ନୂଆଦିଲ୍ଲୀ: ଦିଲ୍ଲୀ ସବ-ଇନସ୍ପେକ୍ଟର ହତ୍ୟା ଘଟଣାରେ ନୂଆ ମୋଡ । ସବ-ଇନସ୍ପେକ୍ଟର ପ୍ରୀତି ଅହଲାବତ ଏବଂ ଅଭିଯୁକ୍ତ ଦୀପାଂଶୁ ରାଠୀ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ଏସଆଇ ପ୍ରୀତି ଅହଲାବତ ଏବଂ ଦୀପାଂଶୁ ରାଠୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ଦୁହିଁଙ୍କ ଗୋତ୍ର ସମାନ ଥିବାରୁ ପରିବାର ଲୋକେ ବିବାହକୁ ସ୍ବୀକୃତି ଦେଇନଥିଲେ ।
ଏହାପରେ ପ୍ରୀତି ଅହଲାବତ ପରିବାର ଲୋକଙ୍କ କଥାରେ ଅନ୍ୟତ୍ର ବିବାହ କରିବାକୁ ରାଜି ହୋଇଥିଲେ । ଫଳରେ ସେ ଦିଂପାଶୁଙ୍କ ସହ ପୂର୍ବ ପରି ଏତେ ମିଳାମିଶା କରୁନଥିଲେ । ଯାହା ଦିଂପାଶୁଙ୍କୁ ପସନ୍ଦ ନଥିଲା । ଏହାପରଠାରୁ ସେ ସବୁବେଳେ ପ୍ରୀତିଙ୍କ ପିଛା କରୁଥିଲେ ଏବଂ ଶେଷରେ ଦିଂପାଶୁ ଗତ ଶୁକ୍ରବାର ରାତିରେ ପ୍ରୀତିଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।
ପ୍ରକାଶ ଥାଉକି, ଗତ ଶୁକ୍ରବାର ରାତି ପ୍ରାୟ 9.30 ସମୟରେ ମହିଳା ସବ ଇନସ୍ପେକ୍ଟର ପ୍ରୀତି ଅହଲାବତ ଡ୍ୟୁଟି ସାରି ଫେରୁଥିବାବେଳେ ପଛପଟୁ ଦିଂପାଶୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ପ୍ରୀତିଙ୍କ ମୁଣ୍ଡରେ ବାଜିଥିବାରୁ ଉକ୍ତ ସ୍ଥାନରେ ହିଁ ସେ ଟଳି ପଡିଥିଲେ ।