ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅଧିକାଂଶ ଜିଲ୍ଲାରେ ଲଗାତାର ନଜର ରଖିଛନ୍ତି ଆତଙ୍କବାଦୀ । ପାଖାପାଖି ବର୍ଷକ ତଳେ ପୁଞ୍ଛ ଜିଲ୍ଲା ଜେଲରେ ଆକ୍ରମଣ ଯୋଜନା କରିଥିଲେ । କିନ୍ତୁ ଆତଙ୍କବାଦୀଙ୍କ ଏହି ଯୋଜନା ସେତେବେଳେ ପଣ୍ଡ ହୋଇଥିଲା । ଏହି ଆକ୍ରମଣର ସମସ୍ତ ଯୋଜନା ସର୍ବସମ୍ମୁଖରେ ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ପୁଣିଥରେ ଆତଙ୍କବାଦୀ ଏହି ଜେଲରେ ଆକ୍ରମଣର ଯୋଜନା କରୁଥିବା ଆଶଙ୍କା ପ୍ରକାଶ ପାଇଛି । କିସ୍ତଓ୍ଵାର୍ ଜିଲ୍ଲାର ଜେଲ ପରିସରରୁ ଏକ ଡ୍ରୋନ୍ ଜବତ ହୋଇଛି ।
ଆତଙ୍କୀ ଆକ୍ରମଣ ଆଶଙ୍କା, କିସ୍ତାଓ୍ଵାର ଜେଲ ବାହାରେ ଉଡିଲା ଚୀନ ଡ୍ରୋନ - kishtwar
ଜମ୍ମୁ-କାଶ୍ମୀରର କିସ୍ତାଓ୍ଵାର ଜିଲ୍ଲା ଜେଲ ପରିସରରୁ ଏକ ଡ୍ରୋନ ଜବତ ହୋଇଛି । ଏଥିରେ କ୍ୟାମେରା ମଧ୍ୟ ଲାଗିଛି ।
ମଙ୍ଗଳବାର ଜେଲ୍ର କାନ୍ଥ ନିକଟରୁ ଏକ ଡ୍ରୋନ୍ ମିଳିଥିବା ଏସ୍ଏସ୍ପି ଶକ୍ତି କୁମାର ପାଠକ ସୂଚନା ଦେଇଛନ୍ତି । ତେବେ ଏହା ପରେ ପୋଲିସ ଘଟଣାର ତଦନ୍ତରେ ଲାଗିପଡିଛି । ତେବେ ଡ୍ରୋନ୍ଟି ଚୀନର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି । ଏହା ବ୍ୟତିତ ଏଥିରେ କ୍ୟାମେରା ମଧ୍ୟ ଲାଗିଥିବା ଜଣା ପଡିଛି । ଏହି ଡ୍ରୋନ୍ କିସ୍ତଓ୍ଵାର୍ ଜିଲ୍ଲା ଜେଲ ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା।
ଏହି ଜେଲରେ ୧୦୧ କଏଦୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ଜଣ ଆତଙ୍କବାଦୀ ରହିଛନ୍ତି । ତେବେ ଡ୍ରୋନ ମିଳିବା ଘଟଣାଟି ଏହି ଆତଙ୍କବାଦୀଙ୍କ ସହ ଜଡିତ କି ନାହିଁ ତାହା ପୋଲିସର ତଦନ୍ତ ପରେ ହିଁ ଜଣା ପଡିବ ।