ହାଇଦ୍ରାବାଦ: ଜଳ ବିନା ଜୀବନ ଶୂନ୍ୟ । ଜଳ ଶୂନ୍ୟ ବିଶ୍ବ ଏକ ବିକଳାଙ୍ଗ ପରିକଳ୍ପନା । ବୁନ୍ଦାଏ ପାଣିରେ ଥାଏ ପ୍ରାଣ । ହେଲେ ଏବେ ସାରା ବିଶ୍ବ ଉତ୍କଟ ଜଳସଙ୍କଟରେ ଦଳିଚକଟି ଗୁରୁତର ହେବାରେ ଲାଗିଛି । ଅନ୍ୟପଟେ ଆଉ ଏକ ଅଦୃଶ୍ୟ ପ୍ରଳୟର ପୂର୍ବାଭାସ ଦେଇ ସାରାଲାଣି । ଉପଲବ୍ଧ ପିଇବା ପାଣିର ସ୍ବଚ୍ଛତା, ବିଶୁଦ୍ଧତା ଓ ନିର୍ମଳତା ଉପରେ ବିରାଟ ପ୍ରଶ୍ନ । ଜଳ ହିଁ ଜୀବନ ଏହା ନିରାଟ ସତ୍ୟ ମାତ୍ର ବିଶୁଦ୍ଧ ଜଳ ହିଁ ସୁସ୍ଥ, ନିରୋଗ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ଏହା ବାସ୍ତବିକ ସତ୍ୟ । ସୁସ୍ଥ ଜୀବନ ସକାଶେ ଆବଶ୍ୟକ ସ୍ବଚ୍ଛ, ବିଶୁଦ୍ଧ ଓ ନିର୍ମଳ ଜଳ । ଏହାକୁ ନେଇ ଏକ ଆଲେଖ୍ୟ ।
ଜଳ ଯେତିକି ଦରକାର ଜଳର ଗୁଣବତ୍ତା ମନୁଷ୍ୟ ପାଇଁ ତାହା ଠାରୁ ଅତ୍ୟଧିକ ଆବଶ୍ୟକ । ମନୁଷ୍ୟ ଶରୀରରେ 50ରୁ 70 ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ଜଳ ମନୁଷ୍ୟ ଶରୀର ତାପମାତ୍ରା ଓ ଶରୀରର ରାସାୟନିକ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ କରିଥାଏ । ଯଦି ପିଇବା ପାଣିର ଶୁଦ୍ଧତା ସଠିକ ରହେ ତେବେ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା ମିଳିପାରିବ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(2019)ର ରିପୋର୍ଟ ଅନୁସାରେ ସାରା ବିଶ୍ବରେ ପାଖାପାଖି 146 ମିଲିୟନ ଲୋକ(ପାଖାପାଖି 19%)ପାଖକୁ ଶୁଦ୍ଧ ପିଇବା ପାଣି ପହଞ୍ଚି ପାରୁନାହିଁ ।
ଏନଏସଏସ(ଜାତୀୟ ନମୁନା ସର୍ବେକ୍ଷଣ)ର ସୂଚନା ଅନୁଯାୟୀ ଅଧିକାଂଶ ଲୋକ କୌଣସି ପ୍ରକାର ଶୁଦ୍ଧତା ଉପାୟ ଅବଲମ୍ବନ ବିନା ପାଣି ପିଉଛନ୍ତି । ଖାସ୍ କରି ଗ୍ରାମାଞ୍ଚଳରେ ଏହା ସର୍ବାଧିକ । ବିଭିନ୍ନ ସର୍ବେକ୍ଷଣ ରିପୋର୍ଟ ଏହା ଦର୍ଶାଉଛି ଯେ, ସାରା ବିଶ୍ବରେ ପାଖାପାଖି 80% ରୋଗ ମୁଖ୍ୟତଃ ଦୂଷିତ ଜଳ ପାନ କରିବା ଫଳରେ ହେଉଛି । ଡାଇରିଆ, ହଇଜା, ଟାଇଫଏଡ, ପୋଲିଓ ଭଳି ଅନେକ ରୋଗ ଦୂଷିତ ଜଳ ପାନ କରିବା କାରଣରୁ ହୋଇଥାଏ । ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ବିଶ୍ବରେ 5 ମିଲିୟନରୁ ଅଧିକ ଶିଶୁ ପ୍ରତିବର୍ଷ ଡାଇରିଆରେ ପଡି ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଦୂଷିତ ଜଳ ପିଇବା କାରଣରୁ ଲୋକ ହେପାଟାଇଟସ୍ ଓ ପେଟ ସଂକ୍ରମଣରେ ପୀଡିତ ହେଉଛନ୍ତି । ପାଖାପାଖି 68.5 କୋଟି ଲୋକ ପେଟ ଜନିତ ରୋଗରେ ପୀଡିତ । ସେହିପରି 32.5କୋଟି ଲୋକ ହେପାଟାଇଟସ୍ ସି ରେ ସଂକ୍ରମିତ । ଅନେକ ଦେଶରେ ସ୍ବାସ୍ଥ୍ୟସେବା,ସ୍ବଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନ ନେଇ କୌଣସି ପ୍ରକାର ବ୍ୟବସ୍ଥା ଏପର୍ଯ୍ୟନ୍ତ କରିନାହାଁନ୍ତି ।
ବର୍ତ୍ତମାନ ସମୟରେ ଲୋକେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଧ୍ୟାନ ଦେଉନାହାଁନ୍ତି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦ୍ୟ ସୂଚନା ଅନୁଯାୟୀ ସାରା ଦୁନିଆରେ 78.5ମିଲିୟନରୁ ଅଧିକ ଲୋକଙ୍କୁ ଶୁଦ୍ଧ ପାନୀୟ ଉପଯୋଗୀ ଜଳ ଯୋଗାଣ ହୋଇ ପାରୁନାହିଁ । ଏଥି ମଧ୍ୟରୁ 14.4 ମିଲିୟନ ପ୍ରଦୂଷିତ ପାଣି ପିଉଛନ୍ତି । ଜାତିସଂଘର ସୂଚନା ଅନୁସାରେ ସାରା ବିଶ୍ବରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ମୌଳିକ ଅଧିକାର । ମାତ୍ର ସରକାର ଏଥିପ୍ରତି ତିଳେ ମାତ୍ର ଗୁରୁତ୍ବ ଦେଉନଥିବା ଦେଖାଦେଇଛି ।
ଜାତିସଂଘ ବର୍ଷ 2010 ଠାରୁ ସାର୍ବଜନିକ ଜୀବନଧାରଣ ସମ୍ଭାବନାକୁ ଆଖି ଆଗରେ ରଖି ଡାଟା ପ୍ରକାଶ କରିଆସୁଛି । ‘ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ’ରେ ଜଳ ସଂସାଧାନ ସହିତ ସାମାଜିକ, ଆର୍ଥିକ ଓ ବିକାଶାତ୍ମକ ପରିସ୍ଥିତି ସମୂହକୁ ଧ୍ୟାନରେ ରଖି ଏହି ତଥ୍ୟ ଜାରି କରାଯାଉଛି । ସର୍ବେକ୍ଷଣରେ ମୋଟ 189 ଦେଶକୁ ବିଚାରରେ ରଖି ଏହି ତଥ୍ୟ ପ୍ରଦାନ କରାଯାଇଛି । ସବୁଠାରୁ ଛୋଟ ଦେଶ ନରୱେ ଏହି ସୂଚକାଙ୍କର ଶୀର୍ଷରେ ରହିଛି । ସେହିପରି ପଡୋଶୀ ଦେଶ ଶ୍ରୀଲଙ୍କା ତାଲିକାର 75ତମ ସ୍ଥାନରେ ରହି ନିଜର ସର୍ବୋତ୍ତମ ଦିଗକୁ ଦର୍ଶାଇଛି । ଏହି ସଂକେତ ଏହା ପରିଦୃଷ୍ଟ କରିଛି ଯେ, ବିଭିନ୍ନ ଦେଶରେ ସାମାଜିକ, ଆର୍ଥିକ ଓ ବିକାଶାତ୍ମକ ପରିସ୍ଥିତି ସମେତ ପାନୀୟ ଜଳ ସଂଶାଧନର ସ୍ଥିତି କିଭଳି ରହିଛି ସେ ନେଇ ଅନୁଧ୍ୟାନ କରିବା ।