ସଙ୍କଟ ସହ ସଙ୍ଘର୍ଷରତ କୃଷି କ୍ଷେତ୍ରକୁ ସହାୟତା ପ୍ରଦାନ ପାଇଁ 20 ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ସଂପର୍କରେ ଘୋଷଣା କରିଛନ୍ତି । କୃଷିଜାତ ସାମଗ୍ରୀର ବଜାର କ୍ଷେତ୍ରରେ ସଂସ୍କାର ବ୍ୟତୀତ, କୃଷକମାନଙ୍କୁ ବିଭିନ୍ନ ସଂସ୍ଥାରୁ ଋଣ ସହାୟତା ପ୍ରଦାନ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ବାରୋପ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ-ନାବାର୍ଡ, ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସରକାର ସଂକେତ ଦେଇସାରିଛନ୍ତି । ଏହି ପୃଷ୍ଠଭୂମିରେ, କୃଷକ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ବ୍ୟାଙ୍କର ଭୂମିକା ସଂପର୍କରେ ଜାଣିବା ପାଇଁ ନାବାର୍ଡର ଅଧ୍ୟକ୍ଷ ଚିନ୍ତାଲା ଗୋବିନ୍ଦ ରାଜୁଙ୍କ ସହିତ ଈନାଡୁର ବାର୍ତ୍ତାଳାପ । ସାକ୍ଷାତକାରର କିୟଦଂଶ
1. କୋଭିଡ-19 ଅର୍ଥନୈତିକ ପ୍ୟାକେଜର ଅଂଶ ଭାବରେ ନାବାର୍ଡକୁ 30,000 କୋଟି ଟଙ୍କାର ଅତିରିକ୍ତ ଅର୍ଥଲଗାଣ ସହାୟତା ସଂପ୍ରସାରଣ ନିମନ୍ତେ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ଏହି ଅର୍ଥକୁ କେଉଁ ଉପାୟରେ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଆପଣଙ୍କର ଯୋଜନା ରହିଛି ? ଚଳିତ ବର୍ଷ, ବର୍ଷାଋତୁ ପୂର୍ବରୁ ଏବଂ ଖରିଫ ଚାଷ କାମ ଆରମ୍ଭ ସମୟରେ କୃଷକମାନଙ୍କ ଆର୍ଥିକ ଚାହିଦା ପୂରଣ ସକାଶେ ବିଭିନ୍ନ ସମବାୟ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (RRB)କୁ ନାବାର୍ଡ ପକ୍ଷରୁ ସ୍ବାଭାବିକ ଭାବେ ପ୍ରଦାନ କରାଯାଉଥିବା 90.000 କୋଟି ଟଙ୍କାର ଋଣ ସହିତ ଅତିରିକ୍ତ 30,000 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିବା ସମୟରେ ସଂକେତ ଦେଇଛନ୍ତି । ସ୍ବତନ୍ତ୍ର ନଗଦ ରାଶି ସୁବିଧା ଯୋଜନାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା 25,,000 କୋଟି ଟଙ୍କାରୁ ନାବାର୍ଡ, ବିଭିନ୍ନ ସ୍ତରରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥାକୁ 22,977 କୋଟି ଟଙ୍କା ବିତରଣ କରିସାରିଲାଣି । କୃଷକମାନଙ୍କୁ ଅର୍ଥ ପ୍ରଦାନ ପାଇଁ ବ୍ୟାଙ୍କର ସମ୍ବଳ ବୃଦ୍ଧି ଏବଂ କୋଭିଡ୍-19 କାରଣରୁ ନଗଦ ଅର୍ଥ କ୍ଷେତ୍ରରେ ଦେଖାଦେଇଥିବା ସଂକଟର ମୁକାବିଲାରେ ଏହି ସବୁ ପାଣ୍ଠି ସହାୟକ ହେବ ।
2. ବ୍ୟାଙ୍କରୁ ଋଣ ନେବା କ୍ଷେତ୍ରରେ ଭଡ଼ାଟିଆ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନାବାର୍ଡ ଏହି ସମସ୍ୟାର କିପରି ସମାଧାନ କରିବ ?
