ନୂଆଦିଲ୍ଲୀ: ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ଏହାକୁ 19 ଦିନ ପୁରିବାକୁ ବସିଲାଣି କିନ୍ତୁ ପ୍ରକୃତରେ ଏହା ଆକ୍ରମଣ ନା ଦୁର୍ଘଟଣା ତାହା ଜାଣିପାରିଲେନି କଂଗ୍ରେସ ନେତା ।
ଏହା ହେଉଛି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ କାହାଣୀ । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । କିନ୍ତୁ ଏହା ଉପରେ ଏବେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାଣ ବନାଇଥିଲେ ।
ତେବେ ଏହି ଅବସରରେ ସେ ଏକ ଛୋଟ ଭୁଲ କରିଦେଇଥିଲେ । ପୁଲୱାମା ଆକ୍ରମଣ ବିଷୟରେ ଲେଖିବା ସମୟରେ ସେ ଏହାକୁ ଦୁର୍ଘଟଣା ବୋଲି ଲେଖିଥିଲେ । ପ୍ରକୃତରେ ସେ ଏକ ଟ୍ବିଟ କରି ଲେଖିଥିଲେ ଯେ ପୁଲୱାମା ଦୁର୍ଘଟଣା ପରେ ଆମ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଦିଗବିଜୟ ଟ୍ରୋଲ ହୋଇଛନ୍ତି ।
ବୋଧହୁଏ ମୋଦି ସରକାରଙ୍କୁ ସମାଲୋଚନା କରିବାରେ ଦିଗବିଜୟ ଏତେ ବ୍ୟସ୍ତ ରହିଯାଇଛନ୍ତି ଯେ କଣ ଲେଖୁଛନ୍ତି ତାହା ତାଙ୍କୁ ଜଣାପଡୁନାହିଁ । ଲକ୍ଷ୍ୟ ମୋଦି ସରକାରଙ୍କୁ ବଦନାମ କରିବା । ସେଥିପାଇଁ ଆତଙ୍କବାଦୀ ଆକ୍ରମଣ ଦୁର୍ଘଟଣା ହୋଇଯାଉ ପଛେ ଚିନ୍ତା ନାହିଁ । ଏହା କିଛି ଫରକ ପକାଉନାହିଁ । ଏହି ଟ୍ବିଟ ଗତକାଲି ଅପରାହ୍ନରେ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାକୁ ସଂଶୋଧନ କରାଯାଇନାହିଁ । ବୋଧହୁଏ ଏହା ଦିଗବିଜୟଙ୍କ ପାଇଁ ଏକ ସାଧାରଣ ଭୁଲ ଯାହାକୁ ଠିକ କରିବାର ଯଥାର୍ଥତା ନାହିଁ ।
ଅଥବା ହୁଏତ ନିଜର ଏତେ ବର୍ଷର ରାଜନୈତିକ ଅଭିଜ୍ଞତା ବଳରେ ଦିଗବିଜୟ ଜାଣିବାକୁ ପାଇଥିଲେ ଯେ ଆତଙ୍କବାଦୀ ଆକ୍ରମଣ କରନ୍ତି ନାହିଁ ସେମାନେ ଦୁର୍ଘଟଣା ଘଟାନ୍ତି । କଂଗ୍ରେସ ନେତାଙ୍କ ପାଇଁ ବୋଧହୁଏ ଆତଙ୍କୀ ଆକ୍ରମଣ ଏକ ଦୁର୍ଘଟଣା । ଏଥିରେ ଶହୀଦ ଯବାନ ସେମାନଙ୍କ ପାଇଁ ବୋଧହୁଏ ସାଧାରଣ ଜନତା ଯିଏ ଦୁର୍ଘଟଣାରେ ଜୀବନ ଦେଇଛନ୍ତି । ଏହି ଟ୍ବିଟକୁ ଅନେକ ଲୋକ ସମାଲୋଚନା କରିଛନ୍ତି । ଏହାକୁ ଦୁର୍ଘଟଣା କହି ସେ ଶହୀଦ ଯବାନଙ୍କୁ ଅପମାନିତ କରିଛନ୍ତି ବୋଲି କିଛି ଲୋକ ଟ୍ବିଟ କରିଛନ୍ତି ।