ନୂଆଦିଲ୍ଲୀ: ଏଣିକି ଦେଶର ରାଜଧାନୀରେ ଡାକ୍ତରଙ୍କୁ ଭଡା ଘରୁ ବାହାର କରିବାକୁ ଚେଷ୍ଟା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏପରି କଡା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର କେଜ୍ରିଓ୍ବାଲ ସରକାର । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବାରୁ ଡାକ୍ତରଙ୍କୁ ଭଡାଘରୁ ବାହାରିଯିବାକୁ ଚାପ ପକାଉଛନ୍ତି ଘରମାଲିକ ।
ଦେଶରେ କୋରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । 562 ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଦିନ ରାତି ଲାଗିଛନ୍ତି ଦେଶର ଡାକ୍ତର, ନର୍ସ ଓ ପାରା ମେଡିକାଲ କର୍ମଚାରୀ । ଏପରି ସ୍ଥିତିରେ ମଙ୍ଗଳବାର ଦିଲ୍ଲୀରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା । କୋରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଥିବା ଏମ୍ସର ଡାକ୍ତରଙ୍କୁ ସେମାନେ ରହୁଥିବା ସୋସାଇଟି ତଥା ଭଡାଘରୁ ବାହାରିଯିବା ପାଇଁ ଘର ମାଲିକମାନେ ଚାପ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ଗୋଇଥିଲା । ଏନେଇ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ ଏମ୍ସର ଡାକ୍ତର । ଏହାର ଦିନକ ପରେ ଦିଲ୍ଲୀ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।