ମୌସୁମୀ ବର୍ଷାର ଆଗମନ ସହିତ ଚାଷବାସ ଋତୁ ଆରମ୍ଭରେ ବିହନ ବୁଣା କାମ ସାରିଥିବା କୃଷକ ସବୁବେଳେ ଅନିଶ୍ଚିତତା ଘେରରେ ଥାଏ ଯେ ତା’ର ପରିଶ୍ରମର ସୁଫଳ ମିଳିବ ନା ବିପର୍ଯ୍ୟୟରେ ନଷ୍ଟ ହୋଇଯିବ । ଭାରତ ଭଳି ଏକ କୃଷିପ୍ରଧାନ ଦେଶରେ ଏହା ସବୁଦିନିଆ କଥା । କର୍ମକ୍ଷେତ୍ରରେ କଠିନ ପରୀକ୍ଷାର ସମ୍ମୁଖୀନ ହେଉଥିବା ଏହି ଅସଂଗଠିତ କ୍ଷେତ୍ରର କୃଷକମାନଙ୍କ ପାଇଁ ଏବେ ପର୍ଯ୍ୟାପ୍ତ ବୀମା ସୁବିଧାର ଅଭାବ ଆଉ ଏକ ଦୁଶ୍ଚିନ୍ତାର କାରଣ ହେଇଛି । 1979 ମସିହାରେ ପ୍ରଫେସର ଦାଣ୍ଡେକର କହିଥିଲେ ଯେ, କୃଷକମାନଙ୍କ ପାଇଁ ସଂକଟ ସମୟରେ ପର୍ଯ୍ୟାପ୍ତ ନିରାପତ୍ତା ଆବଶ୍ୟକ । ତା’ପରଠାରୁ ଫସଲ ବୀମା ଯୋଜନାରେ ବହୁ ପରିବର୍ତ୍ତନ ହୋଇସାରିଲାଣି ।
ଫସଲର ନିରାପତ୍ତା ପାଇଁ ବୀମା ସୁବିଧା ଚିନ୍ତାଧାରାରୁ ଚାରି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଘୋଷିତ ହୋଇଥିଲା ଏବଂ ଏହି ବ୍ୟବସ୍ଥାରେ ବାରମ୍ବାର ପରିବର୍ତ୍ତନ ହୋଇସାରିଲାଣି ସିନା, ହେଲେ ଫସଲ ପାଇଁ ଏକ ବିସ୍ତୃତ ବୀମା ସୁବିଧା ଏବେ ବି ସ୍ବପ୍ନପ୍ରାୟ ହୋଇ ରହିଛି ! ବର୍ଷ ବର୍ଷ ଧରି ଫସଲ ବୀମା ସୁବିଧାକୁ ସର୍ବାଧିକ 23 ପ୍ରତିଶତରେ ସୀମିତ ରଖିଥିବା କୃଷି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ, ମୋଦିଙ୍କ ଯୋଜନାରେ ଦୁଇରୁ ତିନି ବର୍ଷ ମଧ୍ୟରେ ଅଧାରୁ ଅଧିକ କୃଷକଙ୍କୁ ବୀମା ସୁବିଧା ଉପଲବ୍ଧ ହେବ । କିନ୍ତୁ ବାସ୍ତବରେ ଦୁଇଟି କୃଷି ଋତୁ ବିତିଯିବା ପରେ ମଧ୍ୟ ହଜାର ହଜାର କୋଟି ଟଙ୍କାର ବୀମା ରାଶି ପ୍ରଦାନକୁ ଜାଣିଶୁଣି ବିଳମ୍ବ କରିବା ପ୍ରବୃତ୍ତି ଏହି ଯୋଜନାକୁ ମୂଳ ଲକ୍ଷ୍ୟରୁ ଦୂରେଇ ନେଇଛି । ଠିକ୍ ସମୟରେ ବୀମା କିସ୍ତି ପୈଠ କରାଯାଉଥିଲେ ହେଁ, ସଂକଟ ସମୟରେ ଏହି ନାମମାତ୍ର କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀ କୂଳକୁ ଅତିଷ୍ଠ କରିଛି । ଗତବର୍ଷ ପର୍ଯ୍ୟନ୍ତ, ଚାଷୀମାନଙ୍କୁ ବ୍ୟାଙ୍କ ପ୍ରଦାନ କରୁଥିବା କୃଷି ଋଣରୁ ହିଁ ବିନା ବାଛ ବିଚାରରେ ବୀମା କିସ୍ତି ବାବଦ ଅର୍ଥ କାଟି ଦିଆଯାଉଥିଲା ।
କୋହଳ ନିୟମ ଏବଂ ଚାଷୀମାନଙ୍କ ପାଇଁ ବିକଳ୍ପ ପ୍ରଦାନ କରାଯିବା ପରଠାରୁ ଫସଲ ବୀମା ଯୋଜନାରେ ଅଂଶଗ୍ରହଣକାରୀ ଚାଷୀଙ୍କ ସଂଖ୍ୟା କମିବାରେ ଲାଗିଛି । ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବା କ୍ଷେତ୍ରରେ, ସଂକଟ ସମୟରେ ଚାଷୀଙ୍କ ପାଇଁ ନିରାପତ୍ତା କାହିଁ ? ଯେଉଁ ସବୁ କାରଣ ଯୋଗୁଁ ପ୍ରାୟ ଚାରି ଦଶନ୍ଧି ଧରି ଫସଲ ବୀମା ଯୋଜନା ପ୍ରହସନରେ ପରିଣତ ହୋଇଛି ତାହା କାହାରିକୁ ଅଛପା ନୁହେଁ । କେବଳ ଋଣ ନେଇଥିବା ଚାଷୀଙ୍କ କ୍ଷେତ୍ରରେ ବୀମା ସୁବିଧା ଲାଗୁ, ବାର୍ଷିକ ଅମଳ ଭିତ୍ତିରେ ବୀମା ରାଶି ହିସାବ ପ୍ରଭୃତି ଅଯୌକ୍ତିକ ସର୍ତ୍ତ ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ ବ୍ୟାଙ୍କରୁ ଋଣ ନେଉଥିବା ଚାଷୀଙ୍କ ପାଇଁ ବୀମା ସୁବିଧାକୁ ସୀମିତ ରଖିବା ଦ୍ବାରା ତିନି ଚତୁର୍ଥାଂଶରୁ ଅଧିକ କ୍ଷୁଦ୍ର ଓ ଗରିବ ଚାଷୀ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି CAG ରିପୋର୍ଟରେ ଦର୍ଶାଯାଇଛି । ଏହି ଯୋଜନାରେ ସାମିଲ ହୋଇଥିବା ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶର ଚାଷୀମାନେ କ୍ଷତିପୂରଣ ବାବଦରେ ଟଙ୍କାଟିଏ ହେଲେ ପାଇନାହାନ୍ତି ଏବଂ ଏହା ହିଁ ଚାଷୀମାନଙ୍କୁ ଚିନ୍ତାଗ୍ରସ୍ତ କରିଛି । ଯୋଜନାରେ ଥିବା ଦୋଷ ଦୁର୍ବଳତା ଦୂର କରିବା ବଦଳରେ ଯୋଜନାକୁ ସ୍ବେଚ୍ଛାକୃତ ଏବଂ ଇଚ୍ଛାଧୀନ କରି ସରକାର ଦାୟିତ୍ବରୁ ଓହରି ଯିବା ପ୍ରୟାସର ଯେଉଁ ପ୍ରବୃତ୍ତି ପ୍ରବର୍ତ୍ତନ କରିଛନ୍ତି, ତାହା ବ୍ୟବସ୍ଥିତ ଢଙ୍ଗରେ ଫସଲ ବୀମା ଯୋଜନାର ପରିଚାଳନା କ୍ଷେତ୍ରରେ ଜାପାନ, ସାଇପ୍ରସ, କାନାଡା ଭଳି ଦେଶ ସମୂହରେ ପ୍ରଚଳିତ ଦୃଢ଼ ଆଭିମୁଖ୍ୟର ବିରୁଦ୍ଧାଚରଣ କରୁଛି । ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ମିଳିବ ବୋଲି ସେଠାକାର ଚାଷୀମାନେ ଆଶ୍ବସ୍ତ । ଦୁର୍ଭିକ୍ଷ ଏବଂ ବନ୍ୟା ପ୍ରକୋପରୁ ଫସଲକୁ ସୁରକ୍ଷା ଦେବା କ୍ଷେତ୍ରରେ ବ୍ରାଜିଲରେ ସର୍ବାଧିକ ଅନୁକରଣୀୟ ବ୍ୟବସ୍ଥା ପ୍ରଚଳିତ ।
ଦେଶର ସବୁ ଜିଲ୍ଲାରେ ସବୁ ପ୍ରକାର ଫସଲକୁ ବୀମା ସୁବିଧା ପ୍ରଦାନ ସୁନିଶ୍ଚିତ କରାଇବା ପାଇଁ ସ୍ବାମୀନାଥନଙ୍କ ସୁପାରିସକୁ ଆମ ଦେଶରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନାହିଁ । କୃଷକମାନଙ୍କୁ ଫସଲହାନି ଜନିତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଏକ ଲାଭଜନକ କୃଷି ବ୍ୟବସ୍ଥା ପ୍ରବର୍ତ୍ତନ କରାଇବା ପାଇଁ ବିଭିନ୍ନ ରାଜ୍ୟ ସହଯୋଗରେ କେନ୍ଦ୍ର ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ଉଚିତ । ସାରା ଦେଶରେ ମୃତ୍ତିକାର ପ୍ରକୃତି ଆକଳନ ସହିତ ବିଭିନ୍ନ ପ୍ରକାର ଚାଷ ପାଇଁ ତାହାର ଉପଯୋଗିତା ନିରୂପଣ ଏବଂ ଘରୋଇ ଆବଶ୍ୟକତା ପୂରଣ ପରେ ଉତ୍ପାଦିତ ଫସଲର ରପ୍ତାନୀ ସମ୍ଭାବନାର ସନ୍ଧାନ କରିବା ଆବଶ୍ୟକ । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀ କୃଷକମାନଙ୍କୁ ଫସଲ ବୀମା ସୁବିଧା ସମେତ ସବୁ ପ୍ରକାର ରିହାତି ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଉଚିତ । ଏହା ହେଲେ ଖାଦ୍ୟ ସୁରକ୍ଷା ଦିଗରେ ଦେଶ ନିଶ୍ଚିତ ରୂପେ ଅଗ୍ରସର ହେବ ।