ନୂଆଦିଲ୍ଲୀ: ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଘଟଣାରେ 33 ବର୍ଷୀୟ ଜଣେ ଯୁବକ ଗିରଫ । ସିସିଟିଭି ଫୁଟେଜକୁ ଆଧାର କରି ଗୁରୁବାର କ୍ରିଷନ ନାମକ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀର ଏକ ନାବାଳିକାକୁ ଏକାକୀ ପାଇ ତାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏନେଇ ପୋକ୍ସୋ ଅଧିନରେ ମାମଲା ରୁଜୁ ହୋଇଥିଲା ।
ଏହି ଘଟଣା ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ 20ଟି ଟିମ ଗଠନ ହୋଇଥିଲା । ସିସିଟିଭି ଆଧାର କରି ସମସ୍ତ ସନ୍ଦିଗ୍ଧଙ୍କୁ ପଚରା ଉଚରା କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଥିଲା ବୋଲି ଯୁଗ୍ମ ପୋଲିସ କମିଶନର ସାଲିନୀ ସିଂ କହିଛନ୍ତି ।
ସିଂହ କହିଛନ୍ତି, ପଚରାଉଚରା ବେଳେ ସେ ଶିଶୁକୁ ଆକ୍ରମଣ କରିଥିବା ମାନିଛି । କ୍ରିଷନ ବିରୁଦ୍ଧରେ ଚାରିଟି ଅପରାଧିକ ମାମଲା ରୁଜୁ ହୋଇଛି, ଯେଉଁଥିରେ ଗୋଟିଏ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଚୋରି ଭଳି ମାମଲା ରହିଛି। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।
ପୋଲିସ କହିଛି ଯେ, କ୍ରିଷନ ଚୋରି ପାଇଁ ଘରେ ପଶିବା ପରେ ନାବାଳିକାକୁ ଏକାକୀ ପାଇ ଦୁଷ୍କର୍ମ କରିଥିଲା। ଏହି ସମୟରେ ପୀଡିତା ଜଣକ ଚିତ୍କାର କରିବାକୁ ଲାଗିଥିଲା । ଏହା ପରେ ଅଭିଯୁକ୍ତ ଜଣକ ନାବାଳିକାକୁ ଧରି ଏକାଧିକ ଥର କଇଁଚିରେ ଆକ୍ରମଣ କରିଥିଲା । ପୀଡିତାଙ୍କ ମୁହଁ, ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶରେ ଆଘାତ ଲାଗିଥିଲା ।
ସେପଟେ, ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା ନିନ୍ଦା କରିଥିଲେ । ଏହାକୁ ଏକ ଅମାନବୀୟ ଘଟଣା କହି ଦୋଷୀ କଠୋର ଦଣ୍ଡ ଦିଆଯିବ ବୋଲି କହିଥିଲେ । ବର୍ତ୍ତମାନ ନାବାଳିକା ଶିଶୁ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।