ନୂଆଦିଲ୍ଲୀ:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କୁ ବଡ ଦାୟିତ୍ବ । ପ୍ରଥମଥର ଜାତୀୟ ସ୍ତରରେ କାମ କରିବେ ଫଡନାଭୀସ । ଆସନ୍ତା ବିହାର ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ଦେବେନ୍ଦ୍ରଙ୍କୁ ନିଯୁକ୍ତି । ସେ ଦଳର ମହାସିଚବ ଭୂପେନ୍ଦ୍ର ଯାଦବଙ୍କ ସହ ମିଳିତ ଭାବେ ବିହାର ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ । ଦଳର ମୁଦ୍ଦା କଣ ରହିବ କେଉଁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବା ତାହା ଉଭୟ ପ୍ରସ୍ତୁତ କରିବେ । ତେବେ ହଠାତ ଦେବେନ୍ଦ୍ର ଫଡନାଭୀସଙ୍କ ଜାତୀୟ ରାଜନୀତିରେ ପ୍ରବେଶ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଯୋରଦାର ।
କାରଣ ଦେବେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରାଇବାର ଏକ ବଡ ରଣନୀତି କରିଛନ୍ତି ବିଜେପି ନେତୃତ୍ବ । କୁହାଯାଉଛି ବଲିଉଡ ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃ୍ତ୍ୟୁ ପ୍ରସଙ୍ଗ ଏକ ନିର୍ବାଚନୀ ମୁଦ୍ଦା ହୋଇପାରେ । ଏହାକୁ ନଜରରେ ରଖି ବିଜେପି ନେତୃତ୍ବ ଦେବେନ୍ଦ୍ରଙ୍କୁ ଜାତୀୟ ରାଜନୀତି ରେ ପ୍ରବେଶ କରାଇବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଯାହା ଏବେ ମିଳିଯାଇଛି । ସୁଶାନ୍ତ ସିଂ ମାମଲାରେ ଉଭୟ ରାଜ୍ୟ ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି ତାହା ନିର୍ବାଚନରେ ଗଭୀର ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ଯାହାକୁ ନେଇ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ବିଜେପି ବାଜି ଖେଳିବାକୁ ଯାଉଛି ।
ଏଥିପାଇଁ ଦେବେନ୍ଦ୍ର ମଧ୍ୟ ଲଗାତାର ଅଭିଯାନ ଜାରି ରଖିଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃ୍ତ୍ୟୁ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ଯାଇଛନ୍ତି । ସିବିଆଇ ତଦନ୍ତ ଦାବି କୁ ବ୍ୟାପକ କରିଛନ୍ତି । ଯାହା ବିହାରରେ ମଧ୍ୟ ଗ୍ରହଣୀୟ ହୋଇପାରିବ ।