ଅନୌପଚାରିକ ଭଡ଼ାଟିଆ ଚାଷ ବା ଭାଗଚାଷର ବହୁଳ ପ୍ରଚଳନ କାରଣରୁ ଭାଗଚାଷୀମାନଙ୍କୁ ଋଣ ଦେବାରେ ବ୍ୟାଙ୍କ ଅସମର୍ଥ ହେଉଥିବା ସଂପର୍କରେ ଆମେ ସଚେତନ ରହିଛୁ । ଏହି ସମସ୍ୟାକୁ ଅତିକ୍ରମ କରିଯିବା ପାଇଁ ମିଳିତ ଦାୟିତ୍ବ ଗୋଷ୍ଠୀ ବା ‘ଜଏଣ୍ଟ ଲାୟାବିଲିଟି ଗ୍ରୁପ୍’ (JLG)କୁ ଉତ୍ସାହିତ କରିବା ଦିଗରେ ନାବାର୍ଡ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହା ଫଳରେ ଭାଗଚାଷୀ ଏବଂ କେବଳ ମୌଖିକ ରାଜିନାମାରେ ଜମି ଲିଜ୍ ନେଇଥିବା ଚାଷୀମାନଙ୍କୁ ବିନା କୌଣସି ବନ୍ଧକରେ ଅର୍ଥ ଯୋଗାଇ ଦିଆଯାଇପାରିବ । 2019-20 ଆର୍ଥିକ ବର୍ଷରେ 41.80 ଲକ୍ଷ JLG ସ୍ଥାପନ କରାଯାଇଛି ଏବଂ ବ୍ୟାଙ୍କରୁ ଅର୍ଥ ଯୋଗାଇ ଦିଆଯାଇଛି ।
ଏହି ଯୋଜନା ଆରମ୍ଭ ହେବା ଦିନରୁ କ୍ରମବର୍ଦ୍ଧିତ ହାରରେ ଏପର୍ଯ୍ୟନ୍ତ 92.56 ଲକ୍ଷ JLG ସ୍ଥାପନ ସହିତ ସେମାନଙ୍କ ମଧ୍ୟରେ ସର୍ବମୋଟ 1,54,853.10 କୋଟି ଟଙ୍କା ବିତରଣ କରାଯାଇଛି ।
3. ନାବାର୍ଡ ଏହାର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ କେବଳ ବାଲାନ୍ସ ଶିଟ୍ର ବିକାଶ ଉପରେ ଧ୍ୟାନ ଦେଉଛି ବୋଲି ସମାଲୋଚନା ହୁଏ । ଆପଣଙ୍କ ମତାମତ କ’ଣ ?
