ଭୁବନେଶ୍ବର: ବିଦାୟ ନେବାକୁ ପ୍ରସ୍ତୁତ ହେଲାଣି 2019 । 2020କୁ ସ୍ବାଗତ ପାଇଁ ସଜବାଜ ହେଉଛି ଦେଶ । ଏସବୁ ମଧ୍ୟରେ 2019 ସାଉଣ୍ଟିଛି ଅନେକ ସ୍ମୃତି ଆଉ ଅନୁଭୂତି । ଭାରତ ମାତାର ସୁରକ୍ଷା ପାଇଁ କେନ୍ଦ୍ର ସରକାର 2019ରେ ନେଇଛନ୍ତି ଅନେକ ପଦକ୍ଷେପ । ଭାରତୀୟ ସେନାରେ ସାମିଲ ହୋଇଛି ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ସାଙ୍ଗକୁ ଭବିଷ୍ୟତ ଆବଶ୍ୟକତା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ଜଳ,ସ୍ଥଳ ଓ ଆକାଶର ସୁଦୃଢ ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ନେଇଛି ଦୃଢ ପଦକ୍ଷେପ । କେଉଁ ଅସ୍ତ୍ର ମିଳିଛି ସେନାକୁ କଣ ହୋଇଛି ଭବିଷ୍ୟତ ଯୋଜନା 2019ରେ , ପଢନ୍ତୁ ଅଧିକ...
ରାଫେଲ ଯୁଦ୍ଧ ବିମାନ-
2016ରେ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତି 2019ରେ କାର୍ଯ୍ୟକାରୀ ହୋଇଛି । ମୋଟ 36ଟି ରାଫେଲ ବିମାନ ମଧ୍ୟରୁ ପ୍ରଥମ ଦଫା ବିମାନ ଭାରତକୁ ମିଳିଛି । ଯାହାକୁ ନେଇ ଭାରତୀୟ ରାଜନୀତିରେ ବ୍ୟାପକ ଘମାସାନ ହୋଇଥିଲା । ଶେଷରେ ସେହି ବିମାନ ଦେଶର ସେନାକୁ ମିଳିଛି । ଯଦିଓ ଏହା ଭାରତକୁ ବିଧିବଦ୍ଧ ଭାବେ ଆସିନାହିଁ କିନ୍ତୁ ଯୁକ୍ତି ମୁତାବକ ଫ୍ରାନ୍ସ ସରକାର ଭାରତକୁ ଏହି ବିମାନ ହସ୍ତାନ୍ତର କରିସାରିଛନ୍ତି । ନିକଟରେ ଯାଇଥିବା ବିଜୟା ଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଯାଇ ରାଫେଲ ବିମାନ ପୂଜା କରିବା ସହ ଏହାକୁ ଗ୍ରହଣ କରିଛନ୍ତି । ଏହି ଅତ୍ୟାଧୁନିକ ବିମାନ ଭାରତୀୟ ସେନାକୁ ମିଳିବା ଦ୍ବାରା ସେନା ଏବେ ଆହୁରି ଶକ୍ତିଶାଳୀ ହୋଇପାରିଛି । ଭାରତୀୟ ବାୟୁସେନାର ଶକ୍ତି ବଢିଛି । ତେବେ ଦେଶର ଆବଶ୍ୟକତା ଅନୁସାରେ କିଛିଟା ପରିବର୍ତ୍ତନ ପାଇଁ ରାଫେଲ ଏବେ ଫ୍ରାନ୍ସରେ ଅଛି ।
ଚିନୁକ ହେଲିକପ୍ଟର-
ବାୟୁସେନାର ଶକ୍ତି ବୃଦ୍ଧି ସହ ଆକାଶ ମାର୍ଗର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ବିଭାଗ ସମସ୍ତ ପଦକ୍ଷେପ ନେଉଛି । ବର୍ଷ 2019ରେ ବାୟୁସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଯୁଦ୍ଧ ହେଲିକପ୍ଟର ଚିନୁକ । ଚିନୁକ ସିଏଚ ୪୭୧ ହେଲିକପ୍ଟର ଏକାଥରକେ 20 ଟନରୁ ଅଧିକ ଓଜନର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଉପକରଣ ସହ ଯବାନଙ୍କୁ ନେଇ ଉଡାଣ ଭରିପାରିବ । ଏହି ହେଲିକେପ୍ଟର ଉଭୟ ଦିନରାତି ଓ ପ୍ରତିକୂଳ ପାଗରେ ମଧ୍ୟ ସେନାର ସାଥ ଦେବ । ଯାହା ବାୟୁସେନା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।
ବ୍ରହ୍ମୋସ-
ନିଜସ୍ବ ଟେକ୍ନଲୋଜିରେ ବିକଶିତ ଭାରତର ପ୍ରମୁଖ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ସେନା ଆହୁରି ବିକଶିତ କରିଛି । ଭୁପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଥିଲା ଚଳିତ ବର୍ଷ ନେଭେମ୍ବର 28ରେ । ଏହି କ୍ଷେପଣାସ୍ତ୍ର ଏବେ ଭୂପୃଷ୍ଠରୁ ଭୂପୃଷ୍ଠକୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।
ଫାୟାର ଆଣ୍ଡ ଫରଗେଟ କ୍ଷେପଣାସ୍ତ୍ର ସ୍ଥାପନ-
ପାକିସ୍ତାନ ପଟୁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ ସେନା ଏହାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ କରିଛି ଅତ୍ୟାଧୁନିକ ବିଧ୍ବଂସୀ କ୍ଷେପଣାସ୍ତ୍ର ଟ୍ୟାଙ୍କର ‘ଫାୟାର ଆଣ୍ଡ ଫରଗେଟ’ ଯାହା ଇସ୍ରାଏଲ ନିର୍ମିତ କରିଛି । ଏହି ଟ୍ୟାଙ୍କର ସୀମାରେ 5 କିଲୋମିଟର ଧରି ଯେକୌଣସି ଟ୍ୟାଙ୍କର ଓ ବଙ୍କରକୁ ଧ୍ବସ୍ତ କରିପାରିବ ।