ରାୟପୁର: ମାଓବାଦୀ, ଆଦିବାସୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ, ଏହି ତିନୋଟି କଥା ଉଠିଲେ ଆପଣ ବୁଝିଯିବେ ଯେ ବସ୍ତରରେ ପହଞ୍ଚିସାରିଛନ୍ତି । ବସ୍ତର, ଛତିଶଗଡର ଦକ୍ଷୀଣରେ ଥିବା ଜିଲ୍ଲା, ଯେଉଁଠି ବାସ କରନ୍ତି 70 ପ୍ରତିଶତ ଆଦିବାସୀ । ଏଠାରେ ଜନଜାତି ସମୁଦାୟ ଅଧିକାଂଶ ଲୋକେ ଜଙ୍ଗଲରେ ବାସ କରନ୍ତି । ଏମାନେ ଭିନ୍ନ ସଂସ୍କୃତି ଓ କଳା ଯୋଗୁଁ ସାରା ରାଜ୍ୟରେ ପରିଚିତ । ବସ୍ତର, ଯେଉଁଠି ସରକାରୀ ସୁବିଧା ପହଞ୍ଚିବା କଷ୍ଟକର ବ୍ୟାପାର, ସେଠାରେ ଅନଲାଇନ ଶିକ୍ଷାର ସଫଳତା କୌଣସି ସ୍ବପ୍ନ ଠୁ କମ ନୁହେଁ । ଯଦି ବିଶ୍ବାସ ହେଉନାହିଁ, ତାହାଲେ ଶୁଣି ନିଅନ୍ତୁ କଣ କହୁଛନ୍ତି ଏଠାକାର ଛାତ୍ରଛାତ୍ରୀ ।
ନା ନେଟଓ୍ବାର୍କ ନା ମୋବାଇଲ ଫୋନ । ଏମିତିକି ନେଟ୍ ରିଚାର୍ଜ ପାଇଁ ଟଙ୍କା ମଧ୍ୟ ନାହିଁ ଏମାନଙ୍କ ପାଖରେ । ସ୍ଥିତି ଏପରି ଯେ ଜୁଲାଇ 3ରେ ସମ୍ପୂର୍ଣ୍ଣ ଜିଲ୍ଲାରେ ମାତ୍ର 17 ଜଣ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରେ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଅନଲାଇନ ପଢା ପାଇଁ ମାତ୍ର ପଚାଶ ପ୍ରତିଶତ ରେଜିଷ୍ଟ୍ରେସନ ହୋଇପାରିଛି ।
ବସ୍ତରରେ ସାକ୍ଷରତା ହାର ମାତ୍ର 51.5 ପ୍ରତିଶତ ରହିଛି । ଏଠାକାର ସୁକମାରେ ସାକ୍ଷରତା ହାର ରହିଛି 44 ପ୍ରତିଶତ, ଯାହା କି କେବଳ ରାଜ୍ୟର ନୁହେଁ ସମଗ୍ର ଦେଶରେ ସବୁଠୁ କମ ରହିଛି । ସେହିପରି କାଙ୍କରେର ସାକ୍ଷରତା ହାର 68 ପ୍ରତିଶତ ରହିଛି, ଯାହା କି ସମ୍ପୂର୍ଣ୍ଣ ଜିଲ୍ଲାରେ ସର୍ବାଧିକ । ଖାତି ଏତିକି ନୁହେଁ ବସ୍ତର ଜିଲ୍ଲାରେ ପାଖାପାଖି 7 ହଜାର ଶିକ୍ଷକ ପଦ ଖାଲି ରହିଛି । ଏଭଳି ସ୍ଥିତିରେ ଅନଲାଇନ ଶିକ୍ଷାର ଲାଭ ମିଳୁନଥିବା ଖୋଦ ଛାତ୍ରଛାତ୍ରୀ ନିଜ ମୁହଁରେ କହିଛନ୍ତି । ଯାହାପାଖରେ ଫୋନ ରହିଛି ତା ପାଖରେ ରିଚାର୍ଜ କରିବାକୁ ଟଙ୍କା ନାହିଁ । ଅନେକ ଛାତ୍ରଛାତ୍ରୀ ତ ନିଜ ସାଙ୍ଗମାନଙ୍କ ଠାରୁ ଫୋନ ନେଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।