ମୋ ମତରେ, ବାଲାନସ ଶିଟର ଅଭିବୃଦ୍ଧି ସହିତ ବାସ୍ତବ ଘଟଣାର ସଂପର୍କ ରହିଛି ଏବଂ ଲୋକଙ୍କ ସହ ଆମର ସଂପର୍କ ବୃଦ୍ଧି ସହିତ ସମକାଳୀନ ଭାବରେ ଏହା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆହୁରି ମଧ୍ୟ, ସାରା ବିଶ୍ବରେ ଏହା ସର୍ବଜନବିଦିତ ଯେ କେବଳ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ସଂସ୍ଥାଗୁଡ଼ିକ ହିଁ ସେମାନଙ୍କର ଇପ୍ସିତ ଲକ୍ଷ୍ୟରେ ପହଞ୍ଚି ପାରିବେ । ଆମ ବାଲାନସ ଶିଟର ଶକ୍ତି ହିଁ ସରକାରଙ୍କ ସମେତ ଆମର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆତ୍ମବିଶ୍ବାସ ଗଠନ କରେ । ନାବାର୍ଡ ସବୁବେଳେ ସବା ଶେଷରେ ଥିବା ଲୋକଙ୍କ ପାଖରେ ଅର୍ଥାତ ଅନ୍ତିମ ପର୍ଯ୍ୟାୟର ହିତାଧିକାରୀଙ୍କ (କୃଷକ/କାରିଗର/ଗ୍ରାମାଞ୍ଚଳର ଉଦ୍ୟୋଗୀ) ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହି ବିଶାଳ ଦେଶର କୋଣ ଅନୁକୋଣରେ ବିକାଶମୂଳକ କାର୍ଯ୍ୟକ୍ରମର ଧାରାକୁ ପହଞ୍ଚାଇବା ଦିଗରେ ଏକ ମଜଭୁତ ବାଲାନସ ଶିଟ ହିଁ ଆମକୁ ଆବଶ୍ୟକ
ସଂପ୍ରସାରଣ ସାମର୍ଥ୍ୟ ପ୍ରଦାନ କରିଛି ।
4. ଏବେ ବି ଆମ କୃଷକମାନଙ୍କ ପାଇଁ ଶସ୍ୟ ବୀମା ଏକ ଅପୂର୍ଣ୍ଣ ସ୍ବପ୍ନ ହୋଇ ରହିଛି । ଏ କ୍ଷେତ୍ରରେ ଥିବା ଆହ୍ବାନର ସମ୍ମୁଖୀନ ହେବା ଲାଗି ନାବାର୍ଡର କେଉଁ ସବୁ ଯୋଜନା ରହିଛି ?
ବିଭିନ୍ନ କାରଣରୁ ଅନେକ କୃଷକ ସେମାନଙ୍କର ଫସଲକୁ ବୀମାଭୁକ୍ତ କରନ୍ତି ନାହିଁ । ସର୍ଭେରୁ ଜଣାପଡ଼ିଥିବା ମୁଖ୍ୟ କାରଣ ହେଲା ସଚେତନତାର ଅଭାବ ।ଭାରତୀୟ ଜାତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍(NAIS)ର ଅନ୍ୟତମ ପୃଷ୍ଠପୋଷକ (କମ୍ପାନୀର ମୂଳ ପୁଞ୍ଜିରେ 30% ଅଂଶଧାରକ) ଭାବରେ ନାବାର୍ଡ କୃଷକଙ୍କ ପାଇଁ ଶସ୍ୟ ବୀମାର ବିଭିନ୍ନ ଯୋଜନାକୁ ପ୍ରୋତ୍ସାହିତ କରିଆସୁଛି ଏବଂ ଏଥିପାଇଁ ସଚେତନତା ସୃଷ୍ଟି ସହିତ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ନୀତି ନିର୍ଦ୍ଧାରଣରେ ଯୋଗଦାନ ଦେଇଆସୁଛି ।
ଏହା ବ୍ୟତୀତ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ବୀମା ଯୋଜନାର ସୁବିଧା ସଂପର୍କରେ କୃଷକମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ବିଭିନ୍ନ ବୀମା ଯୋଜନାରେ ସାମିଲ କରାଇବା ଲାଗି ଆମେ ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଭିନ୍ନ ସଂଗଠନ ସହ ଚୁକ୍ତି ସଂପାଦନ କରିଛୁ । ଭାଗଚାଷୀ ଏବଂ ଲିଜ୍ରେ ଜମି ନେଇଥିବା ଚାଷୀଙ୍କୁ ଶସ୍ୟ ବୀମା ସୁବିଧା ଯୋଗାଇ ଦେବା ପ୍ରସଙ୍ଗରେ, ସେମାନଙ୍କୁ ବୀମାସୁବିଧା ସମେତ ବିଭିନ୍ନ ଆର୍ଥିକ ସୁବିଧା ଯୋଗାଇ ଦେବା ପାଇଁ ଚାଷ ସଂପର୍କିତ କାଗଜପତ୍ର ପ୍ରଦାନ କରିବା ଲାଗି ନାବାର୍ଡ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛି ।
5. ସଂପ୍ରତି କୃଷିଜାତ ସାମଗ୍ରୀର ବଜାର ପାଇଁ ଭିତ୍ତିଭୂମି ଯୋଗାଇ ଦେବା ଉପରେ ସରକାର ଧ୍ୟାନ ଦେଉଛନ୍ତି । ଏଥିରେ ନାବାର୍ଡର କି ଭୂମିକା ରହିଛି ?
