‘ଆଶୁରା’ ପାଖେଇ ଆସୁଥିବା ବେଳେ ବିଶ୍ବ ମହାମାରୀର ପ୍ରକୋପ କାରଣରୁ ଜମ୍ମୁ ଓ କାଶ୍ମୀରରେ ସବୁ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ଉପରେ ଜାରି ନିଷେଧାଦେଶ ବଳବତ୍ତର ରହିଛି । ଅପରପକ୍ଷରେ, ନୂତନ ମାର୍ସିୟା ଏବଂ ନୋହା ଲେଖି ଜୀଶାନ ଜୟପୁରୀଙ୍କ ଭଳି କାଶ୍ମୀରର ନୋହା ଲେଖକମାନେ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି । ଶିୟା ସମ୍ ପାଇଁ ନୋହା ହେଉଛି କରବାଲା ଯୁଦ୍ଧରେ ହୁସେନ୍ ଅଲିଙ୍କ ଦୁଃଖଦ ଅନ୍ତ ସମ୍ପର୍କିତ ଏକ ଶୋକ ସଙ୍ଗୀତ । ମାର୍ସିୟା ଏବଂ ନୋହାରେ ପ୍ରାକ୍-ଇସଲାମ ଆରବୀୟ ଏବଂ ପର୍ସିଆର ଐତିହାସିକ ଏବଂ ସାଂସ୍କୃତିକ ପଟ୍ଟଭୂମି ରହିଛି । ମାର୍ସିୟାର ଉପ-ଭାଗକୁ ନୋହା ଏବଂ ସୋଜ୍ କୁହାଯାଏ, ଯାହାର ଅର୍ଥ ବିଳାପ । ଶ୍ରୀନଗରର ହସନାବାଦ ଅଞ୍ଚଳର ଜଣେ 25 ବର୍ଷୀୟ ନୋହା ଲେଖକ କହନ୍ତି, “ସାଧାରଣତଃ ନୋହା ହେଉଛି ଏକ ଶୋକଗୀତ । ଶିୟା ସମ୍ପ୍ରଦାୟ ଏବଂ ଏହାର ବିଭିନ୍ନ ଗୋଷ୍ଠୀର ଅନୁଗାମୀମାନଙ୍କ ସାହିତ୍ୟର କେନ୍ଦ୍ରସ୍ଥଳରେ ରହିଛି ବିଳାପ ଗୀତ । ପର୍ସିଆନ୍ ଏବଂ ଉର୍ଦ୍ଦୁ ସମେତ ବିଭିନ୍ନ ଭାଷାରେ ଏହା ଲେଖାହୋଇଛି । ନୋହା ଲେଖିବାର କୌଣସି ଧାରା ନାହିଁ ।
କାରଣ ଆମକୁ ଏକ ଛନ୍ଦ ଅନୁସାରେ ଏହା ଲେଖିବାକୁ ପଡ଼ିଥାଏ । ସେ ଆହୁରି କହନ୍ତି, “ଅନ୍ୟ ଧରଣର ଗୀତ ତୁଳନାରେ ନୋହା ସଂପର୍କରେ ଅଧିକ କିଛି କରାଯାଇନାହିଁ । ମୁଁ ଭାବୁଛି ନିର୍ଦ୍ଦିଷ୍ଟ ଧାରା ନଥିବା ଏବଂ ଛନ୍ଦ ଭିତ୍ତିରେ ଲେଖାଯାଉଥିବା ହିଁ ଏହାର ଅନ୍ୟତମ କାରଣ ।” ଜୟପୁରୀ କହନ୍ତି, “ହଜାର ହଜାର ବର୍ଷ ହେଲା ନୋହା ଲେଖା ହୋଇଆସୁଛି ଏବଂ ଆବୃତ୍ତି କରାଯାଇଆସୁଛି । ମୋତେ ଲାଗେ, କରବାଲା ଯୁଦ୍ଧରେ ହିଁ ସବୁ ସମସ୍ୟାର ସମାଧାନ ରହିଛି । ପ୍ରତି ବର୍ଷ ନୂଆ ନୂଆ ନୋହା ଲେଖାଯାଏ । ତାହା ହିଁ ଏ ଧରଣର ଗୀତର ମାଧୁର୍ଯ୍ୟ । ଏବଂ ପ୍ରତି ନୋହା ଏକ ନୂତନ କାହାଣୀ ବର୍ଣ୍ଣନା କରିଥାଏ । କେବଳ କରବାଲା ସଂପର୍କରେ ନୁହେଁ, ଯେ କୌଣସି ଦିନ ସଂପର୍କରେ ନୋହା ଲେଖାଯାଇପାରିବ ।”