ନୂଆଦିଲ୍ଲୀ: ଦିଲ୍ଲୀର ସବୁଠାରୁ ବଡ ରାମଲୀଲା କାର୍ଯ୍ୟକ୍ରମ ଯାହା ସାଧାରଣତଃ ପ୍ରତିଷ୍ଠିତ ଲାଲ କିଲ୍ଲାରେ ଅନୁଷ୍ଠିତ ହୋଇଥାଏ। ଆଉ ଏଥିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥାନ୍ତି। ହେଲେ ଚଳିତବର୍ଷ କୋରୋନା କାରଣରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଦୀର୍ଘ 80 ବର୍ଷ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ହେବ ନାହିଁ।
ଲାଲ କିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲବ କୁଶ ରାମଲୀଲା କମିଟି କହିଛି ଯେ, ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନାହିଁ। ଏହି କାର୍ଯ୍ୟକ୍ରମକୁ ଆଉ ମାତ୍ର 7 ଦିନ ବାକି ଥିବାବେଳେ ଦିଲ୍ଲୀ ସରକାର ଯେଉଁ ପ୍ରକାରର ନିୟମ ପ୍ରଣୟନ କରିଛନ୍ତି ତାହା କାର୍ଯ୍ୟକାରୀ କରିବା ଅସମ୍ଭବ ହେବ ବୋଲି କମିଟି କହିଛି।
କମିଟି ଆହୁରି କହିଛି ଯେ,"ଲାଲ କିଲ୍ଲା ଗ୍ରାଉଣ୍ଡରେ ରାମଲୀଲା ଦୀର୍ଘ 80 ବର୍ଷ ଧରି ଚାଲି ଆସୁଛି । କିନ୍ତୁ ଚଳିତ ବର୍ଷ ତାହା ଆୟୋଜନ ହେବ ନାହିଁ। ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଆମର ଲବ କୁଶ ରାମଲୀଲା କମିଟି ହେଉଛି ଭାରତର ସବୁଠାରୁ ବଡ କମିଟି। 500 ରୁ ଅଧିକ କଳାକାର ଏଥିରେ ଜଡିତ ଅଛନ୍ତି"।