ପ୍ରାୟ 10,000 ଗ୍ରାମୀଣ ହାଟର ବିକାଶ କରିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେଗୁଡ଼ିକୁ ଗ୍ରାମୀଣ କୃଷିଜାତ ବଜାର (GrAMS) ପାହ୍ୟାରେ ପହଞ୍ଚାଇବା ସହିତ ଅନଲାଇନ ଜାତୀୟ କୃଷିଜାତ ସାମଗ୍ରୀ ବଜାର ବା eNAM ସହ ସଂଯୋଗ କରାଇବା ଏବଂ ଦୂରବର୍ତ୍ତୀ ସ୍ଥାନରେ ସେମାନଙ୍କ ସାମଗ୍ରୀକୁ କିଣାବିକା କରିବାର ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତା ପାଇଁ ନାବାର୍ଡରେ କେନ୍ଦ୍ର ସରକାର କୃଷି ବଜାର ଭିତ୍ତିଭୂମି ପାଣ୍ଠି ସ୍ଥାପନ କରିଛନ୍ତି । ଏଥିରେ ବିପଣନ ବା ମାର୍କେଟିଂର ପ୍ରମୁଖ ଭୂମିକା ରହିବ ଏବଂ କୃଷିକୁ କେବଳ ଚାଷବାସ କାମରେ ସୀମିତ ନ ରଖି ଏହା ଏକ ବ୍ୟାପକ ବ୍ୟବସାୟ ପରିସରକୁ ନେଇଯିବ । ସେହିଭଳି, ଖାଦ୍ୟ ପ୍ରକ୍ରିୟାକରଣ ପାଣ୍ଠି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଖାଦ୍ୟ ଏବଂ କୃଷିଜାତ ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣ ସକାଶେ ନାବାର୍ଡ ବିଭିନ୍ନ ରାଜ୍ୟ ସରକାର, ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ନିଗମ ଏବଂ ବେସରକାରୀ ସଂସ୍ଥାକୁ ସହାୟତା ପ୍ରଦାନ କରିଆସୁଛି ।
6. ଭାରତୀୟ କୃଷି ଜଗତରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଅଧିକ । ଏହି କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବାକୁ ନାବାର୍ଡ ଲକ୍ଷ୍ୟ ରଖିଛି କି ?
ସାରା ଦେଶରେ ନାବାର୍ଡ 4450ଟି କୃଷକ ଉତ୍ପାଦକ ସଂସ୍ଥା (FPO)ର ପୃଷ୍ଠ ପୋଷକତା କରୁଛି । ଏହି ସବୁ FPOର 80% ଅଂଶଧାରକ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ । ଏହି କୃଷକମାନଙ୍କୁ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ବଜାରର ବ୍ୟବସାୟୀଙ୍କ ସହ ସଂଯୋଗ କରାଇବା ଲକ୍ଷ୍ୟ ନେଇ ନାବାର୍ଡ ଏକ ସମର୍ପିତ ଇ-କମର୍ସ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛି ।
7. ସମବାୟ ଆଇନ ଅନୁସାରେ କୃଷି ଉତ୍ପାଦନ ସଂସ୍ଥା (FPO)ର ପଞ୍ଜୀକରଣ ବ୍ୟବସ୍ଥା ରହିଥିବା ବେଳେ ସେମାନଙ୍କୁ କମ୍ପାନୀ ଆଇନ ଅନୁସାରେ ପଞ୍ଜୀକରଣ କରାଇବା ଲାଗି କାହିଁକି ବାଧ୍ୟ କରାଯାଉଛି ? ଏହା ଫଳରେ ସେମାନଙ୍କ ଉପରେ ନିୟମ ପାଳନର ବୋଝ ଅଧିକ ପଡୁନାହିଁ କି ?
