ନୂଆଦିଲ୍ଲୀ: 2 ମାସର ବ୍ୟବଧାନ ପରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବିମାନ ସେବା । କର୍ମକ୍ଷେତ୍ର କିମ୍ବା ଘରକୁ ଯିବାକୁ ସକାଳୁ ଶହ ଶହ ଲୋକ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ସେଠାରେ ପହଞ୍ଚିବା ମାତ୍ରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯାଉଥିବା ଦେଖିବାକୁ ମିଳିଛି ।
ମୁମ୍ବାଇ
କୋରୋନା ଭାଇରସରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ମୁମ୍ବାଇରେ ଦୈନିକ 50 ଟି ବିମାନକୁ ଅନୁମତି ଦିଆଯାଇଛି । ମୁମ୍ବାଇ ଆସୁଥିବା ଯାତ୍ରୀ ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନେ ହୋମ କ୍ବାରେନଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ ରଖାଯାଇଛି । କିନ୍ତୁ ଯେଉଁମାନେ ଅଳ୍ପ ଦିନ ପାଇଁ ଆସିଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ ।
ହାଇଦ୍ରାବାଦ
ହାଇଦ୍ରାବାଦରେ ଦିନକୁ 30 ଟି ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇଛି । କୋଭିଡ -19 ଲକ୍ଷଣ ବିଶିଷ୍ଟ ଲୋକଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ବେଳେ ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ସେମାନଙ୍କୁ ଯିବାର ଅନୁମତି ମିଳିବ ବୋଲି କୁହାଯାଇଛି ।
କୋଲକାତା
ପଶ୍ଚିମବଙ୍ଗ ସରକାର ରବିବାର କେନ୍ଦ୍ର ସହ ଆଲୋଚନା କରିଥିଲେ ଏବଂ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା 28 ତାରିଖରୁ କୋଲକାତା ରୁ ବିମାନ ସେବା ପୁନଃ ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିର ହୋଇଥିବା ପ୍ରୋଟୋକଲ ଗୁଡିକ ମଧ୍ୟରେ କୋଭିଡ -19 ଲକ୍ଷଣ ବିଶିଷ୍ଟ ଲୋକଙ୍କର ପରୀକ୍ଷା କରିବା ନେଇ ନିଷ୍ପତ୍ତି ନିଆଯାଇଛି । ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀମାନଙ୍କୁ ଆସିବା ସମୟରେ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ କୁହାଯାଇଛି।