତରଣ କାର୍ଯ୍ୟ ଜାରି ରହିଛି ।