ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ଆପ୍ କାଉନସିଲର ତାହିର ହୁସେନଙ୍କ ବିରୋଧରେ ସୋମବାର ଚାର୍ଜ ସିଟ୍ ଦାଖଲ ହୋଇଛି । ଜାନୁଆରୀରେ ହୋଇଥିବା ଏହି ଦଙ୍ଗା ପାଇଁ ଅସ୍ତ୍ରଶସ୍ତ୍ର କିଣିବା ଓ ସ୍ଥାନୀୟ ଲୋକଙ୍କୁ ଦଙ୍ଗା ପାଇଁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।
ହିଂସା ସମୟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ବାରା ହୁସେନ୍, ତାଙ୍କ ଭାଇ ଶାହା ଆଲାମ, ଗୁଲଫାମ ଓ ତନଭୀରଙ୍କ ସମେତ 8 ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଚାର୍ଜସିଟ ଅନୁଯାୟୀ, 7ଟି ଲାଇଭ୍ ରାଉଣ୍ଡ ସହିତ ଗୁଲଫାମର ଲାଇସେନ୍ସ ପ୍ରାପ୍ତ ହତିଆର୍, .32 ବୋର୍ ପିସ୍ତଲ ଜବତ କରାଯାଇଥିଲା । ଅନୁସନ୍ଧାନରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା ଯେ ଗୁଲଫାମ୍ ନାଗରିକତ୍ବ ସଂଶୋଧନ ଅଧିନିୟମ ବିରୋଧରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି।
ଜାନୁଆରୀ ମାସରେ ତାହିର ହୁସେନ, ଗୁଲଫାମଙ୍କୁ ଏକ ବଡ ଦଙ୍ଗା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ତାହିର ମଧ୍ୟ ଗୁଳି କିଣିବା ପାଇଁ ତାଙ୍କୁ 15 ହଜାର ଟଙ୍କା ଦେଇଥିଲା। ଜାନୁଆରୀ 31 ରେ ସେ 100 ରାଉଣ୍ଡ ଗୁଳି କିଣିଥିଲେ। ଓ ପୂର୍ବରୁ ତାଙ୍କ ପାଖରେ ପ୍ରାୟ 100 ରାଉଣ୍ଡ ଗୁଳି ଗଚ୍ଛିତ ଥିବା ପୋଲିସ କହିଛି।