କଂଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଲୋକଙ୍କୁ ଆଜିକାଲି ଟିକେ ସାବଧାନ ରହିବାକୁ ହେବ । କୋରୋନା ଭାଇରସ କଂଟାକ୍ଟ ଲେନ୍ସ ଭେଦିପାରେ ନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ଏ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । ଏ ବାବଦରେ ନ୍ୟୁଜର୍ସିର ରଟଜେର୍ସ ମେଡିକାଲ ସ୍କୁଲରେ ଅପଥଲାମୋଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡେଭିଡ୍ ଚୁ ଆଲୋକପାତ କରିଛନ୍ତି । କଂଟାକ୍ଟ ଲେନ୍ସ ଜରିଆରେ କୋରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନଥିଲେ ମଧ୍ୟ ଏହାର ବ୍ୟବହାରକାରୀ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଆଖି ପକ୍ଷେ ଲେନ୍ସ ଲଗାଇବା ଅଧିକାଂଶ ସମୟରେ ବିରକ୍ତି ଜନକ ହୋଇଥାଏ । ଲେନ୍ସ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ଆଖିକୁ ସ୍ପର୍ଶ କରିବା ନିଶ୍ଚିତ । ଏହି ଅଭ୍ୟାସ ସଂକ୍ରମଣର ବିପଦ ସୃଷ୍ଟି କରେ । ଲେନ୍ସ ବ୍ୟବହାର ବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ପଡିବ । ଲେନ୍ସ ଲଗାଇବା ପୂବର୍ରୁ ହାତକୁ ୨୦ ସେକେଣ୍ଡ ଧରି ସାବୁନରେ ଭଲ ଭାବେ ଧୋଇବାକୁ ପଡିବ । ଶୁଖିଲା ହାତରେ ହିଁ ଲେନ୍ସକୁ ସ୍ପର୍ଶ କରିବା ଦରକାର । ଆସନ୍ତୁ ଜାଣିବା କୋରୋନା ସମୟରେ କଂଟାକ୍ଟ ଲେନ୍ସ ବ୍ୟବହାର ନେଇ କିଛି ଜରୁରୀ ସୂଚନା ।
୧. ବର୍ତମାନ ସମୟରେ କଂଟାକ୍ଟ ଲେନ୍ସ ବଦଳରେ ଚଷମା ପିନ୍ଧିବା ପାଇଁ ସେଭଳି କିଛି ସୁପାରିଶ କରାଯାଇନାହିଁ । କିନ୍ତୁ ଯାହାଙ୍କୁ ଭାଇରସ ଶୀଘ୍ର ଆକ୍ରମଣ କରିବା ଆଶଙ୍କା ରହିଛି ବା ଯେଉଁମାନେ ସଂକ୍ରମିତଙ୍କ ସହ ରହିଆସୁଛନ୍ତି,ସେମାନେ ଚଷମା ପିନ୍ଧିଲେ ଭଲ ।
୨. ଲୁହରେ ବି କୋରୋନା ଭାଇରସ ଦେଖାଯାଏ । କିନ୍ତୁ ଏହା କ୍ୱଚିତ । ଲୁହ ଜରିଆରେ ଭାଇରସ ବ୍ୟାପିବା ନେଇ କୌଣସି ପ୍ରମାଣ ନାହିଁ ।