ଦିଲ୍ଲୀ: ଜଳୁଛି ରାଜଧାନୀ ଦିଲ୍ଲୀ । ଅସହ୍ୟ ହେଉଛି ଜନଜୀବନ, ଅଗ୍ନି ବର୍ଷାଠାରୁ ବି ବଳି ଯାଇଛି ଦିଲ୍ଲୀ ରହଣି । ତାତିରେ ଆଉଟୁ ପାଉଟୁ ସମଗ୍ର ପୁରପଲ୍ଲୀ । ଗତକାଲି ଅର୍ଥାତ୍ ସୋମବାର ରାଜଧାନୀର ତାପମାତ୍ରା 48 ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ମଙ୍ଗଳବାର ରହିଛି 44 ଡିଗ୍ରୀ ସେଲସିୟସ୍ ।
ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି - ରେକର୍ଡ ଭାଙ୍ଗିଲା
ତତଲା ତାୱାରେ ଭାଜି ହେଉଛି ଦିଲ୍ଲୀ । ପୂର୍ବରୁ ଥିବା ସମସ୍ତ ରେକର୍ଡ଼କୁ ବଳିଯାଇଛି ସୋମବାରର ସୂର୍ଯ୍ୟଙ୍କ ଉତ୍ତାପ । ଆଜି ବର୍ଷାହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ସନ୍ଧ୍ୟାର ବର୍ଷାରେ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଦିଲ୍ଲୀବାସୀ ।
![ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି](https://etvbharatimages.akamaized.net/etvbharat/prod-images/768-512-3531081-1066-3531081-1560254166775.jpg)
ଭାରତୀୟ ପାଣିପାଗ ବିଭାଗର ସୂଚନା ମୂତାବକ ଦିଲ୍ଲୀର ତାତି ଭାଙ୍ଗିଦେଇଛି ସମସ୍ତ ରେକର୍ଡ଼ । ପୂର୍ବରୁ ଜୁନ ମାସରେ କେବେ ମଧ୍ୟ ତାତି 48 ଡି଼ଗ୍ରୀ ଉପରକୁ ଯାଇନାହିଁ । ଯାହା ସର୍ବୋଚ୍ଚ ତାପମାତ୍ରା ରୂପେ ଧରାଯାଇଛି । 2014 ମସିହାରେ ଦିଲ୍ଲୀର ତାପମାତ୍ରା ସର୍ବାଧିକ 47.8 ଡିଗ୍ରୀ ହୋଇଥିବାବେଳେ ଗତକାଲିର ତାତି ତାହା ଠାରୁ ମଧ୍ୟ ବଳିଯାଇଛି ।
ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ଆଜି ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଫଳରେ ତାପମାତ୍ରା ହ୍ରାସ ଘଟି 40-43 ଡିଗ୍ରୀ ରହିବ । ଦିନ ତମାମ୍ ଆକାଶରେ ଆଶିଂକ ବାଦଲ ଦେଖାଯିବ ଏବଂ ରାତିରେ ଧୂଳିଝଡ଼ ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା ଦେଇଛି ବିଭାଗ ।