କମ୍ପାନୀ ଆକ୍ଟ ଅନୁସାରେ କୃଷି ଉତ୍ପାଦନ ସଂସ୍ଥାର ପଞ୍ଜୀକରଣ କରାଇବାକୁ ନାବାର୍ଡ ବାଧ୍ୟ କରେ ନାହିଁ । ନାବାର୍ଡ ଦ୍ବାରା ସ୍ଥାପିତ କୃଷି ଉତ୍ପାଦନ ସଂସ୍ଥା ଯେକୌଣସି ଆଇନଗତ ବ୍ୟବସ୍ଥାରେ ପଞ୍ଜୀକରଣ କରାଇବାକୁ ଅଧିକାର ପାଇଛନ୍ତି । ତେବେ, କିଛି ଦିନ ହେଲା, କ୍ଷୁଦ୍ର ଚାଷୀଙ୍କ କୃଷି ବ୍ୟବସାୟ ସଂଗଠନ-SFAC ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା କ୍ରେଡିଟ ଗ୍ୟାରେଣ୍ଟି ସ୍କିମ୍ ଏବଂ ଇକ୍ୟୁଇଟି ଗ୍ରାଣ୍ଟ ସପୋର୍ଟ, କେବଳ କମ୍ପାନୀ ଆଇନ ଅନୁସାରେ ପଞ୍ଜୀକୃତ କୃଷି ଉତ୍ପାଦନ ସଂସ୍ଥାକୁ ହିଁ ଉପଲବ୍ଧ ହେଉଥିଲା । ତେଣୁ, କମ୍ପାନୀ ଆକ୍ଟ ଅନୁସାରେ FPOର ପଞ୍ଜୀକରଣକୁ ପ୍ରାଥମିକତା ଦିଆଯାଉଥିଲା । କିନ୍ତୁ, ଇତିମଧ୍ୟରେ ସମବାୟ ଆଇନ ଅନୁସାରେ ପଞ୍ଜୀକୃତ ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ (NCDC) ଦ୍ବାରା ଆର୍ଥିକ ସହାୟତାପ୍ରାପ୍ତ FPOକୁ ବି ସାମିଲ କରାଇବା ପାଇଁ SFAC ଯୋଜନାର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ।
8. ଫସଲ ବୀମା ସୁବିଧା ନେବା ପାଇଁ ଜଣେ କୃଷକଙ୍କୁ ବିଭିନ୍ନ ପ୍ରକାର ଦେୟ ଦେବାକୁ ପଡୁଛି । ଆପଣ କିଭଳି ଏହି ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି ?
କୌଣସି ବ୍ୟାଙ୍କର ଋଣନୀତି ଉପରେ ନିର୍ଭର କରି କୃଷକମାନଙ୍କ ଋଣ ଆକାଉଣ୍ଟରେ ବିଭିନ୍ନ ଦେୟ ଲାଗୁ କରିବାକୁ ସେହି ବ୍ୟାଙ୍କ ହିଁ ନିଷ୍ପତ୍ତି ନେଇଥାଏ । ହେଲେ, କିଷାନ କ୍ରେଡିଟ୍ କାର୍ଡ (KCC)ରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମସ୍ତ ଆନୁସଙ୍ଗିକ ଦେୟ ଛାଡ଼ କରିବା ଲାଗି ନାବାର୍ଡ ସମସ୍ତ ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ନିର୍ଦ୍ଦେଶାବଳୀ ଜାରି କରିଛି ।