ନୂଆଦିଲ୍ଲୀ: ଲକଡାଉନ ବେଳେ ଘଟୁଛି ଆଗରୁ କେବେ ଘଟିନଥିବା ଘଟଣା। ବିବାହ ଭଳି ଏକ ମାଙ୍ଗଳିକ ଓ ଜାକଜମକ ଆଡମ୍ବରପୂର୍ଣ୍ଣ କାର୍ଯ୍ୟକୁ ଅତ୍ୟନ୍ତ ନିରାଡମ୍ବର ଭାବେ କରାଯାଉଛି। ଏହି ଶୁଭ କାର୍ଯ୍ୟରେ ବାଜା ବାଜୁନି,ବାଣ ଫୁଟୁନି, ଲାଇଟ ଜଳୁନି।
ଧୁମଧଡାକ ଡିଜେ କଥା ତ ଛାଡନ୍ତୁ ବର କନ୍ୟାଙ୍କୁ ଆର୍ଶୀବାଦ ଦେବାକୁ ପ୍ରିୟଜନ ଉପସ୍ଥିତି ମଧ୍ୟ ମନା। ତେବେ ନିଜର ସାତ ଜନ୍ମର ସାଥୀକୁ ନିଜର କରିବାକୁ କିଏ ମନ୍ଦିରରେ ମାଳା ଅଦଳ ବଦଳେ କରୁଛି ତ ଆଉ କିଏ ପୋଲିସ ଆଗରେ।
ତେବେ ବର୍ତ୍ତମାନ ସେହିପରି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ନବଦମ୍ପତି ଦୁଇ ପୋଲିସ କର୍ମୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଘଟଣାଟି ନୂଆଦିଲ୍ଲୀର ଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ 27 ବର୍ଷୀ ଖୁସାଲ ୱାଲିଆ ତାର ପ୍ରେମିକା ପୂଜାକୁ ବିବାହ କରିଛି।
ଅନ୍ୟପଟେ ପୂଜା ନିଜେ ନିଜର ମେହେନ୍ଦୀ କରିବା ସହିତ ନିଜ ମା ଙ୍କ ଶାଢୀଙ୍କୁ ପିନ୍ଧି ବିବାହ କରିଛନ୍ତି। ଏହି ସମୟରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିଥିଲେ। ଏହାସହ ବିବାହରେ ଆସିଥିବା ଅତିଥି ବରକନ୍ୟାଙ୍କୁ ଚୁନୀ ଉପହାର ଦେଇଛନ୍ତି। ବିବାହ ସମ୍ପର୍ଣ୍ଣ ହେବା ପରେ ବରକନ୍ୟାଙ୍କୁ ପୋଲିସ ଜିପରେ ବିଦାୟୀ କରାଯାଇଥିଲା।
ସୂଚନା ଅନୁସାରେ, ଦୁହିଁଙ୍କର ଗତ 25 ତାରିଖରେ ବିବାହ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଲକଡାଉନ ଯୋଗୁଁ ପ୍ରଥମେ ବିବାହ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ପରିବାର। ହେଲେ ପରେ ସାଧାରଣ ଭାବେ ଓ ନିରାଡମ୍ବରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।